ବିଲରେ ପଡ଼ିଛି କଟା ଧାନ, ଚିନ୍ତା ବଢ଼ାଇଲା ଲଘୁଚାପ ବର୍ଷା

ପିପିଲି: ଲଘୁଚାପଜନିତ ବର୍ଷା ଯୋଗୁଁଁ ପିପିଲି ଅଞ୍ଚଳରେ ବ୍ୟାପକ ଫସଲ ହାନୀ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଶୁକ୍ରବାର ପୂର୍ବାହ୍ନରୁ ପିପିଲି ଓ ଏହାର ଆଖପାଖ ଅଞ୍ଚଳରେ ଝିପିଝିପି ବର୍ଷା ସାଙ୍ଗକୁ ହାଲୁକା ପବନ ଜାରି ରହିଛି। ବର୍ଷା ଯୋଗୁଁଁ ଶୀତର ପ୍ରକୋପ ବଢ଼ି ଯାଇଥିବାବେଳେ ଲୋକେ ଘରୁ ପଦାକୁ ବାହାରି ପାରୁନାହାନ୍ତି। ଅଧିକାଂଶ ଜମିରେ ବର୍ଷାଜଳ ଲହଡ଼ି ଭାଙ୍ଗୁଥିବାବେଳେ ପନିପରିବା ସାଙ୍ଗକୁ ଫୁଲ ଚାଷ ଉଜୁଡ଼ି ଯିବାର ନିଶ୍ଚିତ ଆଶଙ୍କା ସୃଷ୍ଟି ହୋଇଛି। ପିପିଲି ଅଞ୍ଚଳର ପ୍ରାୟ ୭୦ ପ୍ରତିଶତ ଜମିରେ ଏପର୍ଯ୍ୟନ୍ତ ଧାନ କଟା ହୋଇନାହିଁ। ବହୁ ଜମିରେ ଧାନ କଟା ହୋଇ ପଡ଼ିଥିବାବେଳେ ଏହି ବର୍ଷାରେ ସେସବୁ ନଷ୍ଟ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଏହାକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ଚଳିତ ବର୍ଷ ଭଲ ଧାନଫସଲ ହୋଇଥିବାବେଳେ ଧାନ ଅମଳ କରିବାରେ ଏହି ଲଘୁଚାପଜନିତ ବର୍ଷା କାଳ ସାଜିଛି। ବର୍ଷାକୁ ଡରି କେତେକ ଚାଷୀ ନୟାନ୍ତ ହୋଇ ବଡ଼ ଧାନକଟା ମେସିନ ଦ୍ୱାରା ତରବରିଆ ଭାବେ ଜମିରୁ ଧାନ ଅମଳ କରି ଦେଇଥିଲେ ମଧ୍ୟ ଧାନକୁ ଖରାରେ ଶୁଖାଇ ପାରିନାହାନ୍ତି। ଅମଳ ଅପେକ୍ଷାରେ ଥିବା ଅଧିକାଂଶ ଜମିର ଧାନ ଏହି ବର୍ଷା ଓ ପବନ ମାଡରେ ତଳେ ପଡ଼ି ପାଣିରେ ବୁଡି ଯାଇଥିବା ପରିଲକ୍ଷିତ ହୋଇଛି।

ତେବେ ବର୍ଷା ଯୋଗୁଁଁ ଅନେକ ଜମିରେ ପାଣି ଜମି ରହିଥିବାବେଳେ ପନିପରିବା ଚାଷ ଉଜୁଡି ଯିବାର ସମ୍ଭାବନା ସୃଷ୍ଟି ହୋଇଛି। ଅଧିକାଂଶ ଜମିରେ ହୋଇଥିବା କୋବି, ଶାଗ, ବିନ୍‌‌, କଲରା, ଝୁଡଙ୍ଗ, ଲଙ୍କା, ଟମାଟୋ, ବାଇଗଣ, ମୁଳା ଆଦି ଫସଲ ଉଜୁଡ଼ି ଯାଇଥିବାବେଳେ ଏହା ଚାଷୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ବର୍ଷା ଓ ପବନ ମାଡରେ ଅନେକ ଜମିରେ ପନିପରିବା ଗଛ ମାଟିରେ ମିଶିଯାଇଥିବା ପରିଲକ୍ଷିତ ହୋଇଛି। ବିଭିନ୍ନ ସୂତ୍ରରୁ ଧାରକରଜ କରି ପନିପରିବା ଚାଷ କରିଥିବା ଗରୀବ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଉପରେ ଏହି ଲଘୁଚାପ ବର୍ଷା ପ୍ରତିକୂଳ ପ୍ରଭାବ ପକାଇଥିବା କୁହାଯାଉଛି। ଏହି ବର୍ଷାରେ ଫୁଲଚାଷ ମଧ୍ୟ ଉଜୁଡି ଯାଇଥିବା ବେଳେ ଖୋଲାସ୍ଥାନରେ କରାଯାଇଥିବା ଛତୁଚାଷ ମଧ୍ୟ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି। ବର୍ଷା ଯୋଗୁଁଁ ପିପିଲି ସାପ୍ତାହିକ ହାଟରେ ମଧ୍ୟ ବ୍ୟବସାୟୀ, ଚାଷୀ ଓ ଗ୍ରାହକଙ୍କ ଅଭାବ ପରିଲକ୍ଷିତ ହୋଇଥିଲା। ଏଥିଯୋଗୁଁଁ ଶୁକ୍ରବାର ପିପିଲିର ବିଭିନ୍ନ ସ୍ଥାନରେ ଦୋକାନବଜାର ବନ୍ଦ ରହିଥିବା ବେଳେ ବଜାରଘାଟ ଖାଁଖାଁ ଲାଗୁଥିଲା। ବର୍ଷାରେ ଲୋକେ ଘରୁ ବାହାରି ପାରିନଥିବା ବେଳେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ମଧ୍ୟ ଖାଁ ଖାଁ ଲାଗୁଥିଲା।

Comments are closed.