ନିଷିଦ୍ଧ ପଲିଥିନ ବ୍ୟବହାର ଉପରେ ଏନଏସିର ଚଢାଉ
ଆଠଗଡ : ପରିବେଶ ପାଇଁ ବହୁଳ ଭାବେ ବିପଦ ସାଜିଥିବା ଏକକ ବ୍ୟବହାର ଯୋଗ୍ୟ ପଲିଥିନକୁ କେନ୍ଦ୍ର ସରକାର ନିଷିଦ୍ଧ କରିଥିବାବେଳେ ବ୍ୟବସାୟୀମାନେ କିନ୍ତୁ କଟକଣାକୁ ଅମାନ୍ୟ କରି ପଲିଥିନର ବ୍ୟାପକ ବ୍ୟବହାର କରୁଥିବାରୁ ଆଠଗଡ ଏନଏସି ପକ୍ଷରୁ ଗୁରୁବାର ଚଢାଉ କରାଯାଇଥିଲା । ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଆଶାଲତା ରଚମାଳାଙ୍କ ନେତୃତ୍ୱରେ ଏନଏସି ପକ୍ଷରୁ ଗଠିତ ସ୍ୱତନ୍ତ୍ର ସ୍କାର୍ଡ ଆଠଗଡର ମୁଖ୍ୟବଜାର ଗୁଡିକରେ ଥିବା ଅନେକ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଅତର୍କିତ ଚଢଉ କରିଥିଲେ । ପ୍ରାୟ ୧୦ଟି ଦୋକାନରେ ଚଢାଉ ସମୟରେ ପଲିଥିନ ବ୍ୟବହାର କରାଯାଉଥିବା ଦେଖି ସେମାନଙ୍କଠାରୁ ଜରିମାନା ବାବଦରେ ୨୪୫୦ ଟଙ୍କା ଆଦାୟ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଏନଏସି ପକ୍ଷରୁ ସମଗ୍ର ସହରରେ ଡାକବାଜି ଯନ୍ତ୍ର ଯୋଗେ ଏକକ ବ୍ୟବହାର ଯୋଗ୍ୟ ପଲିଥିନକୁ ବ୍ୟବହାର ନକରିବା ପାଇଁ ତାଗିଦ କରାଯାଇଥିଲା । ତେବେ ଏହାର କୌଣସି ପ୍ରଭାବ ନପଡିବା ଦେଖି ଏନଏସି କର୍ତ୍ତୃପକ୍ଷ କଡା ଆଭିମୁଖ୍ୟ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେହି ଅନୁଯାୟୀ ଗୁରୁବାର ଚଢାଉ କରାଯାଇ ଜୋରିମନା ଆଦାୟ କରାଯାଇଛି । ଆଗାମୀ ଦିନରେ ଆହୁରି ବ୍ୟାପକ ଚଢାଉ କରାଯିବ ଏବଂ ଜରିମାନାର ପରିମାଣ ମଧ୍ୟ ବୃଦ୍ଧି କରାଯିବ ବୋଲି ନିର୍ବାହୀ ଅଧିକାରୀ ଶ୍ରୀମତୀ ରଚମାଳା ପ୍ରକାଶ କରିଛନ୍ତି । ଏହି ଚଢଉରେ ଏନଏସିର କର୍ମଚାରୀ ଲଲାଟେନ୍ଦୁ ବେହେରା, ପ୍ରତୀକ ମହାପାତ୍ର, ଗୋରାଚାନ୍ଦ ପରିଡା, ପ୍ରକାଶ ମହାପାତ୍ର, ଶ୍ରବଣ ସାହୁ, ଦିଲ୍ଲୀପ ବାରିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ।
Comments are closed.