ବହୁ ବିବାହ, ନିକାହ ହଲାଲା ବିରୋଧରେ ଆଉ ଏକ ଆବେଦନ

0

ନୂଆଦିଲ୍ଲୀ : ମୁସଲମାନଙ୍କ ମଧ୍ୟରେ ପ୍ରଚଳିତ ବହୁ ବିବାହ, ନିକାହ ହଲାଲା, ନିକାହ ମୁତାହ ଏବଂ ନିକାହ ମିସୟାକୁ ବେଆଇନ ଘୋଷଣା କରିବା ପାଇଁ ସାମାଜିକ କର୍ମୀ ନାଇଶ ହାସାନଙ୍କ ପକ୍ଷରୁ ଦାଖଲ ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିବା ପୂର୍ବକ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଏହି ବ୍ୟବସ୍ଥାଗୁଡିକର ବୈଧତା ସମୀକ୍ଷା କରିବାକୁ ସମୀନା ବେଗମ୍‌, ନଫିସା ଖାନ୍‌, ଅଶ୍ୱିନୀ କୁମାର ଉପାଧ୍ୟାୟ ଏବଂ ମୌଲିମ୍‌ ମହସିନ୍‌ ବିନ୍‌ ହୁସେନ୍‌ ବିନ୍‌ ଆବଦାଦ୍‌ ଅଲ୍‌ କାଥିରିଙ୍କ ପକ୍ଷରୁ ଚାରୋଟି ଭିନ୍ନଭିନ୍ନ ଆବେଦନକୁ ଭିତ୍ତି କରି ସୁପ୍ରିମକୋର୍ଟ ନୋଟିସ୍‌ ଜାରି କରିବା ସହ ମାମଲାକୁ ସାମ୍ବିଧାନିକ ଖଣ୍ଡପୀଠ ନିକଟକୁ ପଠାଇ ଦେଇଥିଲେ । ଏବେ ନାଇଶ ହାସାନଙ୍କ ଆବେଦନ ଉପରେ ସାମ୍ବିଧାନିକ ଖଣ୍ଡପୀଠରେ ଶୁଣାଣି ହେବ। ଲକ୍ଷ୍ନୌ ନିବାସୀ ନାଇସ ହାସାନ ନିଜ ଆବେଦନରେ ବହୁ ବିବାହ, ନିକାହ ହଲାଲା, ନିକାହ ମୁତାହ ଏବଂ ନିକାହ ମିସୟାକୁ ଅସାମ୍ବିଧାନିକ ଘୋଷଣା କରିବାକୁ ଦାବି କରିଛନ୍ତି । ନାଇସ ହାସାନ ପିଟିସନରେ ଦର୍ଶାଇଛନ୍ତି ଯେ ମୁସଲମାନ ସମ୍ପ୍ରଦାୟରେ ପ୍ରଚଳିତ ଏହି ପ୍ରଥାଗୁଡ଼ିକ ମୌଳିକ ଅଧିକାର କ୍ଷୂର୍ଣ୍ଣ କରୁଛନ୍ତି । ମୁସଲମାନ ପର୍ସନାଲ (ସରିୟା) ଆଇନ୍‌ ୧୯୩୭ ଅନୁଚ୍ଛେଦ-୨ରେ ବହୁବିବାହ ଏବଂ ନିକାହ ହଲାଲାକୁ ସ୍ୱୀକୃତି ପ୍ରଦାନ କରାଯାଇଥିବାବେଳେ ଏହା ଭାରତ ସମ୍ବିଧାନର ଧାରା ୧୪, ୧୫ ଏବଂ ୨୧ ଉଲ୍ଲଙ୍ଘନ କରୁଥିବା ଘୋଷଣା କରାଯାଉ । ନିକାହ ହଲାଲାକୁ ଭାରତୀୟ ପିଙ୍ଗଳ କୋର୍ଡ (ଆଇପିସି) ଧାରା ୩୭୫ରେ ବଳାତ୍କାର ଓ ବହୁବିବାହକୁ ତିନି ତଲାକ ଭଳି ଆଇପିସି ୪୯୪ରେ ଅପରାଧ ବୋଲି ଘୋଷଣା କରିବାକୁ ସେ ଦାବି କରିଛନ୍ତି । ସେ ଦର୍ଶାଇଛନ୍ତି ଯେ ପୂର୍ବ କାଳରେ ଅବିରତ ଯୁଦ୍ଧ ଯୋଗୁ ବିଧବା ହୋଇଯାଇଥିବା ମହିଳା ଓ ଅନାଥ ପିଲାଙ୍କ ସ୍ଥିତି ସୁଧାରିବାକୁ କୁରାନରେ ବହୁବିବାହ ପ୍ରଥାକୁ ଅନୁମତି ଦିଆଯାଇଥିଲା । ସେ ସମୟ ଅନୁସାରେ ତାହା ଆବଶ୍ୟକ ଥିଲା, ମାତ୍ର ବର୍ତ୍ତମାନ ଏହା ଅନାବଶ୍ୟକ ।

Leave A Reply