ଜାତିସଙ୍ଘରେ ମୋଦୀ: ଆତଙ୍କବାଦକୁ ନେଇ ରାଜନୀତି ଚଳିବନି

ନ୍ୟୁୟର୍କ: ଜାତିସଙ୍ଘ ସାଧାରଣ ପରିଷଦର ୭୬ତମ ଅଧିବେଶନରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ବୋଧନ ଦେଇ ସିଧାସଳଖ ଆଫଗାନିସ୍ତାନ ପ୍ରସଙ୍ଗ ଉତ୍ଥାପନ ମାଧ୍ୟମରେ ଆତଙ୍କବାଦ ଓ ପାକିସ୍ତାନକୁ ନିଶାଣ କରିଛନ୍ତି। ଆଫଗାନିସ୍ତାନ ମାଟି ଆତଙ୍କବାଦୀଙ୍କ ପାଇଁ ଉପଯୋଗ ନ​‌ ହେଉ ବୋଲି ସେ ଆହ୍ବାନ ଦେବା ସହ ଏଠାରେ ବିଶ୍ବ ସମୁଦାୟ ଚାହୁଁଥିବା ସମଷ୍ଠିଗତ ସରକାର ଗଠନ ହେବା ଓ ତାଲିବାନ ବିଶ୍ବକୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବା ଉଚିତ ବୋଲି ମୋଦୀ ସ୍ପଷ୍ଟ ଭାବେ ଶୁଣାଇଛନ୍ତି।
ଅପରପକ୍ଷରେ ପାକିିସ୍ତାନ ଓ ଚୀନ୍‌ର ନାଁ ନ ନେଇ ମୋଦୀ ଏହି ଆତଙ୍କବାଦର ପ୍ରୋତ୍ସାହକ ରାଷ୍ଟ୍ରକୁ ତୀବ୍ର ସମାଲୋଚନା କରିଛନ୍ତି। ବିଶ୍ବରେ ସମ୍ପ୍ରତି ଚରମପନ୍ଥୀ ଓ ମୌଳବାଦୀଙ୍କ ପକ୍ଷରୁ ବିପଦ ବୃଦ୍ଧି ପାଇବାରେ ଲାଗିଛି। ଆତଙ୍କବାଦ ସମଗ୍ର ବିଶ୍ବ ପାଇଁ ଆହ୍ବାନ ପାଲଟିଛି। ଏହି ପରିପ୍ରେକ୍ଷୀରେ ଆଫଗାନିସ୍ତାନ ପ୍ରସଙ୍ଗରେ ସମ​‌େ​‌ସ୍ତ ଚିନ୍ତା କରିବାର ସମୟ ଆସିଛି। ସେଠାରେ ଆତଙ୍କବାଦକୁ ରାଜନୈତିକ ଅସ୍ତ୍ର କରାଯାଉଛି। କିଛି ଦେଶ ଏଥିରୁ ଫାଇଦା ନେବାକୁ ଉଦ୍ୟମ ଚଳାଇଛନ୍ତି।

ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ ଆସୁଥିବା ରାଷ୍ଟ୍ରଙ୍କ କାରବାର କେବଳ ଭାରତ ପାଇଁ ନୁହେଁ, ସମଗ୍ର ବିଶ୍ବର ଚିନ୍ତା ବଢ଼ାଇଛି। ଆତଙ୍କବାଦ ଏହି ରାଷ୍ଟ୍ରର ଜାତୀୟ ନୀତି ତଥା ଏକ ଅଙ୍ଗ ହୋଇଯାଇଛି। ଆତଙ୍କବାଦୀଙ୍କୁ ପାଳିପୋଷି ରଖୁଥିବା ଦେଶ​ ବିଶ୍ବ ସମ୍ମୁଖରେ ଭିନ୍ନ ରୂପ ଦେଖାଇବା ଦୁର୍ଭାଗ୍ୟଜନକ। ଯେଉଁ ଦେଶ ଆତଙ୍କବାଦକୁ ରାଜନୈତିକ କାର୍ଯ୍ୟରେ ବ୍ୟବହାର କରୁଛନ୍ତି, ସେମାନେ ଜାଣିରଖିବା ଉଚିତ୍ ଯେ, ସେହି ଆତଙ୍କବାଦ ହିଁ ସେମାନଙ୍କ ପାଇଁ ଭୟଙ୍କର ସାଜିପାରେ। ତା ସହିତ ତାଲିବାନ ମଧ୍ୟ ଏହି ସ୍ପଷ୍ଟ କରିବା ଉଚିତ୍ ଯେ, ଆଫଗାନିସ୍ତାନ ମାଟି ଆତଙ୍କବାଦ ପାଇଁ ବ୍ୟବହାର ହେବନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ବ ମଞ୍ଚରୁ କଡ଼ା ସନ୍ଦେଶ ଦେଇଛନ୍ତି।
ଏଥିସହିତ ଆଫଗାନିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁ ଓ ଶିଖ୍‌, ମହିଳା ଓ ଶିଶୁଙ୍କୁ ସୁରକ୍ଷା ଦେବା ଜରୁରୀ ହୋଇପଡ଼ିଛି ବୋଲି ସେ କହିଛନ୍ତି। ବିଶ୍ବ ସମ୍ପ୍ରତି ବିଜ୍ଞାନ ଅଧାରିତ ସାମଗ୍ରିକ ବିକାଶମୂଳକ ଚିନ୍ତନ ଆବଶ୍ୟକ କରୁଛି ବୋଲି ଶ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନିଜର ଅଭିଭାଷଣରେ ଆଜି ଗଣତନ୍ତ୍ରଠୁ ଆରମ୍ଭ କରି କରୋନା ଟିକା ଓ ଆତଙ୍କବାଦ ଉପରେ ନିଜର ମତ ରଖିଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମୋଦୀ ଆଜି ସାରା ବିଶ୍ୱର ଟିକା ନିର୍ମାତାଙ୍କୁ ଭାରତ ଆସି ଟିକା ନିର୍ମାଣ କରିବାକୁ ଆହ୍ୱାନ ଦେଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ଭାରତରେ ଏବେ ଟିକାକରଣ ଆଗେଇ ଚାଲିଛି। ପ୍ରତିଦିନ କୋଟି କୋଟି ଟିକାକରଣ ପାଇଁ ଡିଜିଟାଲ ସହାୟତା ନିଆଯାଉଛି। ତେବେ ଭାରତ ବିଶ୍ୱର ପ୍ରଥମ ଡିଏନଏ ଟିକା ତିଆରି କରିସାରିଛି। ଯାହାକୁ ୧୨ ବର୍ଷରୁ ଅଧିକ ବୟସର ପିଲାମାନେ ନେଇପାରିବେ ବୋଲି ମୋଦୀ କହିଛନ୍ତି। ଏଥିସହିତ ଭାରତର ବୈଜ୍ଞାନିକମାନେ ‘ନାଜାଲ ଭ୍ୟାକ୍ସିନ୍’ ମଧ୍ୟ ପ୍ରସ୍ତୁତ କରିଛନ୍ତି। ଖାଲି ସେତିକି ନୁହେଁ, ମାନବତା ପ୍ରତି ନିଜର ଦାୟିତ୍ୱବୋଧକୁ ବୁଝି ଭାରତ ଏବେ ସାରା ବିଶ୍ୱକୁ ଟିକା ଯୋଗାଇବା ଆରମ୍ଭ କରିଛି। ମୋଦୀ କହିଛନ୍ତି, ମୁଁ ବିଶ୍ୱର ଟିକା ନିର୍ମାତାମାନଙ୍କୁ ଏହି ମଞ୍ଚରୁ ଆମନ୍ତ୍ରିତ କରୁଛି, ସେମାନେ ଭାରତ ଆସନ୍ତୁ, ଆଉ ଟିକା ପ୍ରସ୍ତୁତ କରନ୍ତୁ।

