ବାଙ୍କୀ : ବାଙ୍କୀ ଏକ କୃଷି ପ୍ରଧାନ ଅଂଚଳ। ଚାଷୀର କୃଷିଜାତ ଦ୍ରବ୍ୟକୁ ବିକ୍ରିବଟା କରିବା ପାଇଁ ୧୯୬୦ ମସିହାରେ ବାଙ୍କୀ ଏନ.ଏ.ସି ରେ ପ୍ରତିଷ୍ଠା ହୋଇଥିଲା ନିୟନ୍ତ୍ରିତ ବଜାର କମିଟି। ପରେ ପରେ ଏଠାରେ ଗଢି ଉଠିଥିଲା ରୂଚିକା ହାଟ। ପରିବର୍ଦ୍ଧିତ ହାଟ ପାଇଁ ସ୍ୱତନ୍ତ୍ର ପିଣ୍ଡି,ନିଲାମ ଗୃହ ସହ ୫୦ରୁ ଉର୍ଦ୍ଧ ଦୋକାନ ଗୃହ ନିର୍ମାଣ କରାଯାଇଥିଲା। ବିଭିନ୍ନ କାରଣରୁ ଦୋକାନ ଗୃହ ଗୁଡିକ ବିପର୍ଯ୍ୟସ୍ତ ଅବସ୍ଥାକୁ ଆସି ଏବେ ଜବରଦଖଲ ଓ ଭୂତକୋଠି ପାଲଟିଛି । କେବଳ ପନିପରିବା ବିକ୍ରି ପାଇଁ ପିଣ୍ଡି ଗୁଡିକ ବ୍ୟବହାର କରାଯାଉଛି । ବିଭିନ୍ନ ସମୟରେ ବାଙ୍କୀ ବଜାରର ରାସ୍ତାପାଖ ପରିବା ହାଟକୁ ପ୍ରଶାସନ ରୂଚିକା ହାଟକୁ ସ୍ଥାନାନ୍ତରଣ କରି ପରିବର୍ଦ୍ଧିତ ବ୍ୟବସ୍ଥା ତଥା ସାପ୍ତାହକୁ ୨ଦିନ ନିରନ୍ତର ହାଟ କରିବା ପାଇଁ ବ୍ୟବସ୍ଥା ନେଇଛନ୍ତି । କୋଭିଡ କଟକଣା ସମୟରେ ନିୟମିତ ହାଟ ପରିଚାଳନା କରାଯାଇଥିଲା । ମାତ୍ର ବିଡମ୍ବନାର ବିଷୟ ଏବେ ରୂଚିକା ହାଟ ଖାଁ ଖାଁ। ପିଣ୍ଡି ପଡିଛି ଖାଲି । କୃଷକ,ଖାଉଟି ଏବଂ ଜନସାଧାରଣ ଏ ହାଟକୁ ଆସିବାକୁ ଅମଙ୍ଗ ହେଉଛନ୍ତି। ହାଟ ପରିସର କଂକ୍ରିଟ ଢଳେଇ ରାସ୍ତା ଫାଟି ଆଁ କରିଛି । ହାଟର ପଶ୍ଚିମ ପାଟରୁ ଦକ୍ଷିଣକୁ ବଡ ବଡ ଖାଲଖମା ଓ ଗର୍ତ୍ତ । ବର୍ଷା ଦିନେ ପାଣି ଜମି ପରିବବେଶକୁ ନଷ୍ଟ କରୁଛି । ଏ ସମ୍ପର୍କରେ ନିୟନ୍ତ୍ରିତ ବଜାର କମିଟି କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ପରିସର ମଧ୍ୟରେ ଥିବା ପିଡିଏସ୍ ଗୋଦାମ ଗୃହ ରାସ୍ତା ବିପର୍ଯ୍ୟୟର କାରଣ ହୋଇଛି । ଦୈନିକ ଟନ୍ ଟନ୍ ବୋଝେଇ ଭାରିଯାନ ଗୁଡିକରେ ପି.ଡି.ଏସ୍ ଚାଉଳ ବୋଝେଇ ଟ୍ରକ ଗୁଡିକା ଯାତାୟତ କରୁଥିବାରୁ ରାସ୍ତାର ଅବସ୍ଥା ଶୋଚନୀୟ ହେବା ସହ ଲକ୍ଷଲକ୍ଷ ଟଙ୍କା ବ୍ୟୟବରାଦରେ ନିର୍ମାଣ ହୋଇଥିବା ହାଟ ପରିସର ସଂକଟ ଅବସ୍ଥାକୁ ଗତି କରୁଛି। କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାଇ ୧୯୮୫ ମସିହାରେ ଓଡିଶା ରାଜ୍ୟ ପନ୍ୟାଗାର ନିଗମକୁ ୫୫ଡିସିମିଲି ସ୍ଥାନ ଲିଜ୍ ସୁତ୍ରରେ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ପନ୍ୟାଗାର ନିଗମ ଏହି ଗୋଦାମ ଘରକୁ ପିଡିଏସ୍ ଚାଉଳ ସଂରକ୍ଷଣ ପାଇଁ ଓଡିଶା ଯୋଗାଣ ନିଗମକୁ ଦେଇଥିଲେ। ଯୋଗାଣ ନିଗମ ଏଠାରେ ବାଙ୍କୀ ଓ ଡମପଡା ବ୍ଲକ ପାଇଁ ଚାଉଳ ସଂରକ୍ଷଣ କରି ରଖୁଥିବା ହେତୁ ଦୈନିକ ବହୁ ଭାରିଯାନ ଚଳାଚଳ ପ୍ରଭାବରେ ରୂଚିକା ହାଟ ପରିସର ରାସ୍ତା ଭାଙ୍ଗିରୁଜି ବିପର୍ଯ୍ୟସ୍ତ ଅବସ୍ଥା ସୃଷ୍ଟି କରିଛି। ପ୍ରଭାବରେ ହାଟକୁ କୃଷକ କୃଷିଜାତ ଦ୍ରବ ବିକ୍ରିବଟା ପାଇଁ ଆଣିବା, ବ୍ୟବସାୟୀ ଓ ଖାଉଟି ପ୍ରଭାବିତ ହୋଇ ଲକ୍ଷ ଲକ୍ଷ ଟଙ୍କା ବ୍ୟୟବରାଦ ପାଣିରେ ପଡିଥିବା ବୁଦ୍ଧିଜୀବି ମାନେ କହିଛନ୍ତି ।
ସୂଚନାଯୋଗ୍ୟ ଯେ ନିକଟରେ ନିୟନ୍ତ୍ରିତ ବଜାର କମିଟି ପରିଚାଳନାରେ ଘାସିପୁଟ ଠାରେ ୫୦୦ ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ଚାରିଗୋଟି ଗୋଦାମ ଘର ନିର୍ମାଣ କରାଯାଇ ଆଠଗଡ, ନରସିଂହପୁର,ବଡମ୍ବା ଓ ତିଗିରିଆ ବ୍ଲକ ପାଇଁ ମହଜୁଦ ରଖାଯାଉଛି । ବାଙ୍କୀ ଠାରେ ଥିବା ପିଡିଏସ୍ ଚାଉଳକୁ ଘାସିପୁଟକୁ ସ୍ଥାନାନ୍ତରଣ ବ୍ୟବସ୍ଥା କରାଯାଇଥିଲେ ହୁଏତ ରୂଚିକା ହାଟ ରାସ୍ତା ଓ ପରିବେଶ ସୁରକ୍ଷିତ ରହିପାରିଥାନ୍ତା ବୋଲି ବୁଦ୍ଧିଜୀବି ମାନେ କହିଛନ୍ତି । ଏ ସମ୍ପର୍କରେ ନିୟନ୍ତ୍ରିତ ବଜାର କମିଟିର ଅଧ୍ୟକ୍ଷ ତଥା ବାଙ୍କୀ ଉପଜିଲ୍ଲାପାଳ ରଂଜନ କୁମାର ଜେନାଙ୍କୁ ପଚାରିବାରୁ ଓଡିଶା ରାଜ୍ୟ ପଣ୍ୟାଗାର ପରିଚାଳନା ନିର୍ଦ୍ଦେଶକ ଏବଂ କଟକ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ସ୍ୱତନ୍ତ୍ର ଭାବରେ ଚିଠି ଲେଖାଯାଇ ଭାଙ୍ଗି ଯାଇଥିବା ରାସ୍ତାର ମରାମତି, ପାର୍କିଂ ସ୍ଥାନ ଓ ଗୋଦାମଘର ସମ୍ମୁଖରେ ହୋଇଥିବା ବିରାଟ ଗର୍ତ୍ତକୁ ମୋରମ ପକାଇ ବ୍ୟବହାର ଉପଯୋଗୀ କରିବା ପାଇଁ ଅନୁରୋଧ କରାଯାଇଥିବା କହିଛନ୍ତି ଏବଂ ନିୟନ୍ତ୍ରିତ ବଜାର କମିଟି ପରିଚାଳନାରେ ପରିଚାଳିତ ରୂଚିକା ହାଟ ସୁରକ୍ଷା ଓ ଅଂଚଳର କୃଷକ ମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ବାଙ୍କୀ ଓ ଡମପଡା ପାଇଁ ଏହି ଗୋଦାମ ଘରେ ସଂରକ୍ଷିତ ହେଉଥିବା ଚାଉଳକୁ ଆଗାମୀ ଦିନରେ ଘାସିପୁଟ ସ୍ଥିତ ଗୋଦାମ ଗୃହକୁ ସ୍ଥାନାନ୍ତରଣ ବ୍ୟବସ୍ଥା କରିବା ପାଇଁ କଟକ ଯୋଗାଣ ଅଧିକାରୀଙ୍କୁ ସୂଚନା ଦେଇଥିବା ଉପଜିଲ୍ଲାପାଳ କହିଛନ୍ତି।



