www.samajalive.in
Saturday, December 6, 2025
17.1 C
Bhubaneswar

ଲୁଚାଛପାରେ ଚାଲିଛି ବାଣ ବିକ୍ରି ! ପ୍ରଶାସନ କହୁଛି ନାଁ

ସମ୍ବଲପୁର: କରୋନା ସଙ୍କଟ ଏ ପର୍ଯ୍ୟନ୍ତ ଟଳି ନ ଥିବା ବେଳେ ଶୀତ ଋତୁରେ ଏହାର ସଂକ୍ରମଣ ଅଧିକ ହେବାର ଆଶଙ୍କା ରହିଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାର ଦୀପାବଳିର ଅନେକ ପୂର୍ବରୁ ବାଣ ବିକ୍ରି ଓ ବ୍ୟବହାର ଉପରେ ରୋକ ଲଗାଇଛନ୍ତି। କିନ୍ତୁ ସମ୍ବଲପୁର ଜିଲା, ପୁଲିସ ଓ ଅଗ୍ନିଶମ ବିଭାଗର ସମନ୍ୱୟ ଅଭାବ ଓ ଢ଼ିଲା ମନୋବୃତ୍ତି ଯୋଗୁଁ ସହରର ଅନେକ ସ୍ଥାନରେ ଅସାଧୁ ବ୍ୟବସାୟୀ ଓ ଦୋକାନୀମାନେ ଲୁଚାଛପା ବାଣ ନିର୍ବିଘ୍ନ ଭାବରେ ବିକ୍ରି କରୁଥିବାର ଜଣାପଡୁଛି। ବାଣ ବିକ୍ରି ଉପରେ ରୋକ ଲଗାଯାଇଥିବା ବେଳେ କିନ୍ତୁ ଅନାୟସରେ ବାଣ ବିକ୍ରି ଚାଲିଛି। ସହର ମଧ୍ୟରେ ସରକାରୀ ନିର୍ଦ୍ଦେଶ କାର୍ଯ୍ୟକାରୀ କରୁଥିବା ପୁଲିସ ହେଉ କି ଅଗ୍ନିଶମ ବିଭାଗ ହେଉ ଯେ ଯାହା ବାଟରେ କଥାକୁ ଏଡାଇବାରେ ବ୍ୟସ୍ତ ରହିଛନ୍ତି। ଲୁଚାଛପା ବାଣ ବିକ୍ରି ସର୍ମ୍ପକରେ ସହାୟକ ଅଗ୍ନିଶମ ଅଧିକାରୀ କହିଛନ୍ତି ଯେ ଏ ପର୍ଯ୍ୟନ୍ତ ଆମର ସେଭଳି କୌଣସି ଘଟଣା ନଜରକୁ ଆସି ନ ଥିବା ବେଳେ ଯଦି କିଛି ଆସେ ତାହା ହେଲେ ପୁଲିସ ସହାୟତାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଟାଉନ ଥାନା ଅଧିନସ୍ଥ ଅଞ୍ଚଳରେ ସହରର ପ୍ରମୁଖ ବାଣ ବିକ୍ରି ଓ ଲାଇସେନ୍ସ ପ୍ରାପ୍ତ ବାଣ ବିକ୍ରେତା ରହିଛନ୍ତି। ଏଣୁ ଟାଉନ ଥାନାକୁ ପଚରାଯିବାରୁ ବାଣ ବିକ୍ରି ନ କରିବା ପାଇଁ ସମସ୍ତଙ୍କୁ ପୂର୍ବରୁ ତାଗିଦ କରାଯାଇଛି। ଏ ପର୍ଯ୍ୟନ୍ତ ବାଣ ବିକ୍ରି ଘଟଣା ନଜରକୁ ଆସି ନାହିଁ। ତଥାପି ଆମେ ସର୍ତକ ଦୃଷ୍ଟି ରଖିଛୁ, ଯଦି ସେଭଳି କିଛି ଘଟଣା ସମ୍ମୁଖକୁ ଆସେ ତାହା ହେଲେ ତୁରନ୍ତ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି। ସେହିଭଳି ଉତ୍ତର ଉଣା ଅଧିକେ ସମ୍ବଲପୁର ସହରରେ ରହିଥିବା ସମସ୍ତ ଥାନା ଗୁଡିକର ରହିଛି। ଅନ୍ୟ ପଟରେ ସହରବାସୀଙ୍କ ମଧ୍ୟରେ ଚାଲିଥିବା ଚର୍ଚ୍ଚାନୁଯାୟୀ ଲୁଚାଛପାରେ ବାଣ ବିକ୍ରି ଏହା ଏକ ଖୋଲା ରହସ୍ୟ (ଓପନ ସିକ୍ରେଟ) ଅଟେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories