www.samajalive.in
Sunday, December 14, 2025
14.1 C
Bhubaneswar

ସିୱାଇଏସଡିର ପ୍ରାକ୍ ବଜେଟ କ୍ୟାମ୍ପେନ: ଲୋକଙ୍କ ସମସ୍ୟା ଓ ପ୍ରସ୍ତାବ

ଭୁବନେଶ୍ଵର: ସିୱାଇଏସଡିର ଓଡ଼ିଶା ବଜେଟ ଆଣ୍ଡ ଆକାଉଣ୍ଟେବିଲିଟି ସେଣ୍ଟର(ଓବିଏସି) ପକ୍ଷରୁ ରାଜ୍ୟରେ ପ୍ରାକ୍ ବଜେଟ୍ ପରାମର୍ଶ ଭିତ୍ତିକ କ୍ୟାମ୍ପେନ କରାଯାଇଥିଲା। ଏହି ଅବସରରେ ୬ଟି ଜିଲାରେ ୧୫ ଦିନ ଧରି ‘ଆମ ବଜେଟ, ଆମ ଅଧିକାର’ କ୍ୟାମ୍ପେନ ଚାଲିଥିଲା। ଲୋକମାନଙ୍କୁ ବଜେଟ ବିଷୟରେ ବୁଝାଯିବା ସହିତ ବଜେଟ ପ୍ରସ୍ତୁତି ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରାଯାଇଥିଲା। ଏହି ସମୟରେ ସେଣ୍ଟର ପକ୍ଷରୁ ସମାଜର ବିଭିନ୍ନ ବର୍ଗର ପ୍ରାୟ ୪ ହଜାର ଲୋକଙ୍କ ମତାମତ ସଂଗ୍ରହ କରାଯାଇଥିଲା। ତଳ ସ୍ତରରେ କ’ଣ ସମସ୍ୟା ରହିଛି ଏବଂ ବଜେଟରେ ସେମାନଙ୍କ ପାଇଁ କ’ଣ ବ୍ୟବସ୍ଥା କରାଯିବା ଦରକାର ସେ ନେଇ ଲୋକମାନେ ବିଭିନ୍ନ ପ୍ରସ୍ତାବ ଦେଇଥିଲେ।
ଲୋକଙ୍କ କହିବା ଅନୁସାରେ ସରକାର ସାମାଜିକ ନିରାପତ୍ତା କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ବ୍ୟବସ୍ଥା କରିନାହାନ୍ତି। ଆନ୍ଧ୍ରପ୍ରଦେଶ, ଦିଲ୍ଲୀ ଏବଂ ଗୋଆ ଭଳି ସ୍ଥାନରେ ବାର୍ଦ୍ଧକ୍ୟ ଭତ୍ତା ବାବଦରେ ସରକାର ୧ ହଜାରରୁ ୨୦୦୦ ହଜାର ଟଙ୍କା ଦେଉଥିବାବେଳେ ଓଡ଼ିଶାରେ ମାତ୍ର ୫୦୦ ଟଙ୍କା ମିଳୁଛି। ତେଣୁ ବାର୍ଦ୍ଧକ୍ୟ ଭତ୍ତାକୁ ୧୫୦୦ରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ କରିବାକୁ ଲୋକମାନେ ଦାବି କରିଛନ୍ତି। ଏହା ସହିତ ବିଧବା ଏବଂ ବାସହରାଙ୍କ ପାଇଁ ସୋସିଆଲ ହାଉସିଂ ଯୋଜନା କରିବାକୁ ପ୍ରସ୍ତାବ ଦେଇଛନ୍ତି।
ସେହିପରି ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମଜିଏନଆରଇଜିଏସ)ରେ ପାରିଶ୍ରମିକ ବହୁତ କମ୍ ଥିବାବେଳେ ଏହା ମିଳିବାରେ ବିଳମ୍ବ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି। ସରକାର ପାରିଶ୍ରମିକ ବା ଦୈନିକ ମଜୁରୀ ୩୦୦ ଟଙ୍କା ଏବଂ ପ୍ରତି ପରିବାରକୁ ୧୦୦ ଦିନର କାମ ଯୋଗାଇଦେବାକୁ ପ୍ରସ୍ତାବ ଦେଇଛନ୍ତି। ଏହାବ୍ୟତୀତ ଅଙ୍ଗନୱାଡ଼ି କେନ୍ଦ୍ରରେ ପିଲାମାନଙ୍କ ଖାଦ୍ୟ ପାଇଁ କମ୍ ଅର୍ଥ ମିଳୁଥିବା, ବିଦ୍ୟୁତ, ପାନୀୟ ଜଳ, ଶୌଚାଳୟ ସୁବିଧା ନ ଥିବା ଏବଂ ଖେଳ ଉପକରଣ ମିଳୁ ନ ଥିବା କହିଛନ୍ତି। ଅଙ୍ଗନୱାଡ଼ିରେ ପିଲାଙ୍କୁ ରନ୍ଧାଖାଦ୍ୟ ଲାଗି ବଜେଟରେ ପିଲା ପିଛା ୧୦ ଟଙ୍କା ବ୍ୟୟବରାଦ କରିବା ଏବଂ ବହୁମୁଖୀ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଛନ୍ତି।
ସ୍ବଚ୍ଛ ଭାରତ ଅଭିଯାନରେ ହେଉଥିବା ପାଇଖାନା ନିର୍ମାଣରେ ଦିବ୍ୟାଙ୍ଗମାନଙ୍କ ଲାଗି ସୁବିଧା ପାଇଁ ଅତିରିକ୍ତ ବ୍ୟୟବରାଦ ସକାଶେ ଲୋକେ କହିଛନ୍ତି। ଗ୍ରାମାଞ୍ଚଳରେ ଭୂତଳ ଜଳ ସ୍ତର ହ୍ରାସ ପାଉଥିବାବେଳେ ଲୋକେ ଦୂଷିତ ଜଳକୁ ପାନୀୟ ରୂପେ ବ୍ୟବହାର କରୁଥିବା ସମସ୍ୟା ଅନେକ ଗ୍ରାମରେ ଦେଖିବାକୁ ମିଳିଥିଲା। ତେଣୁ ଗାଁଗୁଡ଼ିକୁ ପାଇପ ଜଳ ଯୋଗାଣ ସମେତ ପ୍ରତି ବ୍ଲକରେ ପାଣି ପରୀକ୍ଷାଗାର ପ୍ରତିଷ୍ଠା ପାଇଁ ଦାବି ହୋଇଛି। ହାଇସ୍କୁଲଗୁଡ଼ିକରେ କମ୍ପ୍ୟୁଟର ଶିକ୍ଷା, ସ୍କୁଲ ପରିଚାଳନା କମିଟିର ଦକ୍ଷତା ବୃଦ୍ଧି, ସରକାରୀ ନିୟମ ଅନୁସାରେ ଶିକ୍ଷକ ନିଯୁକ୍ତି ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି।
ସ୍ବାସ୍ଥ୍ୟ କ୍ଷେତ୍ରରେ ପିଏଚସିଗୁଡ଼ିକରେ ଡାକ୍ତର ଏବଂ ନର୍ସଙ୍କ ନିଯୁକ୍ତି ଓ ମାଗଣା ଔଷଧ ଉପଲବ୍ଧ କରାଇବା, ତା ସହିତ ଡାକ୍ତରଖାନା କୋଠାଗୁଡ଼ିକର ମରାମତି ଏବଂ ପରିଚାଳନା ପାଇଁ ସ୍ବତନ୍ତ୍ର ବ୍ୟୟବରାଦ କରିବାକୁ ଲୋକଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। କୃଷି କ୍ଷେତ୍ରରେ ଧାନର ଅଭାବୀ ବିକ୍ରି, ଆବଶ୍ୟକ ସମୟରେ ବିହନ ଉପଲବ୍ଧ ଏବଂ କୃଷକଙ୍କ ନିମ୍ନ ଆୟ ଭଳି ସମସ୍ୟା ଦେଖାଯାଇଥିଲା। ସମସ୍ତ ଜିଲାରେ କୃଷକମାନେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ୨୫୦୦ ଟଙ୍କାକୁ ବୃଦ୍ଧି କରିବା, ପ୍ରତି ପଞ୍ଚାୟତରେ ମଣ୍ଡି ପ୍ରତିଷ୍ଠା କରି ତାହାର ପରିଚାଳନା କରିବା ଏବଂ ଗ୍ରାମପଞ୍ଚାୟତଗୁଡ଼ିକରେ ଗୋଷ୍ଠୀ ବିହନ ବ୍ୟାଙ୍କ ପ୍ରତିଷ୍ଠା କରିବାକୁ ଲୋକମାନେ ଦାବି କରିଛନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories