ସମାଜ ପୋର୍ଟାଲ ଡେସ୍କ: କରୋନା ସଂକ୍ରମଣ ଦେଶ ପାଇଁ ବିରାଟ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥିବା ବେଳେ, ଅର୍ଥନୈତିକ ଦୃଷ୍ଟିରୁ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇଛି। ଏଭଳି ଅର୍ଥନୈତିକ ପରିସ୍ଥିତିର ମୁକାବିଲା କରିବା ତଥା ପ୍ରଭାବିତ ଲୋକଙ୍କୁ ସୁବିଧା ଯୋଗାଇ ଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର ‘PM CARES’ ପାଣ୍ଠି ଗଠନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ କରୋନା ସଂକ୍ରମଣ ସମଗ୍ର ବିଶ୍ୱ ପାଇଁ ସ୍ୱାସ୍ଥ୍ୟ ସୁରକ୍ଷା ଏବଂ ଅର୍ଥନୈତିକ ସୁରକ୍ଷା କ୍ଷେତ୍ରରେ ଗୁରୁତର ଆହ୍ୱାନ ସୃଷ୍ଟି କରିଛି। ଭାରତରେ ମଧ୍ୟ କରୋନା ସଂକ୍ରମଣ ଦିନକୁ ଦିନ ଉଦବେଗଜନକ ହେଉଛି ଏବଂ ଦେଶ ପାଇଁ ସ୍ୱାସ୍ଥ୍ୟ ଏବଂ ଆର୍ଥିକ କ୍ଷେତ୍ରରେ ପ୍ରତିକୂଳ ପ୍ରଭାବ ପକାଇଛି। ଏଭଳି ଜରୁରୀକାଳୀନ ପରିସ୍ଥିତିରେ ସରକାରଙ୍କୁ ସହାୟତା କରିବା ପାଇଁ ସ୍ୱତଃପ୍ରବୃତ୍ତ ଭାବେ ଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁରୋଧ କରୁଛି।
ପ୍ରାକୃତିକ ହେଉ କି ଅନ୍ୟ କିଛି, ଏଭଳି ପରିସ୍ଥିତିରେ, ପ୍ରଭାବିତମାନଙ୍କ ଦୁଃଖ ଦୂର କରିବା ଏବଂ ଭିତ୍ତିଭୂମି କ୍ଷୟକ୍ଷତିର ଆକଳନ ପାଇଁ ତ୍ୱରିତ ଏବଂ ସାମୂହିକ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ କରୁଛି। PM CARES ଅର୍ଥାତ Prime Minister’s Citizen Assistance and Relief in Emergency Situations Fund (ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଏବଂ ଜରୁରୀକାଳୀନ ପରିସ୍ଥିତି ପାଣ୍ଠି) ଏକ ସାର୍ବଜନୀନ ଚାରିଟେବୁଲ ଟ୍ରଷ୍ଟ ଓ ଏହା ପ୍ରଭାବିତ ଲୋକଙ୍କୁ ରିଲିଫ ଯୋଗାଇବା ପାଇଁ ଉଦ୍ଦିଷ୍ଟ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ଏହି ଟ୍ରଷ୍ଟରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷ ଏବଂ ପ୍ରତିରକ୍ଷା ମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ ସଦସ୍ୟ ଅଛନ୍ତି।
ଯେ କେହି ନାଗରିକ ଏବଂ ସଂଗଠନ pmindia.gov.in ୱେବସାଇଟକୁ ଯାଇ କେତେକ ବିବରଣୀ ବ୍ୟବହାର କରି PM CARES ପାଣ୍ଠିକୁ ଦାନ କରାଯାଇପାରିବ:
ଆକାଉଣ୍ଟ ନାମ: PM CARES
ଆକାଉଣ୍ଟ ନମ୍ବର: 2121PM20202
ଆଇଏଫଏସସି କୋଡ୍: SBIN0000691
ସ୍ବିଫ୍ଟ କୋଡ୍: SBININBB104
ବ୍ୟାଙ୍କ ଓ ଶାଖାର ନାମ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ନୂଆଦିଲ୍ଲୀ ମୁଖ୍ୟ ଶାଖା
ୟୁପିଆଇ ଆଇଡି: pmcares @ sbi
ଏଥିରେ ଡେବିଟ୍ କାର୍ଡ ଏବଂ କ୍ରେଡିଟ୍ କାର୍ଡ, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଏବଂ ୟୁପିଆଇ (ଭୀମ, ଫୋନ୍ ପେ, ଆମାଜନ ପେ, ଗୁଗୁଲ୍ ପେ, ପେଟିଏମ୍, ମୋବିକୱିକ୍) ଦ୍ୱାରା ପେମେଂଟ କରାଯାଇପାରିବ। ଏହି ପାଣ୍ଠିକୁ ଦାନ ଧାରା ୮୦ (ଜି) ଅନୁଯାୟୀ ଆୟକର ମୁକ୍ତ କରାଯାଇଥିବା ଜଣାପଡିଛି।



