ଟୋକିଓ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂପ୍ରତି ଜାପାନ ଗସ୍ତରେ ଯାଇଥିବାବେଳେ ବିଶ୍ବ ଅର୍ଥନୀତି ପ୍ରସଙ୍ଗରେ ଭାରତ ଓ ଚୀନର ଭୂମିକା ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ୁମୋଦୀ କହିଛନ୍ତି ଯେ ଏସିଆର ଏହି ଦୁଇ ଶକ୍ତିଶାଳୀ ରାଷ୍ଟ୍ର ବିଶ୍ବରେ ଅର୍ଥନୈତିକ ସ୍ଥିରତା ଆଣିପାରିବେ। ତେଣୁ ଭାରତ ଓ ଚୀନ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ସୁଦୃଢ ହେବା ଜରୁରୀ ଏବଂ ଏହା ଆଞ୍ଚଳିକ ଶାନ୍ତି ଓ ବିକାଶ ପ୍ରକ୍ରିୟା ଉପରେ ସକାରାତ୍ମକ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଜାପାନ ଗସ୍ତ ପରେ ଏସ୍ସିଓ ସମ୍ମିଳନୀରେ ଯୋଗଦେବାକୁ ମୋଦୀ ଚୀନ୍ ଗସ୍ତ କରିବେ। ରୁଷ୍ ସହ ବାଣିଜ୍ୟିକ ସମ୍ପର୍କ ବୃଦ୍ଧି ପାଉଥିବାରୁ ଆମେରିକା ବର୍ତ୍ତମାନ ଭାରତ ବିରୋଧରେ ଏକାଧିକ କଟକଣା ଲାଗୁ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ଭାରତ ବିରୋଧରେ ୫୦ ପ୍ରତିଶତ ଆମଦାନୀ ଶୁଳ୍କ ଲାଗୁ କରିଛନ୍ତି। ରୁଷ୍ର ଅର୍ଥନୈତିକ ମେରୁଦଣ୍ଡକୁ ଦୁର୍ବଳ କରିବା ନିମନ୍ତେ ଟ୍ରମ୍ପ ଏଭଳି ଚାଲ୍ ଚଳାଇଥିବା କୁହାଯାଇଛି। ଏହି ପରିପ୍ରେକ୍ଷୀରେ ଏସ୍ସିଓ ସମ୍ମିଳନୀ ଯଥେଷ୍ଟ ଗୁରୁତ୍ବ ରଖୁଛି। ଭାରତ, ଚୀନ ଓ ରୁଷ୍ ବ୍ୟତୀତ ଇରାନ, କାଜାଖସ୍ତାନ, ପାକିସ୍ତାନ, ତାଜିକିସ୍ତାନ, ଉଜ୍ବେକିସ୍ତାନ ଓ ବେଲାରୁଷ ମର୍ତ୍ତମାନ ଏସସିଓ ସଦସ୍ୟ ରହିଛନ୍ତି। ଆମେରିକାର ଏଭଳି କଟକଣାର ମୁକାବିଲା କରିବାକୁ ଭାରତ-ଚୀନ୍-ରୁଷ୍ ବିକଳ୍ପ ମାର୍ଗ ଖୋଜୁଛନ୍ତି। ଏହି ସମ୍ମିଳନୀ ଆମେରିକାର ଚିନ୍ତା ବଢାଇଛି।
ଆମେରିକା ଚାହୁଁଛି ଭାରତ କୌଣସି ପ୍ରକାରେ ରୁଷ୍ ସହ ବାଣିଜ୍ୟିକ କାରବାର ହ୍ରାସ କରୁ ଏବଂ ଆମେରିକା ଇଙ୍ଗିତରେ ବିଦେଶ ନୀତି କାର୍ଯ୍ୟକାରୀ କରୁ। ତେବେ ଭାରତ ମଧ୍ୟ ନିଜ ଜିଦରେ ଅଟଳ ରହିଛି। ଆମେରିକାର ସଖୀ କଣ୍ଢେଇ ସାଜିବାକୁ ଭାରତ ଆଦୌ ପ୍ରସ୍ତୁତ ନାହିଁ। ଶୁଳ୍କ କଟକଣାର ଉଚିତ ମୁକାବିଲା କରାଯିବ ବୋଲି ମୋଦୀ ପୂର୍ବରୁ ଘୋଷଣା କରିସାରିଛନ୍ତି। ଅପରପକ୍ଷରେ ଭାରତ ସହ ସମ୍ପର୍କ ମଜଭୁତ କରିବାକୁ ଚୀନ୍ ମଧ୍ୟ ଆଗ୍ରହୀ ରହିଛି। ସୀମା ବିବାଦରୁ ଊର୍ଦ୍ଧ୍ବକୁ ଉଠି ଭାରତ ସହ ଦ୍ବିପାକ୍ଷିକ ସମ୍ପର୍କରେ ଉନ୍ନତି ଆଣିବାକୁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ତତ୍ପର ହୋଇପଡିଛନ୍ତି। ଏହା ନିଶ୍ଚିତଭାବେ ଭାରତ ପାଇଁ ଶୁଭ ସଙ୍କେତ। ଚଳିତମାସ ଦ୍ବିତୀୟ ସପ୍ତାହରେ ଚୀନ ବିଦେଶ ମନ୍ତ୍ରୀ ୱଙ୍ଗ ୟି ଭାରତ ଆସିଥିବାବେଳେ ମୋଦୀଙ୍କୁ ଭେଟିଥିଲେ। ଏହି ସମୟରେ ଦ୍ବିପାକ୍ଷିକ ସମ୍ପର୍କରେ ଉନ୍ନତି ପାଇଁ ଚୀନ୍ ଆଗ୍ରହୀ ଥିବା ୱଙ୍ଗ କହିଥିଲେ। ଆମେରିକାର ବଡଭାଇପଣିଆ ଆଉ ଚଳିବନି ବୋଲି ବର୍ତ୍ତମାନ ଭାରତ ଓ ଚୀନ୍ ହୃଦୟଙ୍ଗମ କରିସାରିଲେଣି। ଟ୍ରମ୍ପ ଭାରତ ବ୍ୟତୀତ ଚୀନ୍ ଉପରେ ମଧ୍ୟ ବାଣିଜ୍ୟିକ ଶୁଳ୍କ ଲାଗୁ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଦୁଇ ପଡୋଶୀ ରାଷ୍ଟ୍ର ଭାରତ ଓ ଚୀନ୍ ହାତ ମିଳାଇବାକୁ ଉଚିତ ମଣିଛନ୍ତି। ଭାରତ ସହ ସୀମା ବିବାଦ କୌଣସି ପରିସ୍ଥିତିରେ ଲାଭଦାୟକ ହେବ ନାହିଁ ବୋଲି ଚୀନ୍ ବୁଝିସାରିଲାଣି। ତେଣୁ ଭାରତ ସହ ବ୍ୟାବସାୟିକ ସମ୍ପର୍କ ଉନ୍ନତ କରିବାକୁ ଚୀନ୍ ଯଥେଷ୍ଟ ଆଗ୍ରହ ପ୍ରକାଶ କରୁଛି। ଆମେରିକା ତୁଳନାରେ ଭାରତରେ ଚୀନ୍ ସାମଗ୍ରୀ ଅଧିକ ପରିମାଣରେ ବିକ୍ରି ହେଉଛି। ତେଣୁ ଏହି ମାର୍କେଟକୁ ହାତଛଡା କରିବା ବୋକାମି ହେବ ବୋଲି ଚୀନ୍ ହୃଦୟଙ୍ଗମ କରୁଛି।



