ପୁଲିସ ତରଫରୁ ସଚେତନତା ଶିବିର

ନର୍ଲା :  ଦେଶ ସ୍ୱାଧୀନ ହେବାର ୭୫ବର୍ଷ ପରେ ପ୍ରଥମ ଥର ପାଇଁ କେସିଙ୍ଗା ଆଦର୍ଶ ଥାନା ତରଫରୁ ପୁଲିସ ସଚେତନତା ଶିବିର ବୁଧବାର ରୁପ୍ରାସ୍ଥିତ ତ୍ରିନାଥ କମ୍ୟୁନିଟି ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ କେସିଙ୍ଗା ଆଦର୍ଶ ଥାନା ଅଧିନସ୍ଥ ନବ ନିଯୁକ୍ତ  ପଲମ ଫାଣ୍ଡି ଅଧିକାରୀ ଶେଖର ଜେନା ଯୋଗଦାନ କରି ପୁଲିସ ଓ ଜନସାଧାରଣ ମଧ୍ୟରେ  କିପରି ସୁସମ୍ପର୍କ ପ୍ରତିଷ୍ଠା ହୋଇପାରିବ ସେ ବାବଦରେ ଉପସ୍ଥିତ ଥିବା ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଏହା ବ୍ୟତୀତ ଶ୍ରୀ ଜେନା ସୁନ୍ଦର ଭାବରେ ଭଜନ ଗାଇ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।
prayash
ପରେ କେସିଙ୍ଗା ଆଦର୍ଶ ଥାନା ଅଧିକାରୀ ସତ୍ୟକୁମାର ନନ୍ଦ ଯୋଗଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ  ଶିବିରରେ ନର୍ଲା ଜୋନ୍ ନଂ ୧ ଜିଲ୍ଲା ପରିଷଦ ସଭ୍ୟା ନମ୍ରତା ସାହୁ ଯୋଗଦେଇ ବର୍ତ୍ତମାନ ଦେଖା ଦେଇଥିବା ପିଲା ଚୋରି ସହ ଅନେକ ଗ୍ରାମରେ ଚୋର ଭୟ ଥିବାରୁ ପୁଲିସ ପାଟ୍ରୋଲିଂ କଡାକଡି କରିବାକୁ ଦାବି କରିଥିଲେ। ପଲମ ଫାଣ୍ଡିରେ ପାଟ୍ରୋଲିଂ ପାଇଁ ଚାରି ଚକିଆ ଗାଡ଼ି ନଥିବାରୁ ଫାଣ୍ଡିକୁ ଚାରି ଚକିଆ ଗାଡ଼ି ଯୋଗାଇ ଦେବାକୁ ଥାନା ଅଧିକାରୀ ଶ୍ରୀ ନନ୍ଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରୁପ୍ରା ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ଶ୍ୟାମ ସୁନ୍ଦର ସେନାପତି ଓ ସମ୍ପାଦକ ଗୌରଚନ୍ଦ୍ର ଭୋଇ ପୁଲିସ ବିଭାଗ ତରଫରୁ ପ୍ରଥମ ଥର ପାଇଁ ସଚେତନତା ଶିବିରର ଆୟୋଜନ କରିଥିବାରୁ ଥାନାଧିକାରୀ ଶ୍ରୀ ନନ୍ଦ ଓ ଫାଣ୍ଡି ଅଧିକାରୀ ଶ୍ରୀ ଶେଖରଙ୍କୁ ଗ୍ରାମ୍ୟ କମିଟି ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ଅନ୍ୟପକ୍ଷରେ ଏହି ବୈଠକରେ ରୁପ୍ରା ପଞ୍ଚାୟତ ସରପଞ୍ଚ  ପ୍ରତିନିଧି ସୁଶାନ୍ତ ସେନାପତି, ଶିକ୍ଷାବିତ୍ ଗୋପାଳ କୃଷ୍ଣ ବେହେରା, ନାଏବ ସରପଞ୍ଚ ଚନ୍ଦ୍ରମଣି ଗୌଡ, ପୂର୍ବ ସରପଞ୍ଚ ଅକୃର ସାହୁ, ରାଜୀବ ସାହୁ, ୱାର୍ଡ଼ ସଭ୍ୟ ବୃନ୍ଦ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ସଚେତନ ନାଗରିକ ଯୋଗଦାନ କରି ନିଜର ମତାମତ ଉପସ୍ଥାପନ କରିଥିଲେ। ଲୋକମାନଙ୍କ ସହ ଧନ ଜୀବନ କିପରି  ସୁରକ୍ଷା ରହିବ  ତଥା ଆଇନ୍ ଶୃଙ୍ଖଳା ପରିସ୍ଥିତି କିପରି ଠିକ୍ ରହିବ ସେଥିପ୍ରତି ପୁଲିସ ବିଭାଗ ତତ୍ପରତା ଦେଖାଇବା ସହ ଅଞ୍ଚଳରେ ପୁଲିସ ପାଟ୍ରୋଲିଂ କଡାକଡି କରାଯିବ ବୋଲି ସୂଚନା ଦେଇଥିଲେ ।  ଏହିଭଳି ସଚେତନତା କାର୍ଯ୍ୟକ୍ରମ ପୁଲିସ ବିଭାଗ ତରଫରୁ ଅଞ୍ଚଳରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇ ଥିବାରୁ ସାଧାରଣ ଜନତା ପ୍ରସଂଶା କରିଛନ୍ତି । ଶେଷରେ ପଲମ ଫାଣ୍ଡି ଅଧିକାରୀ ଶ୍ରୀ ଜେନା ଧନ୍ୟବାଦ ଅର୍ପଣ କରି ଶିବିର ସମାପ୍ତ କରିଥିଲେ।
kalyan agarbati

Comments are closed.