୧୦ମାସ ହେଲା ଖେଳାଳିଙ୍କୁ ପାଉଣା ଦେଇନାହିଁ ବିସିସିଆଇ
ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ଼ (ବିସିସିଆଇ)କୁ ବିଶ୍ଵର ସବୁଠୁ ଧନୀ କ୍ରିକେଟ ବୋର୍ଡ଼ ଭାବରେ ଗଣାଯାଏ । ମାତ୍ର କରୋନା ଯୋଗୁଁ ବିସିସିଆଇ ମଧ୍ୟ ସଙ୍କଟରେ ପଡ଼ିଥିବା ଦେଖାଯାଇଛି । ଯେଉଁଠି ବିଶ୍ଵର ବିଭିନ୍ନ କ୍ରିକେଟ୍ ବୋର୍ଡ଼ (ଶ୍ରୀଲଙ୍କା, ବଙ୍ଗଳାଦେଶ, ଦକ୍ଷିଣ ଆଫ୍ରିକା, ୱେଷ୍ଟ ଇଣ୍ଡିଜ) ବିସିସିଆଇଠାରୁ ଆର୍ଥିକ ସହାୟତା ଆଶାରେ ଅଛନ୍ତି ସେଠାରେ ଏପରି ଏକ ଖବର ପହଞ୍ଚିଛି ଯାହା ଭାରତୀୟ କ୍ରିକେଟ ପ୍ରଶଂସକମାନଙ୍କୁ ଭୟଭୀତ କରିବାକୁ ଯଥେଷ୍ଟ । ବିସିସିଆଇ ଭାରତୀୟ ଦଳର ଛାମୁଆଁ ଖେଳାଳି ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧାୱନଙ୍କ ସମେତ ବହୁ ଖେଳାଳିଙ୍କୁ ଗଲା ୧୦ ମାସ ହେଲା ଦରମା ଦେଇପାରି ନାହିଁ ।
ଇଂରାଜୀ ଖବରକାଗଜ ଇଣ୍ଡିଆ ଏକ୍ସପ୍ରେସରେ ପ୍ରକାଶିତ ଏକ ଖବର ଅନୁସାରେ ବିସିସିଆଇ ୨୭ ଭାରତୀୟ ଖେଳାଳିଙ୍କୁ ସହ ବାର୍ଷିକ ଚୁକ୍ତି କରିଛି । ଯେଉଁମାନଙ୍କୁ ଅକ୍ଟୋବର ମାସ ପରେ ଦରମା ଦିଆଯାଇ ନାହିଁ । କେବଳ ସେତିକି ନୁହେଁ ଏହି ଖେଳାଳିମାନଙ୍କୁ ୨ ଟେଷ୍ଟ, ୯ ଦିନିକିଆ ଓ ୮ ଟି-ଟ୍ବେଣ୍ଟି ମ୍ୟାଚର ଫି ମଧ୍ୟ ମିଳିନାହିଁ। ରିପୋର୍ଟ ଅନୁସାରେ ଏହି ଖେଳାଳିମାନଙ୍କର ୯୯ କୋଯି ଟଙ୍କା ବିସିସିଆଇ ଉପରେ ବାକି ରହିଛି ।
୨୦୧୮ ଆର୍ଥିକ କାରବାର ସମ୍ପର୍କରେ ପ୍ରକାଶିତ ରିପୋର୍ଟ ଅନୁସାରେ ବିସିସିଆଇ ନିକଟରେ ୫୫୨୬ କୋଟି ଟଙ୍କା ନଗଦ ତଥା ବ୍ୟାଙ୍କ ଜମା ରହିଥିଲା । ଏହା ମଧ୍ୟରେ ୨୯୯୨ କୋଟି ଟଙ୍କା ସ୍ଥାୟୀ ଜମା ରହିଛି । ୨୦୧୮ ଅପ୍ରେଲ ମାସରେ ବିସିସିଆଇ ଷ୍ଟାର ଇଣ୍ଡିଆ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ୫ ବର୍ଷ ପାଇଁ ବିସିସିଆଇକୁ ଷ୍ଟାର ଇଣ୍ଡିଆ ୬୧୩୮ କୋଟି ଟଙ୍କା ଦେବ । ଏହା ସତ୍ବେ ବିସିସିଆଇ ଖେଳାଳିଙ୍କ ବକେୟା ରାଶି ପଇଠ କରିପାରି ନାହିଁ । ୮ ଜଣ ଖେଳାଳି ବକେୟା ପାଇ ନ ଥିବା ମଧ୍ୟ ସ୍ବୀକାର କରିଛନ୍ତି ।
ବିସିସିଆଇ ୩ଟି ବର୍ଗରେ ଖେଳାଳିଙ୍କ ସହ ଚୁକ୍ତି କରିଛି । ବିରାଟ, ରୋହିତ, ବୁମରା ପ୍ରମୁଖ ଏ ପ୍ଲସ ଗ୍ରେଡ଼୍ରେ ରହିଛନ୍ତି । ଯେଉଁମାନଙ୍କୁ ବାର୍ଷିକ ୭ କୋଟି ଟଙ୍କା ମିଳୁଛି । ସେହିପରି ଅନ୍ୟ ଏ ଗ୍ରେଡ଼ ଖେଳାଳିଙ୍କୁ ବାର୍ଷିକ ୫ କୋଟି, ବି ଗ୍ରେଡ଼ ଖେଳାଳିଙ୍କୁ ୩ କୋଟି ଓ ସିଗ୍ରେଡ଼୍ ଖେଳାଳିଙ୍କୁ ୧ କୋଟି ଟଙ୍କା ମିଳିଥାଏ । ଏହାବ୍ୟତୀତ ଖେଳାଳିଙ୍କୁ ମ୍ୟାଚ୍ ଫି ବାବଦରେ ଟେଷ୍ଟ ନିମନ୍ତେ ୧୫ ଲକ୍ଷ, ଦିନିକିଆ ପାଇଁ ୬ ଲକ୍ଷ ଓ ଟି-୨୦ ନିମନ୍ତେ ୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ ।
Comments are closed.