ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଏକବିଂଶ ଶତାବ୍ଦୀ ଓ ଏକ ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ୱରେ ଭାରତକୁ ମୁଖ୍ୟ ଭୂମିକା ନିର୍ବାହ କରିବ। ସେଥି ପାଇଁ ନିଜକୁ ସେହି ଅନୁପାତରେ ପରିବର୍ତ୍ତିତ କରିବାକୁ ହେବ। ସ୍ମାର୍ଟ ଇଣ୍ଡିଆ ହାକାଥନରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି, ଏହି ଚିନ୍ତାଧାରା ସହିତ ଦେଶରେ ଏଥିପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି ଦିଗରେ କାର୍ଯ୍ୟ କରାଯାଉଛି। ଏହି ଲକ୍ଷ୍ୟ ହାସଲ ପାଇଁ ନବିକରଣ, ଗବେଷଣା, ଡିଜାଇନ୍, ବିକାଶ ଓ ଉଦ୍ୟୋଗପତି ପ୍ରତିଭା ବିକାଶ ଭଳି କ୍ଷେତ୍ରଗୁଡ଼ିକରେ କାର୍ଯ୍ୟ କରାଯାଉଛି। ସେ କହିଛନ୍ତି, ନୂଆ ଶିକ୍ଷାନୀତି ଏହି ଅଳ୍ପଦିନ ତଳେ ଘୋଷଣା କରାଯାଇଛି ଓ ଏକବିଂଶ ଶତାବ୍ଦୀର ଯୁବପୀଢ଼ିର ଆଶା ଓ ଆକାଂକ୍ଷା, ଚିନ୍ତାଧାରା ଏବଂ ଆବଶ୍ୟକତା ଗୁଡ଼ିକୁ ଦୃଷ୍ଟିରେ ରଖି ଏହାକୁ ପ୍ରସ୍ତୁତ କରାଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା କେବଳ ଏକ ନୀତିଗତ ଦସ୍ତାବିଜ୍ ନୁହେଁ ଏଥିରେ ଦେଶର ୧୩୦କୋଟି ଲୋକଙ୍କର ଆଶା ଓ ଆକାଂକ୍ଷାକୁ ସ୍ଥାନ ଦିଆଯାଇଛି। ସେ କହିଛନ୍ତି, ଏକ ବିଂଶ ଶତାବ୍ଦୀ ଜ୍ଞାନର ଯୁଗ ଓ ସେ ଦୃଷ୍ଟିରୁ ଆମକୁ ଶିକ୍ଷା, ଗବେଷଣା ଓ ନବୀକରଣ ଉପରେ ଅଧିକ ଆଲୋକପାତ କରିବାକୁ ହେବ।
ସେ କହିଛନ୍ତି, ଭାରତର ଜାତୀୟ ଶିକ୍ଷାନୀତି ୨୦୨୦ରେ ଏହିସବୁ ବିଷୟଗୁଡ଼ିକୁ ସ୍ଥାନ ଦିଆଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଜାତୀୟ ଶିକ୍ଷାନୀତିରେ ଦେଶର ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ଆହୁରି ଅଧିକ ସଫଳ ଓ ସୁଦୁର ପ୍ରସାରୀ କରିବାର ବ୍ୟବସ୍ଥାମାନ ରହିଛି। ସେ କହିଛନ୍ତି, ଦେଶର ଶିକ୍ଷା ବ୍ୟବସ୍ଥାରେ ଅଦ୍ଭୁତପୂର୍ବ ସଂସ୍କାର ଅଣାଯାଇଛି ଓ ଶିକ୍ଷା ବ୍ୟବସ୍ଥାର ସମ୍ପୂର୍ଣ୍ଣ ରୂପାନ୍ତରଣ ପାଇଁ ପ୍ରଚେଷ୍ଟା କରାଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ନୂଆ ଶିକ୍ଷା ନୀତିରେ ବିଭିନ୍ନ ପାଠ୍ୟକ୍ରମରେ ଅଧ୍ୟୟନ ପାଇଁ ବ୍ୟବସ୍ଥା କରାଯାଇଛି, ଜଣେ ବିଦ୍ୟାର୍ଥୀ ଯେଉଁ ବିଷୟ ପଢ଼ିବାକୁ ଚାହୁଁଛନ୍ତି ତାହା ତାଙ୍କୁ ଉପଲବ୍ଧ କରାଇବାକୁ ନିଶ୍ଚିତ କରାଯିବ।



