www.samajalive.in
Saturday, December 6, 2025
16.1 C
Bhubaneswar

ଅହମ୍ମଦାବାଦରେ ଦାଦନ ନିର୍ୟାତନା: ଜଣକୁ ନିର୍ଘାତ ମାଡ, ୨୬ ନଜରବନ୍ଦୀ

ଖଲ୍ଲିକୋଟ : ପେଟପାଟଣା ପାଇଁ ବାହାର ରାଜ୍ୟକୁ ଯାଇ ଓଡ଼ିଆ ଶ୍ରମିକମାନେ ବିଭିନ୍ନ ସମୟରେ ନିର୍ୟାତନାର ଶିକାର ହେବାର ଢେର ନଜିର ରହିଛି। ବିଶେଷକରି ଗଞ୍ଜାମ ଜିଲାରୁ ବାହାର ରାଜ୍ୟକୁ ଯାଉଥିବା ଶ୍ରମିକମାନେ ଏଭଳି ଅବସ୍ଥା ଭୋଗ କରୁଛନ୍ତି। ଏହାର ଏକ ନିଛକ ଉଦାହରଣ ଖଲ୍ଲିକୋଟ ବ୍ଲକରେ ଦେଖିବାକୁ ମିଳିଛି। ମାତ୍ର ଚାରିମାସ ତଳେ ନାମମାତ୍ର ଦରମାରେ କାମ କରିବାକୁ ଅହମ୍ମଦାବାଦ ଯାଇଥିବା ଗଞ୍ଜାମ ଜିଲାର ୨୬ଜଣ ଶ୍ରମିକଙ୍କ ମଧ୍ୟରୁ ଜଣେ ଶ୍ରମିକ ଦେହ ଅସୁସ୍ଥ ପାଇଁ ଛୁଟି ମାଗିବାରୁ କମ୍ପାନୀ କର୍ମଚାରୀମାନେ ତାଙ୍କୁ ମାଡ ମାରି ଲହୁଲୁହାଣ କରିଛନ୍ତି। ସାଥି ଶ୍ରମିକମାନେ ଏହାର ପ୍ରତିବାଦ କରିବାରୁ ସେମାନଙ୍କୁ କମ୍ପାନୀ କର୍ମଚାରୀମାନେ ଖାଇବା ପିଇବାକୁ ନଦେଇ ଏକ ଘରେ ନଜରବନ୍ଦୀ କରି ରଖିଥିବା ଅଭିଯୋଗ ହୋଇଛି। ଏ ମର୍ମରେ ଖଲ୍ଲିକୋଟ ଥାନାରେ ଆହତ ଶ୍ରମିକଙ୍କ ସମ୍ପର୍କୀୟ ଏତଲା ଦାୟର କରିଛନ୍ତି। ସ୍ଥାନୀୟ ପୁଲିସ ଅହମ୍ମଦାବାଦସ୍ଥିତ କମ୍ପାନୀ ସହ ଯୋଗାଯୋଗ କରିଛନ୍ତି।

ଖଲ୍ଲିକୋଟ ବ୍ଲକର କହ୍ନେଇପୁର ପଞ୍ଚାୟତ ଅନ୍ତର୍ଗତ କନ୍ଦି ଗାଁର ସନ୍ତୋଷ ନାୟକଙ୍କ ୨୪ ବର୍ଷୀୟ ପୁଅ ଆଲୋକ ନାୟକ ଓ ସେହି ଗ୍ରାମର ୨୬ ବର୍ଷୀୟ ବିଜୁଳି ବାରିକ ସମେତ ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳର ୨୬ ଜଣ ଶ୍ରମିକ ୪ ମାସ ପୂର୍ବେ ଏହି ବ୍ଲକ ଅନ୍ତର୍ଗତ ତେନ୍ତୁଳିଆପଲ୍ଲୀ ଗ୍ରାମର କାଳିଆ ମହାରଣାଙ୍କ ଜରିଆରେ ଗୁଜୁରାଟର ଅହମ୍ମଦାବାଦ ମେହେସନାର ଏକ ସ୍ଲିପର ଫ୍ୟାକ୍ଟ୍ରିକୁ କାମ କରିବାକୁ ଯାଇଥିଲେ। ମାସିକ ୧୦ ହଜାର ଟଙ୍କା ଦରମାରେ ଶ୍ରମିକ ଦଲାଲ ଏମାନଙ୍କୁ ନେଇ ସେଠାରେ ନିୟୋଜିତ କରିଥିଲେ। ଦୁଇଦିନ ତଳେ ଆଲୋକ ନାୟକର ଛାତିରେ ଯନ୍ତ୍ରଣା ହେବାରୁ ସେ ନିଜ ଗ୍ରାମକୁ ଫେରିଯିବାକୁ ସାଇଡ ସୁପରଭାଇଜରଙ୍କୁ ଜଣାଇଥିଲେ। ଆଲୋକକୁ ଚିକିତ୍ସା କରିବା ପରିବର୍ତ୍ତେ ସୁପରଭାଇଜରଜଣକ ତାଙ୍କୁ ନିସ୍ତୁକ ମାଡ ମାରି ଲହୁଲୁହାଣ କରିବା ସହ ଜୀବନରେ ମାରିଦେବା ପାଇଁ ଧମକ ଦେଇଥିଲେ।

