ନୂଆଦିଲ୍ଲୀ: ୨୦୨୩ ମସିହାରେ ମଣିପୁର ହିଂସାକାଣ୍ଡ ପରେ ପ୍ରଥମ କରି ଆଜି ମଣିପୁର ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ମଣିପୁରକୁ ଭେଟି ଦେବେ ପ୍ରାୟ ୮ହଜାର ୫ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ । ମଣିପୁର ସାମ୍ପ୍ରଦାୟିକ ହିଂସାରେ ସର୍ବାଧିକ କ୍ଷତିଗ୍ରସ୍ତ ଚୁଡାଚନ୍ଦ୍ରପୁର ଜିଲାରେ ୭ହଜାର ୩ଶହ କୋଟିର ଟଙ୍କାର ପ୍ରକଳ୍ପ ଉଦଘାଟନ କରିବେ ମୋଦୀ । ଏହାସହିତ ବିସ୍ଥାପିତ ପରିବାରଙ୍କ ସହ ଆଲୋଚନା କରିବାକୁ କାର୍ଯ୍ୟକ୍ରମ ରହିଛି । ପରେ ସେ ମୈତେଇ ଅଧ୍ୟୁକ୍ଷିତ ଇମ୍ଫାଲରେ ୧,୨୦୦କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରିବା ସହ କାଙ୍ଗଲା ଫୋର୍ଟରେ ଜନସଭାକୁ ସମ୍ବୋଧନ କରିବେ । ମଣିପୁର ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରଥମେ ମିଜୋରାମର ଅେଇଜଲରେ ୯ହଜାର କୋଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦଘାଟନ କରିବେ । ମୋଦୀଙ୍କ ଗସ୍ତ ପୂର୍ବରୁ ମଣିପୁରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ସେପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ବିଜେପି ଶାନ୍ତି ଓ ଉନ୍ନୟନର ପଦକ୍ଷେପ ବୋଲି କହୁଥିବା ବେଳେ କଂଗ୍ରେସ ଏହାକୁ ସମାଲୋଚନା କରି ପ୍ରତୀକାତ୍ମକ ଓ ସମସ୍ୟା ସମାଧାନରେ ବିଫଳ ଉଦ୍ୟମ ବୋଲି କହିଛି । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କ ମଣିପୁର ଗସ୍ତକୁ ସ୍ୱାଗତ କରି କହିଛନ୍ତି ଯେ ମଣିପୁରର ସମସ୍ୟା ବହୁତ ଦିନ ଧରି ଚାଲିଛି । ପ୍ରଧାନମନ୍ତ୍ରୀ ଏବେ ସେଠାକୁ ଯିବା କିଛି ବଡ କଥା ନୁହେଁ, ଏହା ଏକ ଭଲ କଥା ଯେ ସେ ଏବେ ସେଠାକୁ ଯାଉଛନ୍ତି ।



