www.samajalive.in
Sunday, December 7, 2025
26.1 C
Bhubaneswar

ଆଜିଠୁ ପ୍ରବାସୀ ଭାରତୀୟ ଦିବସ ସମାରୋହ: ବିଶ୍ବ ଦେଖିବ ଓଡ଼ିଶା କଳା ସଂସ୍କୃତି

ଭୁବନେଶ୍ବର : ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ତିନି ଦିନିଆ ୧୮ତମ ‘ପ୍ରବାସୀ ଭାରତୀୟ ଦିବସ ସମାରୋହ’। ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପ୍ରବାସୀ ଅତିଥି ଓଡ଼ିଶାରେ ପହଞ୍ଚିଛନ୍ତି। ୩ଦିନରେ ୧୭ଟି ଅଧିବେଶନ ରହିଛି । ଏବଂ ୨୧ଟି ପର୍ଯ୍ୟଟନ ସ୍ଥଳକୁ ପ୍ରବାସୀ ଭାରତୀୟଙ୍କୁ ବୁଲାଇ ନିଆଯିବ। ଏହି ସମାରୋହକୁ ୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିବେ। ୧୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍‌ଯାପନ ଦିବସରେ ପ୍ରବାସୀଙ୍କୁ ସମ୍ବୋଧିତ କରିବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସଚିବ ଅରୁଣ ଚାଟାର୍ଜୀ ଓ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସଚିବ ଶ୍ରୀ ଚାଟାର୍ଜୀ କହିଛନ୍ତି ଯେ, ଭାରତ ସରକାରଙ୍କ ପୂର୍ବୋଦୟ ବିକାଶ ଯୋଜନା ଅନୁସାରେ ଏଥର ଓଡିଶାରେ ପ୍ରବାସୀ ଭାରତୀୟ ସମ୍ମିଳନୀର ୧୮ତମ ସଂସ୍କରଣ ଅନୁଷ୍ଠିତ ହେଉଛି। ଐତିହାସିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଓଡିଶାରେ ପ୍ରବାସୀ ଭାରତୀୟ ଦିବସ କରାଯାଉଛି। ଏହି କାର୍ଯ୍ୟକ୍ରମ ପରେ ଓଡ଼ିଶାରେ ପୁଞ୍ଜି ବିନିଯୋଗ ସମ୍ଭାବନା ନେଇ ପ୍ରବାସୀଙ୍କ ସହିତ ଆଲୋଚନା ହେବ। ଯେଉଁଥିରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏବଂ କେନ୍ଦ୍ର ଯୁବ ବ୍ୟାପାର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ସମ୍ବୋଧିତ କରିବେ। ୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନୁଷ୍ଠାନିକ ଭାବେ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଉଦ୍‌ଘାଟନ କରିବା ସହ ପ୍ରବାସୀଙ୍କୁ ସମ୍ବୋଧିତ କରିବେ। ପ୍ରବାସୀ ଭାରତୀୟଙ୍କୁ ଦେଶର ବିଭିନ୍ନ ପର୍ଯ୍ୟଟନସ୍ଥଳ ବୁଲାଇବା ପାଇଁ ପ୍ରବାସୀ ଭାରତୀୟ ଏକ୍ସପ୍ରେସକୁ ଶୁଭାରମ୍ଭ କରିବେ। ଅପରାହ୍ଣରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରବାସୀ ଭାରତୀୟଙ୍କ ସହ ବିକଶିତ ଭାରତ ୨୦୪୭ ବିଷୟରେ ଆଲୋଚନା କରିବେ। ୧୦ତାରିଖରେ ଉଦ୍‌ଯାପନୀ ଉତ୍ସବରେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ତିନି ଦିନିଆ ସମ୍ମିଳନୀରେ ଓଡିଶା ଏବଂ ଦେଶ ବିକାଶରେ ଥିବା ବିଭିନ୍ନ ସମ୍ଭାବନା ବିଷୟରେ ପ୍ରବାସୀଙ୍କ ସହ ଆଲୋଚନା ହେବ। ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା କହିଛନ୍ତି, ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ରବାସୀ ଦିବସର ବ୍ୟବସ୍ଥା ହୋଇଛି। ବିଭିନ୍ନ ଅଧିବେଶନରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ପ୍ରବାସୀଙ୍କ ସହ ଆଲୋଚନା କରିବେ। ଏହି ଉତ୍ସବକୁ ଆକର୍ଷଣୀୟ କରିବା ପାଇଁ ପ୍ରତି ସନ୍ଧ୍ୟାରେ ସଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ଶେଖାୱାତ ନିର୍ଦିଷ୍ଟ ଅଧିବେଶନରେ ଯୋଗଦେଇ ପ୍ରବାସୀଙ୍କ ସହ ଆଲୋଚନା କରିବେ। ପୁରୀ, କଟକ, ଭୁବନେଶ୍ୱର ଯାଜପୁରର ପ୍ରାୟ ୨୧ରୁ ଉର୍ଦ୍ଧ୍ବ ପର୍ଯ୍ୟଟନ ସ୍ଥଳୀକୁ ପ୍ରବାସୀଙ୍କୁ ବୁଲାଇ ନେବା ପାଇଁ ସବୁ ବ୍ୟବସ୍ଥା କରାଯାଇଛି। ନୂଆ ଭୂତାଣୁ ପାଇଁ କେନ୍ଦ୍ର ସରକାରଙ୍କ ଯାହା ସତର୍କତା ମୂଳକ ନିର୍ଦେଶ ରହିଛି ତାକୁ ଅନୁପାଳନ କରିବା ସହ ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆଯାଉଛି। ପ୍ରବାସୀ ଅତିଥିଙ୍କ ପାଇଁ ୫ଟି ଡବଲ ଡେକର ବସ୍‌ ବ୍ୟବସ୍ଥା କରାଯାଇଛି। ରହିଣୀ ନିମନ୍ତେ ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ଅତିଥିଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଭୁବନେଶ୍ବର ଖାଓ ଗଳିରେ ଖାଦ୍ୟର ସମ୍ଭାର, ନୃତ୍ୟ ସଙ୍ଗୀତ, ଏକାମ୍ର ଉତ୍ସବ, ଆଦିବାସୀ ମେଳା, ଚିଲିକା ପକ୍ଷୀ ଉତ୍ସବ, ଏକାମ୍ର ପୁଷ୍ପ ମହୋତ୍ସବ, ମୁକ୍ତେଶ୍ବର ନୃତ୍ୟ ଉତ୍ସବ ଇତ୍ୟାଦି କରାଯାଇଛି। ପ୍ରବାସୀଙ୍କୁ ଆଦିବାସୀ ପରମ୍ପରା, ସଂସ୍କୃତି, ଚାଲିଚଳନ ଓ ନୃତ୍ୟକଳା ବାବଦରେ ଅବଗତ କରାଇବା ପାଇଁ ଆଗୁଆ ଆଦିବାସୀ ମେଳା ମଧ୍ୟ ଆରମ୍ଭ ହୋଇ ସାରିଛି।
ପ୍ରବାସୀ ଭାରତୀୟ ଦିବସ ଭାରତ ସରକାରଙ୍କ ଏକ ପ୍ରମୁଖ କାର୍ଯ୍ୟକ୍ରମ। ଭାରତର ବିକାଶରେ ପ୍ରବାସୀ ଭାରତୀୟ ସମୁଦାୟର ଅବଦାନକୁ ସମ୍ମାନ ପ୍ରଦର୍ଶନ କରିବା ପାଇଁ ୨୦୦୩ ମସିହାଠାରୁ ଏପର୍ଯ୍ୟନ୍ତ ଏହି ଦିବସ ଆୟୋଜନ ହୋଇ ଆସୁଛି। ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ପ୍ରବାସୀ ଭାରତୀୟ ଭାବେ ରହୁଥିବାରୁ ୧୯୧୫ ଜାନୁଆରୀ ୯ତାରିଖରେ ସେଠାରୁ ଭାରତ ପ୍ରତ୍ୟାବର୍ତ୍ତନ କରି ଭାରତର ସ୍ବାଧୀନତା ସଂଗ୍ରାମର ନେତୃତ୍ବ ନେଇଥିଲେ। ତାଙ୍କ ପ୍ରତ୍ୟାବର୍ତ୍ତନ ଦିବସକୁ ସ୍ମରଣ କରିବା ଓ ବିଶ୍ବର ବିଭିନ୍ନ ଦେଶରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ନିଜ ଜନ୍ମ ମାଟି ସହ ଯୋଡ଼ିବା ଓ ଏହାର ଗୌରବମୟ କଳା, ସାହିତ୍ୟ, ସଂସ୍କୃତି, ପରମ୍ପରା ଓ ପର୍ଯ୍ୟଟନ ସହ ଅଧିକ ପରିଚିତ କରି ଯୋଡ଼ିବା ଲାଗି ଏହି ଦିବସ ଆୟୋଜନ କରାଯାଇ ଆସୁଛି।
ଏହି ସମ୍ମିଳନୀ ବିଦେଶରେ ରହୁଥିବା ଭାରତୀୟଙ୍କ ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା ପାଇଁ ଏକ ମଞ୍ଚ ପ୍ରଦାନ କରିଥାଏ। ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ରୂପରେଖକୁ ୨୦୧୫ମସିହାରେ ପରିବର୍ତ୍ତନ କରାଯାଇଛି। ସେବେଠାରୁ ଏପର୍ଯ୍ୟନ୍ତ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ବିଶେଷ ଅଧିବେଶନ ପ୍ରତ୍ୟେକ ଦୁଇବର୍ଷରେ ଥରେ ଆୟୋଜିତ କରାଯାଉଛି। ପ୍ରବାସୀ ବିଶେଷଜ୍ଞ, ନୀତି ନିର୍ମାତା ଏବଂ ହିତାଧିକାରୀ ଅଂଶଗ୍ରହଣ ଏହାର ଗୁରୁତ୍ବ ବୃଦ୍ଧି କରିଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories