ପିପିଲି :ପୁରୀ ଜିଲାର ପିପିଲି ଦେଇ ପ୍ରବାହିତ ଦୟାନଦୀର ଭାରତୀପୁର ଓ କଣ୍ଟି କାଜରୁ ନିର୍ଗତ ବନ୍ୟାଜଳ ଯୋଗୁଁଁ ପ୍ରତ୍ୟେକ ବର୍ଷ ପିପିଲି ଓ ଡେଲାଙ୍ଗ ବ୍ଳକରେ ସୃଷ୍ଟି ହେଉଥିବା ବନ୍ୟା ପରିସ୍ଥିତିର ସମାଧାନ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ। ଦୟାନଦୀର ଭାରତୀପୁର ଓ କଣ୍ଟି ଠାରେ ଥିବା ଦୁଇଟି ଯାକ କାଜ ସମସ୍ୟାର ସମାଧାନ ଖୁବ୍ ଶିଘ୍ର କରାଯିବ। ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ (ପ୍ଲାନିଂ ଆଣ୍ଡ ଡିଜାଇନ୍) ଲିଙ୍ଗରାଜ ଗୌଡଙ୍କ ନେତୃତ୍ୱରେ ଶନିବାର ଦିନ ଏକ ବୈଷୟିକ ଟିମ୍ ସ୍ଥାନୀୟ ବିଧାୟକଙ୍କ ସହ ଦୟାନଦୀର ଉଭୟ କାଜକୁ ପରିଦର୍ଶନ କରିବା ପରେ ଦୀର୍ଘ ବର୍ଷର ସମସ୍ୟାର ସମାଧାନ ହେବା ନେଇ ସାଧାରଣରେ ଆଶା ଉଜ୍ୱଳ ହୋଇଛି।
ଶନିବାର ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ (ପ୍ଲାନିଂ ଆଣ୍ଡ ଡିଜାଇନ୍) ଲିଙ୍ଗରାଜ ଗୌଡଙ୍କ ନେତୃତ୍ୱରେ ଜଳସଂପଦ ବିଭାଗର ମୁଖ୍ୟଯନ୍ତ୍ରୀ (ପ୍ଲାନିଂ) ସାଗର ମହାନ୍ତି, ମୁଖ୍ୟଯନ୍ତ୍ରୀ (ଡିଜାଇନ୍) ଚନ୍ଦ୍ରକାନ୍ତ ପଣ୍ଡା, ମୁଖ୍ୟଯନ୍ତ୍ରୀ (ମହାନଦୀ, କାଠଯୋଡି ଅବବାହିକା) ଦିଲିପ ରାଉତ ପ୍ରମୁଖ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ସହ ଦୟାନଦୀର ଭାରତୀପୁର ଓ କଣ୍ଟି କାଜକୁ ପରିଦର୍ଶନ କରିଥିଲେ। ଉଭୟ କାଜର ପରିଚାଳନାଗତ ସମସ୍ୟା ଓ ଏଥିଯୋଗୁଁଁ ସୃଷ୍ଟି ହେଉଥିବା ବନ୍ୟା ପରିସ୍ଥିତି ଯୋଗୁଁଁ କ୍ଷୟକ୍ଷତି ସଂପର୍କରେ ବିଧାୟକ ଶ୍ରୀ ପଟ୍ଟନାୟକ ସେମାନଙ୍କୁ ଅବଗତ କରାଇଥିଲେ। ଉକ୍ତ ଦୁଇ କାଜର ଉଚ୍ଚତାକୁ ବୃଦ୍ଧି କରାଯାଇ ଏହାର ସୁପରିଚାଳନା କରାଗଲେ ଅଳ୍ପ ପାଣିରେ ବନ୍ୟା ପରିସ୍ଥିତିକୁ ଏଡାଇ ଦିଆଯାଇପାରିବ ବୋଲି ସ୍ଥାନୀୟ ଜନସାଧାରଣ ମତବ୍ୟକ୍ତ କରିଥିଲେ।
ଉଭୟ କାଜକୁ ଉକ୍ତ ବୈଷୟିକ ଟିମ୍ ଟିକିନିଖି ଭାବେ ଅନୁଧ୍ୟାନ କରିଥିଲେ। ଏହି ସମସ୍ୟାର ସ୍ଥାୟୀ ସମାଧାନ କିପରି ହେବ ସେନେଇ ବୈଷୟିକ ଅନୁଧ୍ୟାନ କରାଯାଇ ଖୁବ୍ଶିଘ୍ର ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଶ୍ରୀଗୌଡ ସୂଚନା ଦେଇଛନ୍ତି। ଏହି ଗସ୍ତ ସମୟରେ ପିପିଲି ସାଂସ୍କୃତିକ ପରିଷଦର ମୁଖ୍ୟ ଉପଦେଷ୍ଠା ଲେପ୍ଟନାଣ୍ଟ ଜେନେରାଲ ନାରାୟଣ ମହାନ୍ତି, ସାଧାରଣ ସଂପାଦକ ତଥା ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ରମେଶ ଚନ୍ଦ୍ର ମହାପାତ୍ର, ସହସଂପାଦକ ଦୀନବନ୍ଧୁ ବେହୁରା ପ୍ରମୁଖ ଉପସ୍ଥିତ ଥିଲେ।
ପିପିଲି ଦେଇ ପ୍ରବାହିତ ଦୟାନଦୀର ଭାରତୀପୁର ଓ କଣ୍ଟି ଠାରେ ଥିବା କାଜରୁ ନିର୍ଗତ ହେଉଥିବା ବନ୍ୟାଜଳ ଯୋଗୁଁଁ ପିପିଲି ଓ ଡେଲାଙ୍ଗ ବ୍ଲକର ୧୫ରୁ ଊର୍ଦ୍ଧ୍ବ ପଞ୍ଚାୟତ ପ୍ରଭାବିତ ହୋଇଥାଏ। ମହାନଦୀର ମୁଣ୍ଡଳୀ ଠାରେ ୮ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବାମାତ୍ରେ ଦୟାନଦୀର ଏହି ଦୁଇଟି କାଜରୁ ବନ୍ୟାଜଳ ନିର୍ଗତ ହୋଇ ପିପିଲି-ଜଟଣୀ ରାସ୍ତାର ଭାରତୀପୁର, ମାଧିପୁର ଓ କଣ୍ଟି ଠାରେ ୪ଫୁଟ୍ ଉଚ୍ଚତାରେ ପ୍ରବାହିତ ହୋଇଥାଏ।
ଫଳରେ ଏହି ରାସ୍ତା ଦେଇ ଗମନାଗମନ ସଂପୂର୍ଣ୍ଣ ବନ୍ଦ ହୋଇଯିବା ସହ ପିପିଲି ଓ ଡେଲାଙ୍ଗ ବ୍ଳକର ହଜାର ହଜାର ହେକ୍ଟର ଚାଷଜମି ସଂପୂର୍ଣ୍ଣ ଜଳପ୍ଲାବିତ ହୋଇଥାଏ। ଅନେକ ଜମିରେ ବାଲି ମାଡିଯିବା ସହ ଏକାଧିକ ଗ୍ରାମ ଜଳବନ୍ଦୀ ହୋଇ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଥାଏ। ଏହି ଦୁଇଟି କାଜକୁ ନେଇ ଉଭୟ ବ୍ଳକର ବାସିନ୍ଦା ପ୍ରତ୍ୟେକ ବର୍ଷ ଅନେକ କ୍ଷତି ସହୁଥିବା ବେଳେ ବହୁ ପଞ୍ଚାୟତ ଏହା ଦ୍ୱାରା ପ୍ରଭାବିତ ହେବା ସହ ଫସଲ ନଷ୍ଟ ହେଉଛି।
ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଅଞ୍ଚଳବାସୀ ଦୀର୍ଘବର୍ଷ ଧରି ଦାବି କରିଆସୁଥିବା ବେଳେ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ ଏନେଇ ଗତ ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ। ଏପରିକି ନିର୍ବାଚନ ସମୟରେ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଶ୍ରୀପଟ୍ଟନାୟକ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।