ବକ୍ତବ୍ୟ ମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବିଶ୍ବର ନାନାବିଧ ସମସ୍ୟା ଉପରେ ଦୃଷ୍ଟିପାତ କରିଛନ୍ତି। କରୋନା ମୁକାବିଲା ସହ ଏହା ପରବର୍ତ୍ତୀ ବିଶ୍ବର ପୁନର୍ନିମାଣ, ଅର୍ଥନୀତି, ବିଶୁଦ୍ଧ ପାନୀୟ ଜଳ, ସାମୁଦ୍ରିକ ସୁରକ୍ଷା ଓ ଏହାର ଗଠନମୂଳକ ବିନିଯୋଗ, ଚିରନ୍ତନ ବିକାଶଧାରା ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ବାରୋପ କରିଛନ୍ତି। ଏହି ଅବସରରେ ସେ ଭାରତର ମହାତ୍ମ୍ୟ ବର୍ଣ୍ଣନା କରିବାକୁ ଯାଇ କହିଛନ୍ତି ଯେ, ଏହି ପୁରାତନ ରାଷ୍ଟ୍ରର ବିକାଶ ଦ୍ବାରା ହିଁ ବିଶ୍ବରେ ପୂର୍ଣ୍ଣାଙ୍ଗ ବିକାଶ ପ୍ରତିଫଳିତ ହୋଇପାରିବ। ‘ଭାରତ ଲୋକତନ୍ତ୍ରର ଜନନୀ ଏବଂ ମୁଁ ସେହି ଦେଶରୁ ପ୍ରତିନିଧିତ୍ବ କରୁଛି। ଚଳିତ ବର୍ଷ ଭାରତ ସ୍ବାଧୀନତାର ୭୫ ବର୍ଷ ପାଳନ କରୁଛି। ଆମ ଦେଶର ବିବିଧତା ହିଁ ମଜବୁତ ଲୋକତନ୍ତ୍ରର ପରିଚୟ। ଭାରତର ବିକାଶ ସହିତ ବିଶ୍ବର ବିକାଶ ଚିତ୍ର ବଦଳିଥାଏ; ତେଣୁ ଗଣତନ୍ତ୍ର ହିଁ ବିକାଶ ମାର୍ଗ ବିସ୍ତାର କରିଥାଏ’ ବୋଲି ମୋଦୀ କହିଛନ୍ତି। ଏହି ଅବସରରେ ସେ ରବୀନ୍ଦ୍ର ନାଥ ଠାକୁରଙ୍କ କବିତା ର କିୟଦଂଶ ଅଭିଭାଷଣରେ ଉଦ୍ଧାର କରିଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସନ୍ଧ୍ୟା ୬ଟା ୩୦ରେ ଉଦ୍‌ବୋଧନ ଦେବା ଆରମ୍ଭ କରିବା ମାତ୍ରେ ୧୦୯ଟି ରାଷ୍ଟ୍ରର ଶାସନ ମୁଖ୍ୟ ଅତ୍ୟନ୍ତ ଉତ୍ସୁକତା ଓ ଗମ୍ଭୀରତାର ସହ ତାଙ୍କ ଅଭିଭାଷଣକୁ ଶୁଣୁଥିବା ଲକ୍ଷ୍ୟ କରାଯାଇଥିଲା।

Comments are closed.