ଧାରଣା ଦେଲେ ପ୍ରଧାନମନ୍ତ୍ରୀଙ୍କ ଭାଇ
ନୂଆଦିଲ୍ଲୀ: ସ୍ଥାନୀୟ ଜନ୍ତରମନ୍ତରଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଇ ପ୍ରହଲ୍ଲାଦ ମୋଦୀ ଧାରଣ ଦେଇଥିବା ମଙ୍ଗଳବାର ଦେଖିବାକୁ ମିଳିଥିଲା । ସୂଚନାଥାଉ କି ପ୍ରହଲ୍ଲାଦ ସର୍ବଭାରତୀୟ ଫେୟାର ପ୍ରାଇସ୍ ସପ୍ ଡିଲର୍ସ ଫେଡେରେସନ୍ (ରେସନ ସାମଗ୍ରୀ ଦେକାନୀ ମହାସଂଘ)ର ଉପସଭାପତି ଅଛନ୍ତି । ପ୍ରହଲ୍ଲାଦଙ୍କ ସହ ମହାସଂଘର ଅନ୍ୟ ସଦସ୍ୟମାନେ କେତେକ ଦାବି ପୂରଣ ନେଇ ଧାରଣା ଦେବା ସହ ନାନା ସ୍ଲୋଗାନ ଦେଇଥିଲେ।
ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ପ୍ରହଲ୍ଲାଦ କହିଥିଲେ ଦେଶବ୍ୟାପୀ ରେସନ ସାମଗ୍ରୀ ଦୋକାନୀମାନେ ବର୍ତ୍ତମାନ ବହୁ କଷ୍ଟକର ସମୟ ଦେଇ ଗତି କରୁଛନ୍ତି । କିଲୋ ପିଛା ରେସନ ସାମଗ୍ରୀ ବିକ୍ରେତାଙ୍କୁ ମାତ୍ର ୨୦ ପଇସା ମିଳୁଥିବାରୁ ସେମାନେ ପରିବାର ଚଳାଇବାରେ ଅସୁବିଧା ଭୋଗୁଛନ୍ତି। ଖାଦ୍ୟ ଦ୍ରବ୍ୟ ସହ ଅନ୍ୟାନ୍ୟ ସାମଗ୍ରୀର ଦରବୃଦ୍ଧି ସେମାନଙ୍କ ଜୀବନକୁ ଦୁର୍ବିସହ କରି ଦେଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରେସନ ସାମଗ୍ରୀ ବିକ୍ରେତାଙ୍କ ନିମନ୍ତେ ଉପଯୁକ୍ତ ପ୍ରତିକାର କରିବାକୁ ସଂଘ ତରଫରୁ ନିବେଦନ କରାଯାଇଛି।
ଚାଉଳ, ଗହମ ଓ ଚିନି ବିକ୍ରିରେ ରେସନ ସାମଗ୍ରୀ ଦୋକାନୀମାନେ ଅଧିକାଂଶ କ୍ଷେତ୍ରରେ କ୍ଷତି ସହୁଥିବାରୁ ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ସହ ଡାଲି, ଖାଇବା ତେଲ, ରନ୍ଧନ ଗ୍ୟାସ୍ ସିଲିଣ୍ଡର ଆଦି ରେସନ ସାମଗ୍ରୀ ଦୋକାନ ମାଧ୍ୟମରେ ଉପଭୋକ୍ତାଙ୍କୁ ଯୋଗାଇ ଦେବାକୁ ସେ ଦାବି କରିଥିଲେ। ମହାସଂଘ ତରଫରୁ ଏଥିନେଇ ଏକ ଦାବିପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଏଥିସହ ଆସନ୍ତା ବୁଧବାର ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ସାକ୍ଷାତ କରିବାକୁ ଯୋଜନା ପ୍ରସ୍ତୁତ କରାଯାଉଥବା ମହାସଂଘର ସାଧାରଣ ସମ୍ପାଦକ ବିଶ୍ବମ୍ଭର ବସୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
Comments are closed.