ପୁରୀ ପୁଲିସକୁ ବଡ ସଫଳତା ; ଡକାୟତି ଘଟଣାର ପର୍ଦ୍ଦାଫାଶ

ପିପିଲି : ପୁରୀ ଜିଲାର ଅସ୍ତରଙ୍ଗ, ବଳଙ୍ଗା ଓ କୋଣାର୍କ ଥାନା ଅଞ୍ଚଳରେ ଡକାୟତି କରି ଆତଙ୍କ ସୃଷ୍ଟି କରିଥିବା ଏକ ଆନ୍ତଃଜିଲା ଡକାୟତ ଗୋଷ୍ଠୀର ୧୧ ଜଣ ସଦସ୍ୟଙ୍କୁ ଗିରଫ କରିବାରେ ପୁରୀ ପୁଲିସକୁ ସଫଳତା ମିଳିଛି। ସେମାନଙ୍କ ଠାରୁ ୪୬୨ ଗ୍ରାମ ସୁନା ଅଳଙ୍କାର, ୫୬୬ ଗ୍ରାମ ରୂପା ଅଳଙ୍କାର, ୧୮ ଲକ୍ଷ ୧୬ ହଜାର ଟଙ୍କା, ୨ଟି ବନ୍ଧୁକ, ଗୋଟିଏ ଜୀବନ୍ତ ଗୁଳି, ୭ଟି ଜୀବନ୍ତ ବୋମା, ୧୬ଟି ଖଣ୍ଡା, ଗୋଟିଏ ଲୁହା ରଡ, ଡକାୟତିରେ ବ୍ୟବହାର କରାଯାଇଥିବା ଏକ ବାଇକ, ଗୋଟିଏ ସ୍କର୍ପିଓ ଗାଡି ଆଦିକୁ ପୁଲିସ ଜବତ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ପିପିଲି ଥାନା ଭବାନୀପୁର ଅଞ୍ଚଳର ହାପିଜ୍‌‌ ଖାଁ (୨୬), ଆୟୁବ ଖାଁ ଓରଫ କାଲା ବାବୁ (୩୯), ଅସିଫ ଖାଁ (୨୪), ଏମ୍‌‌ଡି ଅରମାନ ଓରଫ ଅରମାନ ସା (୨୭), ନରସିଂହପୁର ଅଞ୍ଚଳର ରାହୁଲ ସା (୨୬), ଉମରାନ ସା, ସାତଶଙ୍ଖ ସୁବଳପୁର କଲୋନୀର ଜଗନ୍ନାଥ ପଶୁପାଳକ ଓରଫ ଜଗା (୨୧), ଦାନୋଗହିର ଗ୍ରାମର ଅସଲମ ଖାଁ ଓରଫ ଅଲ୍ଲୀ (୨୩), ଖୋର୍ଦ୍ଧା ଜିଲା ବାଲିଅନ୍ତା ଥାନା ଅନ୍ତର୍ଗତ ନହରକଣ୍ଟା ଅଞ୍ଚଳର ଶୁଭ୍ରଜିତ ପରିଡା ଓରଫ ପିଣ୍ଟୁ (୩୮), ବଳଙ୍ଗା ଥାନା ନୂଆପଡା ଅଞ୍ଚଳର ରଶ୍ମିରଞ୍ଜନ ସାମନ୍ତରାୟ ଓରଫ ଦିଲୁ (୪୦) ଏବଂ ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଅସନ ଅଞ୍ଚଳର ପ୍ରଦୀପ୍ତ ଖୁଣ୍ଟିଆ ଓରଫ କୁଲୁ (୪୩)। ଏହି ଅଭିଯୁକ୍ତଙ୍କ ମଧ୍ୟରୁ ବଳଙ୍ଗା ଡକାୟତି ଘଟଣାରେ ୬ଜଣ, କୋଣାର୍କ ଡକାୟତି ଘଟଣାରେ ୩ଜଣ, ଅସ୍ତରଙ୍ଗ ଡକାୟତି ଘଟଣାରେ ଜଣେ ଓ ପିପିଲି ଥାନା ଅପରାଧିକ ମାମଲାରେ ଜଣେ ଗିରଫ ହୋଇଥିବା ସୂଚନା ମିଳିଛି।

