ପିପିଲି :ଜଇସପାଟଣା ନିକଟ ଭାଲିଆବିଲି ଖେଳପଡିଆ ଠାରେ ଚାଲିଥିବା ଦୁଇଦିନିଆ ଭାଲିଆବିଲି ପ୍ରିମିୟର ଲିଗ୍ (ବିପିଏଲ୍) କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ରେ ଅଯୋଧ୍ୟା ଏକାଦଶ କ୍ରିକେଟ୍ ଟିମ୍କୁ ହରାଇ ସାନ୍ଭି ଏକାଦଶ କ୍ରିକେଟ୍ ଟିମ୍ ଚମ୍ପିୟାନ ହୋଇଛି।
ମା’କ୍ଷେତ୍ରପାଳୀ କ୍ରିକେଟ୍ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଏହି ସପ୍ତମ ବାର୍ଷିକ ରାତ୍ରକାଳୀନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟକୁ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ଉଦ୍ଘାଟନ କରିଥିଲେ। ଦୁଇଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ସାନ୍ଭି ଏକାଦଶ, ଅଯୋଧ୍ୟା ଏକାଦଶ, ଲିଜେଣ୍ଡ ଏକାଦଶ ଓ ଜିପିଏସ୍ ଟାଇଗର ଆଦି ୪ଟି ଦଳ ଭାଗ ନେଇଥିଲେ। ଏହାର ଫାଇନାଲ ମ୍ୟାଚ୍ରେ ସାନ୍ଭି ଏକାଦଶ ପ୍ରଥମେ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୧୦ଓଭରରେ ୬ ୱିକେଟ୍ ବିନିମୟରେ ୧୨୧ରନ୍ ସଂଗ୍ରହ କରିଥିଲା। ଏହାପରେ ୧୨୨ ରନ୍ର ବିଜୟ ଲକ୍ଷ୍ୟ ନେଇ ଅଯୋଧ୍ୟା ଏକାଦଶ ନିର୍ଦ୍ଧାରିତ ଓଭରରେ ସମସ୍ତ ୱିକେଟ୍ ହରାଇ ୧୦୮ ରନ୍ ସଂଗ୍ରହ କରିବାକୁ ସମର୍ଥ ହୋଇଥିଲା। ଫାଇନାଲ ମ୍ୟାଚ୍କୁ ସିନେତାରକା ବବି ମିଶ୍ର ଉଦ୍ଘାଟନ କରିଥିଲେ।
ପୁରସ୍କାର ବିତରଣ ଉତ୍ସବରେ ଅତିଥିଭାବେ ସମାଜସେବୀ ଦୀନବନ୍ଧୁ ବେହୁରିଆ ଯୋଗଦେଇ ବିଜେତା ଦଳକୁ ଟ୍ରଫି ସହ ନଗଦ ୧ଲକ୍ଷ ଟଙ୍କା ଓ ଉପବିଜେତା ଦଳକୁ ଟ୍ରଫି ସହ ନଗଦ ୫୦ହଜାର ଟଙ୍କା ପ୍ରଦାନ କରିଥିଲେ। ଚମ୍ପିୟାନ ତଥା ବିଜୟୀ ଦଳର ବ୍ୟାଟ୍ସମ୍ୟାନ ପିଙ୍କୁ ଧୁଆଁଧାର ବ୍ୟାଟିଂ କରି (୨୨ ବଲ୍ରେ ୪୫ ରନ୍) ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷିତ ହୋଇଥିବା ବେଳେ ରନର୍ସଅପ୍ ଦଳର ଶ୍ରେଷ୍ଠଖେଳାଳି ଭାବେ କିରଣଙ୍କୁ ପୁରସ୍କାର ବାବଦରେ ଏକ ବାଇକ୍ ପ୍ରଦାନ କରାଯାଇଥିଲା। ଦର୍ଶକଙ୍କ ମନୋରଞ୍ଜନ ପାଇଁ ଚିୟର ଗାର୍ଲଙ୍କ ନୃତ୍ୟ ପ୍ରଦର୍ଶନ ଏହି ଟୁର୍ଣ୍ଣାମେଣ୍ଟକୁ ବେଶ୍ ଆକର୍ଷଣୀୟ କରିଥିଲା।
ଏଥିରେ ଅନ୍ୟତମ ଅତିଥି ଭାବେ ଯୁବସମାଜସେବୀ କିଶୋର ଛୋଟରାୟ, ସମବାୟବିତ୍ ପର୍ଶୁରାମ ମହାପାତ୍ର, ବିନୟ ଦାସ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ଯୁଧିଷ୍ଠୀର ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ପିପିଲି ଏନ୍ଏସି ପୌରାଧ୍ୟକ୍ଷ ସେକ୍ ବାବୁ, ବିଧାୟକଙ୍କ ପ୍ରତିନିଧି ଆର୍ତ୍ତବନ୍ଧୁ ସାମନ୍ତରାୟ, ପିପିଲି ବ୍ଲକ ଆତ୍ମା କମିଟି ଅଧ୍ୟକ୍ଷ ପ୍ରକାଶ କୁମାର ଧଳ, ପୂର୍ବତନ ଜିଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦ, ପଦ୍ମନାଭ ଖଟେଇ ପ୍ରମୁଖ ଯୋଗଦେଇଥିଲେ। ଟୁର୍ଣ୍ଣାମେଣ୍ଟକୁ ଅମିତ ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ଜେନା ପରିଚାଳନା କରିଥିବା ବେଳେ ପ୍ରକାଶ ପ୍ରଧାନ, ପ୍ରଫୁଲ୍ଲ ପ୍ରଧାନ, ସୁଶାନ୍ତ ପ୍ରଧାନ, ସୁବ୍ରତ ଶାଶ୍ୱତ ପ୍ରଧାନ, ସଞ୍ଜୟ ପ୍ରଧାନ ଓ ପ୍ରକାଶ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ।



