‘ଆଇଆଇଏମ’,ସମ୍ବଲପୁରର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ମହାଦେଓ ଜୟସ୍ୱାଲ

ବୁର୍ଲା : ସମ୍ବଲପୁର ଆଇଆଇଏମରେ ଦ୍ୱିତୀୟ ଥର ପାଇଁ ନିର୍ଦ୍ଦେଶକ ଭାବେ ପ୍ରଫେସର ମହାଦେଓ ପ୍ରସାଦ ଜୟସ୍ୱାଲ ଚୟନ ହୋଇଛନ୍ତି । ଗୁରୁବାର କ୍ୟାମ୍ପସକୁ ଆସି ପ୍ରଫେସର ଜୟସ୍ୱାଲ ବିଧିବଦ୍ଧ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ତେବେ ପ୍ରଫେସର ଜୟସ୍ୱାଲ ପୁର୍ବରୁ ମଧ୍ୟ ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ବହନ କରିଥିବା ବେଳେ ପୁଣି ଥରେ କେନ୍ଦ୍ର ସରକାର ତାଙ୍କୁ ସୁଯୋଗ ଦେଇଥିବାରୁ ପ୍ରଫେସର ଜୟସ୍ୱାଲ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଅନ୍ୟପଟେ ପ୍ରଫେସର ଜୟସୱାଲଙ୍କୁ ପୁଣି ଥରେ ନିର୍ଦ୍ଦେଶକ ଭାବେ ପାଇ ସମ୍ବଲପୁର ଆଇଆଇଏମର ଛାତ୍ରଛାତ୍ରୀ ଏବଂ କର୍ମଚାରୀ ସମସ୍ତେ ଖୁସିବ୍ୟକ୍ତ କରିଥିବା ସୂଚନା ମିଳିଛି ।
ପ୍ରଫେସର ଜୟସ୍ୱାଲ ପୂର୍ବରୁ ୨୦୧୭ ମସିହା ଏପ୍ରିଲ ୩ ତାରିଖ ଦିନ ସମ୍ବଲପୁର ଆଇଆଇଏମରେ ପ୍ରଥମେ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ସମୟରେ ସମ୍ବଲପୁର ଆଇଆଇଏମ ଉନ୍ନତି କ୍ଷେତ୍ରରେ ଆଗେଇ ପାରି ନ ଥିଲା । ପ୍ରଫେସର ଜୟସ୍ୱାଲ ଦାୟିତ୍ୱ ଗ୍ରହଣ କରିବା ପରେ ଆଇଆଇଏମ୍ କ୍ୟାମ୍ପସକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ଏକ ଅସ୍ଥାୟୀ କୋଠାକୁ ସ୍ଥାନାନ୍ତର କରାଯାଇ ଏଠାରେ ଅନେକ ପରିବର୍ତ୍ତନ କରାଯାଇଥିଲା । ପ୍ରଫେସର ଜୟସ୍ୱାଲ ତାଙ୍କର ୫ବର୍ଷ କାର୍ଯ୍ୟକାଳ ମଧ୍ୟରେ ସମ୍ବଲପୁର ଆଇଆଇଏମକୁ ଅନେକ ସଫଳତା ଯୋଗାଇ ଦେଇଥିବା ନଜିର ରହିଛି । ଏପରିକି ତାଙ୍କ ସମୟରେ ବସନ୍ତପୁୁର ଠାରେ ଆଇଆଇଏମ-ସମ୍ବଲପୁରର ନୂତନ କ୍ୟାମ୍ପସ କାମ ମଧ୍ୟ ଆରମ୍ଭ ହୋଇଥିବା ଜଣାପଡିଛି । ଏହାପରେ ପ୍ରଥମ ସୋପାନର ୫ବର୍ଷ ତାଙ୍କର ଏପ୍ରିଲ ମାସ ୨ ତାରିଖ ୨୦୨୨ ରେ ପୁର୍ଣ୍ଣ ହୋଇଥିଲା । ଏହାପରେ ସେ ଏଠାରୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ଏହାପରେ ପୁଣି ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିବା ସହିତ ଆସନ୍ତା ସେପ୍ଟେମ୍ବର ଶେଷ ସପ୍ତାହ ସୁଦ୍ଧା ଆଇଆଇଏମ-ସମ୍ବଲପୁର ତାର ସ୍ଥାୟୀ କ୍ୟାମ୍ପସକୁ ସ୍ଥାନାନ୍ତର ହେବ ବୋଲି ପ୍ରଥମ ଦିବସରେ ହିଁ ପ୍ରଫେସର ଜୟସ୍ୱାଲ କହିଛନ୍ତି। ଏଥିସହିତ ଏହି ଅଞ୍ଚଳରେ ଗରିବ ରୋଗୀଙ୍କ ପାଇଁ ଏକ ଭଲ ଡାକ୍ତରଖାନା ଏବଂ ଭଲ ବିଦ୍ୟାଳୟ ନ ଥିବାରୁ ଏହି ଅଞ୍ଚଳରେ କେନ୍ଦ୍ର ସରକାରଙ୍କ ସହଯୋଗରେ ଏକ ସୁପର ସ୍ପେସିଆଲିଟି ହସପିଟାଲ ଏବଂ ଏକ ଅତ୍ୟାଧୁନିକ ବିଦ୍ୟାଳୟ କରିବା ଦିଗରେ ପ୍ରୟାସ କରିବେ ବୋଲି ପ୍ରଫେସର ଜୟସ୍ୱାଲ ମତବ୍ୟକ୍ତ କରିଛନ୍ତି । ତେବେ ପ୍ରଫେସର ଜୟସ୍ୱାଲଙ୍କ ଯୋଗଦାନ ପରେ ଆଇଆଇଏମ-ସମ୍ବଲପୁର ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ଦୃଷ୍ଟାନ୍ତ ରହିବା ସହିତ ଏହି ଅନୁଷ୍ଠାନକୁ ଏକ ସ୍ୱତନ୍ତ୍ର ସ୍ତାନରେ ପହଞ୍ଚା ଯାଇଥିବା ଦୃଷ୍ଟାନ୍ତ ରହିଛି।

kalyan agarbati

Comments are closed.