www.samajalive.in
Saturday, December 6, 2025
23.1 C
Bhubaneswar

ପୂର୍ବୋଦୟରୁ ଭାରତର ବିକାଶରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରିବ : ପ୍ରଧାନମନ୍ତ୍ରୀ ମୋଦୀ

ବାରିପଦା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବବର୍ଷ ପ୍ରାରମ୍ଭରେ ଓଡ଼ିଶା ଗସ୍ତରେ ଆସି ପ୍ରାୟ ୪,୫୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ବାରିପଦାର ହାଇସ୍କୁଲ ପଡିଆରେ ଆୟୋଜିତ ସ୍ଵତନ୍ତ୍ର କାର୍ୟ୍ୟକ୍ରମରେ ଏହି ସବୁ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି।
ପୂର୍ବୋଦୟରୁ ଭାରତର ବିକାଶରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
୨୦୧୯ ଓଡ଼ିଶା ଓ ଦେଶର ବିକାଶକୁ ଉଚ୍ଚ ଶିଖରକୁ ନେଇଯାଉ। ଓଡ଼ିଶାର ଉନ୍ନତି ପାଇଁ ୪୫୦୦ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଯେ ବିକାଶ ହିଁ ଆମର ମୂଳ ଲକ୍ଷ୍ୟ। ବିଗତ ସାଢେ ଚାରି ବର୍ଷ ଧରି କେନ୍ଦ୍ର ସରକାର ଦେଶକୁ ବିକାଶ ପଥରେ ଆଗେଇ ନେବା ପାଇଁ କାର୍ଯ୍ୟ କରୁଛନ୍ତି । ଏବେ ଦେଶରେ ବିକାଶର ନୂଆ ଧାରା ଜାରି ରହିଛି ବୋଲି ପ୍ରଧାନମନ୍ତ୍ରୀ ମତ ବ୍ୟକ୍ତ କରିଛନ୍ତି।
ସଂସାଧନ ସଦୁପଯୋଗ କରି ଦେଶର ନବ ନିର୍ମାଣ ଉପରେ ଗୁରୁତ୍ବ ଦିଆଯାଉଛି ବୋଲି ଶ୍ରୀ ମୋଦୀ କହିଛନ୍ତି। ଏହି ସବୁ ବିକାଶର ଫଳ ସମାଜର ପ୍ରତ୍ୟେକ ସ୍ତରର ଲୋକଙ୍କ ବିକାଶ ଉପରେ ପଡ଼ିଥାଏ, ଗରୀବ ଓ ମଧ୍ୟବିତ୍ତ ପରିବାରର ଲୋକ ଏହା ଦ୍ବାରା ଉପକୃତ ହେବେ। ଦେଶରେ ଯୋଗାଯୋଗ ବ୍ୟବସ୍ଥା ପାଇଁ ବିପୁଳ ଅର୍ଥ ବ୍ୟୟ କରାଯାଉଛି। ଉନ୍ନତ ସଡ଼କ, ରେଳ ଚଳାଚଳ, ଶସ୍ତା ବିମାନ ସେବା ମଧ୍ୟବିତ୍ତ ପରିବାରକୁ ଲାଭ ପହଞ୍ଚାଯାଉଛି । ନୂତନ ବର୍ଷରେ ଓଡ଼ିଶାକୁ ୪୫୦୦ କୋଟି ଟଙ୍କାର ପ୍ରକଳ୍ପର ଉପହାର ଦିଆଯାଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି । କେନ୍ଦ୍ର ସରକାର ଓଡ଼ିଶାରେ ଜାତୀୟ ସ୍ତରର ଅନେକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହାଦ୍ବାରା ରାଜ୍ୟବାସୀଙ୍କ ସହିତ ଦେଶବାସୀ ମଧ୍ୟ ଉପକୃତ ହେବେ।

- Advertisement -

ପ୍ରଧାନମନ୍ତ୍ରୀ ୩୩୧୮ କୋଟି ଟଙ୍କାର ଜାତୀୟ ରାଜପଥ-୨୧୫ (ନୂତନ ଏନଏଚ୍-୫୨୦)ର ରିମୁଳି-କୋଇଡା ସେକ୍ସନ୍, କୋଇଡ଼ା-ରାଜାମୁଣ୍ଡା ସେକ୍ସନ୍ ଓ ସିଙ୍ଗଡ଼ା-ବିଞ୍ଜାବାହାଲ ଏନ୍ଏଚ୍-୫(ଏବର ଏନ୍ଏଚ୍-୪୯)ର ୨୦୦ କିମି ରାଜମାର୍ଗକୁ ୪ ଲେନ୍ ବିଶିଷ୍ଟ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସେହିଭଳି ୧୦୮୦ କୋଟି ଟଙ୍କାରେ ୫୧୩ କିମି ବ୍ୟାପୀ ବିଛାଯାଇଥିବା ବାଲେଶ୍ବର-ହଳଦିଆ ସେକ୍ସନର ପାରାଦ୍ବୀପ-ହଳଦିଆ-ଦୁର୍ଗାପୁର ଏଲପିଜି ପାଇପ୍ ଲାଇନର ଲୋକାର୍ପଣ କରିଛନ୍ତି। ଏହାବ୍ୟତୀତ ଟାଟାନଗରରୁ ବାଦାମପାହାଡ଼ ପାସେଞ୍ଜର ଟ୍ରେନ୍ ସେବାର ଲୋକାର୍ପଣ ମଧ୍ୟ କରାଯାଇଛି। ସୂଚନାଯୋଗ୍ୟ, ୧୯୧୧ ମସିହାରୁ ଏହି ଲାଇନ୍ର ଶିଳାନ୍ୟାସ ହୋଇଥିଲା। ସେବେଠାରୁ ଏଥିରେ କେବଳ ଗୋଟିଏ ଟ୍ରେନ୍ ଚଳାଚଳ କରୁଥିଲା।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନରଣପୁର-ବସନ୍ତପୁର ଏବଂ ଚିଲ୍କିଦରା-ଶଗଡ଼ପଟା ଲାଇନ୍ ଏବଂ ବାଲେଶ୍ବରରେ ୨୫ କୋଟି ଟଙ୍କାରେ ନିର୍ମିତ ବହୁମୁଖୀ ଲଜିଷ୍ଟିକ୍ ପାର୍କ (ଏମଏମଏଲପି)କୁ ମଧ୍ୟ ଲୋକାର୍ପଣ କରିଛନ୍ତି। ଭଦ୍ରକ, କଟକ, ଯାଜପୁର, ଆସ୍କା, କେନ୍ଦୁଝର ଓ ଢେଙ୍କାନାଲ ପୋଷ୍ଟ ଅଫିସରେ ପ୍ରତିଷ୍ଠିତ ପାସପୋର୍ଟ ସେବାକେନ୍ଦ୍ର ଗୁଡିକୁ ମଧ୍ୟ ଭିଡିଓ କନ୍ଫରେନ୍ସି ଜରିଆରେ ଲୋକାର୍ପଣ କରିଛନ୍ତି।

ଏହି  କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାସ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ, ମୟୂରଭଞ୍ଜ ସାଂସଦ ରାମଚନ୍ଦ୍ର ସମେତ ଅନେକ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ।

 

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories