www.samajalive.in
Monday, December 15, 2025
26.1 C
Bhubaneswar

ଆରଏସ୍‌ଏସ୍‌ ମୁଖ୍ୟାଳୟ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

ନାଗପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ମହାରାଷ୍ଟ୍ରର ନାଗପୁର ଗସ୍ତରେ ଯାଇଥିବାବେଳେ ଆରଏସ୍‌ଏସ୍‌ ମୁଖ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ଅବସରରେ ମୋଦୀ ଆରଏସ୍‌ଏସ୍‌ ପ୍ରତିଷ୍ଠାତା କେଶବ ବଳିରାମ ହେଡ୍‌ଗେୱାରଙ୍କ ସ୍ମୃତି ମନ୍ଦିର ପରିଦର୍ଶନ କରିବା ସହ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ସୂଚନାଯୋଗ୍ୟ ୨୦୧୪ରେ ପ୍ରଧାନମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିବା ପରେ ମୋଦୀ ପ୍ରଥମ ଥର ଆରଏସ୍‌ଏସ୍‌ ମୁଖ୍ୟାଳୟ ପରିଦର୍ଶନ କରିଛନ୍ତି। ଏଠାକୁ ଗସ୍ତ କରିବାରେ ସେ ହେଉଛନ୍ତି ଦ୍ବିତୀୟ ପ୍ରଧାନମନ୍ତ୍ରୀ। ୨୦୦୦ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଆରଏସ୍‌ଏସ୍‌ ମୁଖ୍ୟାଳୟ ପରିଦର୍ଶନ କରିଥିଲେ। ମୋଦୀ ଏହି ଅବସରରେ ସଂଘ ପରିବାରକୁ ବରଗଛ ସହ ତୁଳନା କରିଛନ୍ତି। ଭାରତୀୟ ସଂସ୍କୃତି, ପରମ୍ପରା ଓ ମୂଲ୍ୟବୋଧକୁ ସୁରକ୍ଷିତ ରଖିବା ଏବଂ ଏହାକୁ ନୂତନ ଶିଖରରେ ପହଞ୍ଚାଇବାରେ ସଂଘର କାର୍ଯ୍ୟ ବାସ୍ତବିକ ପ୍ରଶଂସନୀୟ ବୋଲି ମୋଦୀ କହିଛନ୍ତି। ମୋଦୀ ‘ମାଧବ ନେତ୍ରାଳୟ ପ୍ରିମିୟମ ସେଣ୍ଟର’ରେ ପ୍ରସ୍ତାବିତ ନୂତନ ଅଟ୍ଟାଳିକାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଆରଏସ୍‌ଏସ୍‌ର ପୂର୍ବତନ ମୁଖ୍ୟ ମାଧବ ଗୋଲୱାଲକରଙ୍କ ନାମରେ ଏହି ନେତ୍ରାଳୟର ନାମକରଣ କରାଯାଇଛି। ଆରଏସ୍‌ଏସ୍‌ କେବଳ ଏକ ସଂଗଠନ ନୁହେଁ, ବରଂ ଦେଶର ବିକାଶ ଅଭିଯାନରେ ଏକ ମାଇଲଖୁଣ୍ଟ ବୋଲି ମୋଦୀ କହିଛନ୍ତି। ଦେଶ ବର୍ତ୍ତମାନ ସମ୍ବିଧାନ ପ୍ରଣୟନର ୭୫ ବର୍ଷ ପାଳନ କରୁଥିବାବେଳେ ଆରଏସ୍‌ଏସ୍‌ ତାହାର ଶତବାର୍ଷିକୀ ପାଳନ କରିବାକୁ ଯାଉଛି। ଆରଏସ୍‌ଏସ୍‌ର ପ୍ରତ୍ୟେକ କର୍ମୀ ଦେଶସେବାରେ ନିଜକୁ ନିୟୋଜିତ କରିବା ସୌଭାଗ୍ୟର ବିଷୟ ବୋଲି ମୋଦୀ କହିଛନ୍ତି। ଏମାନେ ନିଜର ସ୍ବାର୍ଥକୁ ବଳି ଦେଇ ଦେଶର ସ୍ବାର୍ଥକୁ ଅଗ୍ରାଧିକାର ଦେଇଥାନ୍ତି। ସଂଘର ଦୁଇ ବଳିଷ୍ଠ ବ୍ୟକ୍ତିତ୍ବ ହେଡ୍‌ଗେୱାର ଓ ଗୋଲୱାଲକରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ତାଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ମୋଦୀ ପର୍ଯ୍ୟଟକ ପୁସ୍ତିକାରେ ଉଲ୍ଲେଖ କରିଛନ୍ତି। ଗସ୍ତ ଅବସରରେ ମୋଦୀ ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ସ୍ମୃତିସ୍ଥଳ ‘ଦୀକ୍ଷାଭୂମି’ ପରିଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୋଦୀଙ୍କ ସହ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ଏବଂ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories