ବଡ଼ସାହି: ମୟୂରଭଞ୍ଜ ଜିଲା ବଡ଼ସାହି ଥାନାଧିକାରୀ ବିଶ୍ୱଜ କୁମାର ରାଉତରାୟଙ୍କୁ ସୋମବାର ରାତିରେ ଜିଲା ପୁଲିସ୍ ମୁଖ୍ୟାଳୟକୁ ପ୍ରତ୍ୟାହାର କରି ନିଆଯାଇଛି। ଏସପି ପରମାର ସ୍ମିଥ ପୁରୁଷୋତ୍ତମ ଦାସଙ୍କ ନିର୍ଦେଶ ଅନୁଯାୟୀ ଡ଼ିଆଇବିରୁ ଥାନାକୁ ଏହି ସୂଚନା ମିଳିଛି। ତାଙ୍କ ସ୍ଥାନରେ ବଡ଼ସାହି ଥାନାରେ କାର୍ଯ୍ୟରତ ମହିଳା ସବଇନିସ୍ପେକ୍ଟର ମଞ୍ଜୁଲତା ଧଡ଼ାଙ୍କୁ ଦାୟିତ୍ୱ ନିର୍ବାହ ପାଇଁ ଆଦେଶରେ ଉଲ୍ଲେଖ ରହିଛି। କିଛି ଦିନ ତଳେ ଥାନାଧିକାରୀ ଶ୍ରୀ ରାଉତରାୟ ବଡ଼ସାହି ଥାନାଧିକାରୀ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ହଠାତ ବଦଳି ଆଦେଶକୁ ନେଇ ଭିନ୍ନ ଆଲୋଚନା ଜୋର ଧରିଛି। ମିଥ୍ୟା ମାମଲାରେ ଯୁବକଙ୍କୁ ଗିରଫ ପୂର୍ବକ କୋର୍ଟ ଚାଲାଣ କରିବା, ବାଉଁଶ ବେପାରୀ ଜବତ ଟ୍ରକ ଛଡ଼ାଇ ନେବା ଓ ଜଣେ ମୋରମ ମାଫିଆଙ୍କ ସହିତ ବିବାଦୀୟ ଭାଇରାଲ ଭିଡ଼ିଓ ଘଟଣା ପାଇଁ ଏପରି କାର୍ଯ୍ୟାନୁଷ୍ଠାନ ହୋଇଥିବା ଆଲୋଚନା ହେଉଛି। ତେବେ ସମ୍ବେଦନଶୀଳ ଥାନାରେ ତୁରନ୍ତ ଜଣେ ଦକ୍ଷ ଥାନାଧିକାରୀଙ୍କୁ ନିଯୁକ୍ତି ଦେବା ପାଇଁ ଅଞ୍ଚଳବାସୀ ଦାବି କରୁଛନ୍ତି।
Popular Categories