ନଦୀରେ ଡଙ୍ଗା ବୁଡି ୪ ମୃତ


ଏ ସଂପର୍କରେ ସୋମବାର ଅପରାହ୍ନରେ ପିପିଲି ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ଏସ୍‌‌ପି ପିନାକ ମିଶ୍ର ସୂଚନା ଦେଇଥିଲେ ଯେ, ଗତ ୬ ତାରିଖ ବିଳମ୍ବିତ ରାତିରେ ବଳଙ୍ଗା ଥାନା ଅନ୍ତର୍ଗତ ସରସ୍ୱତୀପୁର ପଞ୍ଚାୟତ ଦକ୍ଷିଣସାହିର ଡାକ୍ତର ରବିନ୍ଦ୍ର କୁମାର ମହାପାତ୍ରଙ୍କ ଘରୁ ସଶସ୍ତ୍ର ଡକାୟତି ହୋଇଥିଲା। ଡକାୟତମାନେ ପରିବାର ଲୋକଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରି ସୁନା ଓ ରୂପା ଅଳଙ୍କାର ସମେତ ନଗଦ ଟଙ୍କା ଲୁଟି ନେଇଥିଲେ। ଏହା ପୂର୍ବରୁ ଗତ ଫେବୃଆରୀ ମାସ ୧୯ ତାରିଖ ରାତି ୯ଟା ୧୫ ମିନିଟ୍‌‌ ସମୟରେ କୋଣାର୍କ ଥାନା ଅନ୍ତର୍ଗତ କୁଞ୍ଜମଠ ଅଞ୍ଚଳର ବାଉରୀବନ୍ଧୁ ମାଣିକ (୬୮)ଙ୍କ ଘରୁ ଡକାୟତି ହୋଇଥିଲା। ବନ୍ଧୁକ ଓ ବିଭିନ୍ନ ମାରଣାସ୍ତ୍ର ସହ ଡକାୟତ ମାନେ ବାଉରୀବନ୍ଧୁ ଓ ତାଙ୍କ ଘରେ ଭଡାରେ ରହୁଥିବା ନାରାୟଣ ମିଶ୍ରଙ୍କ ଘରୁ ନଗଦ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଥିଲେ। ସେମାନେ ନାରାୟଣ ଓ ତାଙ୍କ ପତ୍ନୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଗୁରୁତର କରି ଦେଇଥିଲେ। ସେହିପରି ଗତ ଜାନୁଆରୀ ମାସ ୨୬ ତାରିଖ ବିଳମ୍ବିତ ରାତିରେ ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଆଳସାହି ଅଞ୍ଚଳର ବିଷ୍ଣୁଚରଣ ମଲ୍ଲିକଙ୍କ ଘରେ ଡକାୟତ ମାନେ ବିଭିନ୍ନ ମାରଣାସ୍ତ୍ର ଧରି ପ୍ରବେଶ କରିବା ସହ ସେଠାରୁ ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେବାରେ ସଫଳ ହୋଇଥିଲେ। ଏହି ସବୁ ଘଟଣାରେ ସମାନ ଢଙ୍ଗରେ ଡକାୟତି ହୋଇଥିଲା।

ଆଇପିଏଲ୍‌ ମହାସମର: ଆଜି ରାଜସ୍ଥାନ-କଲକାତା ଲଢ଼େଇ


ପୁରୀ ଏସ୍‌‌ପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଏସ୍‌‌ପି ବିଷ୍ଣୁପ୍ରସାଦ ପତି, ପିପିଲି ଏସ୍‌‌ଡିପିଓ ବିରଞ୍ଚି ନାରାୟଣ ପତି, ନିମାପଡା ଏସ୍‌‌ଡିପିଓ ପ୍ରଭାତ କୁମାର ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପିପିଲି, କୋଣାର୍କ, ଅସ୍ତରଙ୍ଗ, ବଳଙ୍ଗା ଥାନା ପୁଲିସକୁ ନେଇ ସ୍ୱତନ୍ତ୍ର ଟିମ୍‌‌ ଗଠନ କରାଯାଇଥିଲା ଓ ଜିଲା ସ୍ପେଶାଲ ପୁଲିସ ସ୍କ୍ୱାର୍ଡ ସହାୟତାରେ ବିଭିନ୍ନ ସ୍ଥାନରେ ଚଢାଉ କରି ୧୧ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୁଲିସ ସଫଳ ହୋଇଥିଲା। ସେମାନଙ୍କୁ ପଚରାଉଚୁରା କରିବା ପରେ କୋଣାର୍କ, ଅସ୍ତରଙ୍ଗ ଓ ବଳଙ୍ଗା ସମେତ ଅନ୍ୟ କେତେକ ଜିଲାରେ ସେମାନେ ସମାନ ଢଙ୍ଗରେ ଡକାୟତି କରିଥିବା ପୁଲିସ ନିକଟରେ ସ୍ୱୀକାର କରିଥିଲେ। ଭୁବନେଶ୍ୱରରେ ଘଟିଥିବା କେତେକ ଅପରାଧ ଘଟଣାରେ ଏହି ଅଭିଯୁକ୍ତଙ୍କ ମଧ୍ୟରୁ କେତେକ ସଂପୃକ୍ତ ଅଛନ୍ତି। ଉପରୋକ୍ତ ୩ଟି ଡକାୟତି ଘଟଣାର ତଦନ୍ତ ଚାଲିଥିବା ବେଳେ ସେଥିରେ ସଂପୃକ୍ତ ଥିବା ଏହି ଗୋଷ୍ଠିର ଅନ୍ୟ ସଦସ୍ୟ ମାନଙ୍କୁ ଗିରଫ କରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି। ନିକଟ ଅତୀତରେ ଭୁବନେଶ୍ୱର କମିଶନରେଟ୍‌‌ ପୁଲିସ ଦ୍ୱାରା ଗିରଫ ହୋଇଥିବା ୩ଜଣ ଅଭିଯୁକ୍ତ ମଧ୍ୟ ପୁରୀ ଜିଲାର ଉପରୋକ୍ତ ୩ଟି ଡକାୟତି ଘଟଣାରେ ସଂପୃକ୍ତ ଥିବା ସଂପର୍କରେ ଏସ୍‌‌ପି ସୂଚନା ଦେବା ସହ ସେମାନଙ୍କୁ ରିମାଣ୍ଡରରେ ଅଣାଯାଇ ଅଧିକ ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଅଧିକାଂଶଙ୍କ ଘର ପିପିଲି ଥାନା ଅଞ୍ଚଳରେ ହୋଇଥିବା ବେଳେ ପିପିଲି ପୁଲିସ ଜଣେ ଅଭିଯୁକ୍ତଙ୍କ ଘରୁ ୭ଟି ଜୀବନ୍ତ ବୋମା, ଖଣ୍ଡା ଓ ବନ୍ଧୁକ ଆଦି ମାରଣାସ୍ତ୍ରକୁ ଜବତ କରିଥିଲା। ଉପରୋକ୍ତ ୩ଟି ଡକାୟତି ଘଟଣାରେ ଲୁଟ୍‌‌ ହୋଇଥିବା ସମସ୍ତ ସୁନା ଅଳଙ୍କାରକୁ ଅଭିଯୁକ୍ତଙ୍କ ଠାରୁ ଜବତ କରାଯାଇଛି ଏବଂ ଟି.ଆଇ ପ୍ୟାରେଡ୍‌‌ ପରେ ଅଭିଯୋଗକାରୀମାନଙ୍କୁ ସେଗୁଡିକୁ ହସ୍ତାନ୍ତର କରାଯିବ ବୋଲି ଏସ୍‌‌ପି ସୂଚନା ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସ୍‌‌ପି ବିଷ୍ଣୁପ୍ରସାଦ ପତି, ପିପିଲି ଏସ୍‌‌ଡିପିଓ ବିରଞ୍ଚି ନାରାୟଣ ପତି, ନିମାପଡା ଏସ୍‌‌ଡିପିଓ ପ୍ରଭାତ କୁମାର ମଲ୍ଲିକ, ପିପିଲି ଆଇଆଇସି ଦୀପକ କୁମାର ଖଣ୍ଡାୟତରାୟ, ବଳଙ୍ଗା ଥାନାଧିକାରୀ ଦିବ୍ୟରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସାମ୍ବାଦିକ ସମ୍ମିଳନୀ ସରିବା ପରେ ଥାନା ଫାଟକ ବାହାରେ କେତେକ ଅଭିଯୁକ୍ତଙ୍କ ସଂପର୍କୀୟମାନେ ହୋହଲ୍ଲା କରୁଥିବା ବେଳେ ପୁଲିସ ସେମାନଙ୍କୁ ସେଠାରୁ ଘଉଡାଇଥିଲା।

Comments are closed.