ମାର୍ଚ୍ଚ ୧ରେ ରାଷ୍ଟ୍ରପତିଙ୍କ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଗସ୍ତ, ଚାଲିଛି ପ୍ରସ୍ତୁତି

ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଆସନ୍ତା ମାର୍ଚ୍ଚ ୧ ତାରିଖରେ ଆୟୋଜିତ ହେବାକୁ ଥିବା ୨୫ ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିବାବେଳେ ବିଶ୍ବବିଦ୍ୟାଳୟ ସମେତ ଜିଲ୍ଲା ପ୍ରଶାସନ ଓ ରାଷ୍ଟ୍ରପତି ଭବନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହା ସହ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ପୌରହିତ୍ୟ କରୁଥିବାବେଳେ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମଧ୍ୟ  କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ।

ବିଶ୍ବବିଦ୍ୟାଳୟ ପକ୍ଷରୁ ସମାବର୍ତ୍ତନ ଉତ୍ସବକୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଅଡ଼ିଟୋରିୟମଠାରେ ଆୟୋଜିତ ହେବାକୁ ଥିବାବେଳେ ରାଷ୍ଟ୍ରପତି ପ୍ରାୟ ୫୦ ମିନିଟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ବୋଲି ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଉଦବୋଧନ ଦେବା ସହ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଅଧୀନରେ ଥିବା ୨୦୨୩ ଶିକ୍ଷା ବର୍ଷର ବିଭିନ୍ନ ବିଭାଗର ଟପ୍ପର ୩୫ ଜଣ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ, ପିଏଚଡ଼ି ୪୩ ଜଣ, ଡିଲିଟ ୩ ଜଣ, ଜଣେ ଡ଼ିଏସସିଙ୍କୁ ମେଡାଲ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ।

ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ଆଜି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା, ବ୍ରହ୍ମପୁର ଏସ. ପି ଡା. ଶ୍ରବଣା ବିବେକ ଏମ, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ସଭାସ୍ଥଳୀ ତଦାରଖ କରିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଏହା ସହ ଭଞ୍ଜ ବିହାର ସ୍ଥିତ ବିମାନ ବନ୍ଦର ବୁଲି ଦେଖିଥିଲେ । କେନ୍ଦ୍ରର ବାୟୁସେନାର ଚାରି ଜଣିଆ ଟିମ ବିମାନ ବନ୍ଦରରେ ପହଞ୍ଚି ମଧ୍ୟ ତଦାରଖ କରିଛନ୍ତି । ଏହା ନେଇ ବିଶ୍ଵବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ପକ୍ଷରୁ କ୍ୟାମ୍ପସ ପରିସରରେ ରାସ୍ତା ନିର୍ମାଣ ସହ କାନ୍ଥରେ ରଙ୍ଗ ବେରଙ୍ଗର ଚିତ୍ର ଅଙ୍କନ ସହ କ୍ୟାମ୍ପସ ପରିସରକୁ ସଜା ଯାଉଥିବା ଦେଖିବାକୁ ମିଳିଛି।

 

Comments are closed.