କଲୋମ୍ବୋ: ଶ୍ରୀଲଙ୍କା ସିରିଜ ବିସ୍ଫୋରଣ ଘଟଣାରେ ପୁଲିସ ୭୬ ଜଣଙ୍କୁ ଗିରଫ କରିଥିବାବେଳେ ଆଉ ୬ ଜଣଙ୍କ ସନ୍ଦିଗ୍ଧଙ୍କ ଫଟୋ ଜାରି କରିଛି। ସେମାନଙ୍କ ମଧ୍ୟରେ ୩ଜଣ ମହିଳା ଅଛନ୍ତି। ସନ୍ଦିଗ୍ଧମାନଙ୍କ ନାଁ ସହିତ ଫଟୋ ଜାରି କରାଯାଇଛି। ଜନସାଧାରଣ ସେମାନଙ୍କୁ ଧରିବାରେ ସହଯୋଗ କରିବାକୁ ପୁଲିସ ନିବେଦନ କରିଛି।
ଗତ ରବିବାର ଦିନ ଖ୍ରୀଷ୍ଟିୟାନମାନଙ୍କର ଇଷ୍ଟର ପର୍ବ ଥିବାବେଳେ କଲୋମ୍ବୋସ୍ଥିତ କେତେକ ଚର୍ଚ୍ଚ ଏବଂ ହୋଟେଲରେ ଗୋଟିଏ ପରେ ଗୋଟିଏ ୯ଟି ବିସ୍ଫୋରଣ ଘଟିଥିଲା। ଏଥିରେ ୩୫୯ ଜଣଙ୍କ ମୃତ୍ୟୁ ଘଟିବା ସହ ୫୦୦ରୁ ଅଧିକ ଆହତ ହୋଇଥିଲେ। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଏବଂ ନ୍ୟାଶନାଲ ତୋହୀଦ ଜମାତ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲେ। ଘଟଣା ପରଠାରୁ ପୁଲିସ ୭୬ ଜଣଙ୍କୁ ଗିରଫ କରିଛି।



