ଅଘୋଷିତ ବିଦ୍ୟୁତ କାଟ : ତୀବ୍ର ପ୍ରତିକ୍ରିୟା
ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକରେ ସକାଳ ୯ଟା ରୁ ବିଦ୍ୟୁତ କାଟ। କୌଣସି ଘୋଷଣା ନାହିଁ। ଫଳରେ ନାହିଁ ନଥିବା ଅସୁବିଧା ଭୋଗିଛନ୍ତି ଲୋକେ। ଗାଁ ଗହଳରୁ ଆସିଥିବା ଲୋକେ ଦିନ ସାରା ଜଗି ସନ୍ଧ୍ୟାରେ ଫେରିଛନ୍ତି ବିନା କାମରେ। ଫଳରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।
ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଏବେ ଫର୍ମ ପକାଇବା ସମୟ। ସବୁ ଅନଲାଇନରେ ହେବ ମାତ୍ର ବିଜୁଳି ଅଭାବରୁ ଗୋଟିଏ ଦିନ ନଷ୍ଟ। ଚାଷୀଙ୍କ ଧାନ ବିକ୍ରି ପାଇଁ ନାମ ପଞ୍ଜିକରଣ ଗତ ୧୫ ତାରିଖରୁ ଆରମ୍ଭ ହୋଇଛି। ଚାଷୀ ରେକର୍ଡ ଜେରକ୍ସ କରିପାରିଲେ ତ ପକେଇବ । ସେକଥା ବି ହେଲା ନାହିଁ । ଚାଷ ଦିନରେ ପଞ୍ଜିକରଣ ପାଇଁ ଆସି ଅପେକ୍ଷା କରି ସମୟ ସିନା ସରିଲା ମାତ୍ର ଫର୍ମ ଦାଖଲ କରିପାରିଲେ ନାହିଁ ବୋଲି କହିଛନ୍ତି ଚାଷୀ ରାଧାଶ୍ୟାମ ମହାନ୍ତ। ତହସିଲରୁ ସାର୍ଟିଫିକେଟ ବାହାର କଲେ ପିଲା ନାମ ଲେଖା ପାଇଁ ଦରଖାସ୍ତ କରିବେ। ମାତ୍ର ବିଦ୍ୟୁତ ଅଭାବରୁ ଜନସେବା କେନ୍ଦ୍ର ବନ୍ଦ। ଘରେ ଘରେ ପାଣି ଟିକିଏ ପାଇ ନାହାନ୍ତି ଲୋକ। ସବୁ କିଛି ବିଦ୍ୟୁତ ଉପରେ ନିର୍ଭର କରେ । ଏପରି ସ୍ଥଳେ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମେତ କୌଣସି କର୍ମଚାରୀ ଫୋନ ଉଠାଉ ନାହାନ୍ତି। ବିଦ୍ୟୁତ ଉଭାନର କାରଣ ମଧ୍ୟ ଜଣାଯାଉନାହିଁ। ଫଳରେ ଅନିଶ୍ଚିତତା ଲାଗି ରହିଛି ଏବଂ ବିଭାଗ ପ୍ରତି ଆକ୍ରୋଶ ମଧ୍ୟ ବଢୁଛି। ପରିସ୍ଥିତି ଏପରି ହେଲାଣି ଯେ କୌଣସି ମୁହୂର୍ତ୍ତରେ ଅଘଟଣ ଘଟିପାରେ। ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ କହିଲେ ୩୩ କେଭି ଲାଇନ୍ ଖରାପ ଅଛି, ସଂନ୍ଧ୍ୟା ପର୍ଯ୍ୟନ୍ତ ଫଲ୍ଟ ପାଇ ନଥିବା କହିଥିଲେ। ରାତି ୯ ଟା ପର୍ଯ୍ୟନ୍ତ ବିଜୁଳି ଆସିନାହିଁ । ତେଣୁ ବିଭାଗୀୟ କର୍ତ୍ତୃପକ୍ଷ ଅର୍ଥ ଆଦାୟରେ ଗୁରୁତ୍ୱ ଦେବା ଭଳି ସେବା ଯୋଗାଇବାରେ ମଧ୍ୟ ଗୁରୁତ୍ୱ ଦେବାକୁ ଜନସାଧାରଣ ଦାବି କରିଛନ୍ତି ।
Comments are closed.