ନୂଆଦିଲ୍ଲୀ: ଭାରତ ସହ ଚୀନର ଗଲୱନ ବିବାଦ ଠାରୁ ଦେଶରେ ଚୀନ ଉତ୍ପାଦ ବର୍ଜନ ନେଇ ଉଠିଥିବା ଅଭିଯାନ ଜୋର ଧରିଛି। ଚଳିତ ଥର ରକ୍ଷା ବନ୍ଧନରେ ଚୀନ ନିର୍ମିତ ରାକ୍ଷୀକୁ ଭାରତୀୟମାନେ ସମ୍ପୂର୍ଣ ଭାବେ ପରିତ୍ୟାଗ କରିଛନ୍ତି। ବଜାରରେ କିମ୍ବା ଅନଲାଇନରେ ଆଉ ପୂର୍ବଭଳି ଲୋକେ ଅର୍ଡର କରି ନାହାନ୍ତି ଚୀନ ରାକ୍ଷୀ। ତେବେ ରାକ୍ଷୀକୁ ବର୍ଜନ ଜରିଆରେ ଭାରତ ଏବେ ଚୀନକୁ ଦେଇଛି ଆଉ ୪ ହଜାର କୋଟି ଟଙ୍କାର ବ୍ୟବସାୟିକ ଝଟକା।
ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ପକ୍ଷରୁ ଗତ ଜୁନ ୧୦ରେ ଚାଇନା ନିର୍ମିତ ଉତ୍ପାଦର ବର୍ଜନ ନେଇ ଆହ୍ଵାନ ଦିଆଯାଇଥିଲା ଯାହାକୁ ଏବେ ଅପୂର୍ବ ସଫଳତା ମିଳିଛି। ଚଳିତ ବର୍ଷର ରାକ୍ଷୀ ପର୍ବକୁ ହିନ୍ଦୁସ୍ତାନ ରାକ୍ଷୀ ପର୍ବ ଭାବେ ପାଳନ କରିବାକୁ ସଂଘ କହିଥିଲା। ଏମିତିକି ଚଳିତ ଥର ଜଣେ ବି ବ୍ୟବସାୟୀ ରାକ୍ଷୀ ପ୍ରସ୍ତୁତକାରୀ ଦ୍ରବ୍ୟ ଚାଇନରୁ ଆମଦାନୀ କରି ନ ଥିଲେ। ଏହା ଫଳରେ ଦେଶରେ ଘରୋଇ ଭାବେ ରାକ୍ଷୀ ପ୍ରସ୍ତୁତି ପାଇଁ ଲୋକେ ବେଶୀ ଆଗ୍ରହ ଦେଖାଇଥିଲେ। ଅନେକ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଓ ଅଙ୍ଗନବାଡି କର୍ମୀମାନେ ଦେଶରେ ଏକ କୋଟିରୁ ଅଧିକ ରାକ୍ଷୀ ତିଆରି କରିଛନ୍ତି।
ଏ ସମ୍ପର୍କରେ ସିଏଆଇଟିର ଅଧକ୍ଷ୍ୟ ବି.ସି. ଭରତିଆ କହିଛନ୍ତି ଯେ, ପ୍ରତ୍ୟେକ ବର୍ଷ ଦେଶରେ ୫୦ ହଜାର କୋଟି ଟଙ୍କାର ରାକ୍ଷୀ କାରବାର ହୋଇଥାଏ। ଏଥିରେ ୬ ହଜାର କୋଟିର ରାକ୍ଷୀ ପ୍ରସ୍ତୁତକାରୀ ଦ୍ରବ୍ୟ ଆବଶ୍ୟକ ହୋଇଥାଏ। ଏଥିରୁ କେବଳ ଚାଇନାରୁ ୪ ହଜାର କୋଟି ଟଙ୍କାର ରାକ୍ଷୀ ପ୍ରସ୍ତୁତିରେ ଆବଶ୍ୟକ ସାମଗ୍ରୀ ଆମଦାନୀ କରାଯାଇଥାଏ। ଚଳିତ ଥର ଚୀନ ଉତ୍ପାଦ ବର୍ଜନ ବଡ ଝଟକା ପହଞ୍ଚିଛି। ଏହା ପୂର୍ବରୁ ଭାରତ ଚୀନର ୫୯ ଆପ ଏବଂ ଏହାର କ୍ଲୋନ ୪୭ ଆପ ଉପରେ କଟକଣା ଲଗାଇଥିଲା।