- Advertisement -

ଆଲୋକ ପ୍ରତି ହୋଇଥିବା ନିର୍ୟାତନା ସେଠାରେ ଥିବା ଅନ୍ୟ ଶ୍ରମିକମାନେ ଜାଣିବା ପରେ ଏହାର ପ୍ରତିବାଦ କରିବା ସହ ସମସ୍ତେ କାମ ଛାଡି ଭିଟାମାଟି ଫେରିଯିବାକୁ ଅଡି ବସିଥିଲେ। ସେମାନଙ୍କୁ ମଧ୍ୟ କମ୍ପାନୀ କର୍ମଚାରୀ ମାଡ ମାରି ଖାଇବାପିଇବା ନଦେଇ ଏକ ଘରେ ନଜରବନ୍ଦୀ କରି ରଖିଛନ୍ତି ବୋଲି ଆଲୋକର ମା’ ସୂର୍ୟ୍ୟକାନ୍ତି ନାୟକ ଆମ ପ୍ରତିନିଧି ଆଗରେ ପ୍ରକାଶ କରିଛନ୍ତି। ପୁଅକୁ ତୁରନ୍ତ ସେଠାରୁ ଉଦ୍ଧାର କରିବା ପାଇଁ ଆକୁଳ ନିବେଦନ କରିଛନ୍ତି । ଇତିମଧ୍ୟରେ ଆଲୋକର ସାନଭାଇ ସୁନୀଲକୁମାର ନାୟକ ଖଲ୍ଲିକୋଟ ଥାନାରେ ଏତଲା ଦାୟର କରିଛନ୍ତି। ତାଙ୍କ ଭାଇଙ୍କୁ ମାଡ ମାରି ମୋବାଇଲ ଛଡାଇ ରଖିଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି। ରାଜ୍ୟ ବାହାରେ ଘଟଣା ଘଟିଥିବାରୁ ପୁଲିସ ଉକ୍ତ ଘଟଣା ସମ୍ପର୍କରେ ଅହମଦାବାଦ କମ୍ପାନୀ ସହ ଯୋଗାଯୋଗ କରିଛନ୍ତି। ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ପୁସ୍ତପୁର ଗ୍ରାମର ଜଣେ ଶ୍ରମ ଠିକାଦାର ସେହି ଗ୍ରାମର ସୀମାଞ୍ଚଳ କର ନାମରେ ଜଣେ ଯୁବକଙ୍କୁ ବକେୟା ପାଉଣାକୁ ନେଇ ମାଡ ମାରି ଆହାତ କରିଥିବା ଘଟଣା ଗତ ଅକ୍ଟୋବର ୧୮ ତାରିଖ ଦିନ ବେଗୁନିଆପଡା ଫାଣ୍ଡିରେ ଅଭିଯୋଗ ହୋଇଛି। ଅନ୍ୟ ଏକ ଦାଦନ ଶ୍ରମିକକୁ ମାଡ ମାରି ଆହାତ କରିଥିବା ଉକ୍ତ ଥାନାରେ ଆଉ ଏକ ଏତଲା ହୋଇଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories