ଡିସେମ୍ବର ସୁଦ୍ଧା ଠଣଠଣା ଗ୍ରୀଡ୍ରୁ ପିପିଲିକୁ ବିଦ୍ୟୁତ୍ ଯୋଗାଣ ହେବ: ୧୫କୋଟି ମଞ୍ଜୁର, ଦୂର ହେବ ୪୦ବର୍ଷର ବିଦ୍ୟୁତ୍ ସମସ୍ୟା
ବିଧାୟକଙ୍କ ସହ ଆଲୋଚନା ପରେ ପ୍ରତିଶୃତି ଦେଲେ ଟାଟା ପାୱାର ସିଇଓ
ପିପିଲି :ଖୁବ୍ ଶିଘ୍ର ଦୂର ହେବ ପିପିଲି ଅଞ୍ଚଳର ଦୀର୍ଘ ୪୦ବର୍ଷର ବିଦ୍ୟୁତ୍ ସମସ୍ୟା। ଡିସେମ୍ବର ସୁଦ୍ଧା ମଙ୍ଗଳପୁର ନିକଟ ଠଣଠଣା ସ୍ଥିତ ୧୩୨/୩୩ କେଭି ବିଦ୍ୟୁତ୍ ଗ୍ରୀଡ୍ ସବ୍ଷ୍ଟେସନ୍ ରୁ ପିପିଲିକୁ ୩୩କେଭି ବିଦ୍ୟୁତ୍ ଯୋଗାଣ ହେବ। ଏଥିପାଇଁ ବିଭାଗୀୟ ଅର୍ଥ ମଞ୍ଜୁରୀ ମିଳିସାରିଥିବା ବେଳେ ଖୁବ୍ ଶିଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ଟିପିସିଓଡିଏଲ୍ ସିଇଓ ଅରବିନ୍ଦ ସିଂହ ସୂଚନା ଦେଇଛନ୍ତି। ଏଥିସହ ନିମାପଡା ସ୍ଥିତ ଦିଘାଳ ଗ୍ରୀଡ୍ରୁ ପିପିଲିକୁ ସଂଯୋଗ ହୋଇଥିବା ୩୩କେଭି ଫିଡର ଲାଇନ୍ର ନବୀକରଣ ଓ ଆବଶ୍ୟକ ମରାମତି କାର୍ଯ୍ୟ ୧୫ ଦିନ ମଧ୍ୟରେ ଆରମ୍ଭ କରାଯାଇ ସେପ୍ଟେମ୍ବର ୧୫ ସୁଦ୍ଧା ଶେଷ କରାଯିବ ବୋଲି ଶ୍ରୀସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ପିପିଲି ଅଞ୍ଚଳର ଦୀର୍ଘ ୪୦ବର୍ଷର ବିଦ୍ୟୁତ୍ ସମସ୍ୟା ନେଇ ବାରମ୍ବାର ‘ସମାଜ ଲାଇଭ’ରେ ଖବର ପ୍ରକାଶ ପାଇଥିଲା। ଏନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଆମରଣ ଅନଶନ କରାଯାଇଥିବା ବେଳେ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀଙ୍କୁ ଭେଟି ଏହି ବିଦ୍ୟୁତ୍ ସମସ୍ୟାର ସ୍ଥାୟୀ ସମାଧାନ ସଂପର୍କରେ ଆଲୋଚନା ମଧ୍ୟ କରିଥିଲେ। ଶନିବାର ପୂର୍ବାହ୍ନରେ ଟିପିସିଓଡିଏଲ୍ ସିଇଓ ଅରବିନ୍ଦ ସିଂହ, ସିଓଓ ରାଜ କୁମାର ରସ୍ତୋଗୀ, ଏସ୍ଟିଏସ୍ ମୁଖ୍ୟ ନରେଶ କପୁର ଓ ଅଧୀକ୍ଷଣ ଯନ୍ତ୍ରୀ ସ୍ୱପ୍ନ ସରିତ ମିଶ୍ର ପ୍ରମୁଖ ପିପିଲି ସ୍ଥିତ ବିଦ୍ୟୁତ୍ କାର୍ଯ୍ୟାଳୟରେ ପହଞ୍ôଚଥିଲେ। ସେଠାରେ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀଙ୍କ ସହ ବିଭାଗୀୟ ଅଧିକାରୀମାନେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ଠଣଠଣା ଗ୍ରୀଡ୍ରୁ ପିପିଲିକୁ ୩୩କେଭି ବିଦ୍ୟୁତ୍ ସଂଯୋଗ ନେଇ ଟେଣ୍ଡର ସରିଥିବା ବେଳେ ଉକ୍ତ ଟେଣ୍ଡର ସଂପର୍କିତ ଏକ ମାମଲା ଉଚ୍ଚ ନ୍ୟାୟାଳୟରେ ବିଚାରଧିନ ଥିବାରୁ କାର୍ଯ୍ୟ ବିଳମ୍ବ ଘଟୁଛି।
ତେଣୁ ପିପିଲି ଅଞ୍ଚଳର ଉପଭୋକ୍ତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଟାଟା ପାୱାର କଂପାନୀ ପକ୍ଷରୁ ୫କୋଟି ଅର୍ଥରେ ଠଣଠଣା ଠାରୁ ମଙ୍ଗଳପୁର ଝିଲିମିଲିପାଟଣା ପର୍ଯ୍ୟନ୍ତ ୫.୨ କିଲୋମିଟର ଭୂତଳ କେବୁଲ ବିଛାଯାଇ ୩୩କେଭି ଲାଇନ ପିପିଲିକୁ ସଂଯୋଗ କରାଯିବ। ଏଥିପାଇଁ ବିଭାଗୀୟ ଅର୍ଥ ମଞ୍ଜୁରୀ ମିଳିସାରିଛି ବୋଲି ଟାଟା ପାୱାର କଂପାନୀ ସିଇଓ ଶ୍ରୀସିଂହ ସୂଚନା ଦେଇଥିଲେ। ଏଥିସହ ନିମାପଡାର ଦିଘାଳ ଠାରୁ ପିପିଲିକୁ ଆସିଥିବା ୩୩କେଭି ପୁରୁଣା ଲାଇନ୍ର ଆବଶ୍ୟକ ମରାମତି ତଥା ତୃଟିପୂର୍ଣ୍ଣ ଇନ୍ସୁଲେଟର ପରିବର୍ତ୍ତନ ସହ ପୁରୁଣା ତାର ଓ ପୁରୁଣା ଖୁଣ୍ଟିକୁ ବଦଳାଯିବ। ଏଥିସହ ବାଳକାଟି ନିକଟବର୍ତ୍ତି ପ୍ରତାପଶାସନ ଗ୍ରୀଡ୍ରୁ ତ୍ରାହିଅଚ୍ୟୁତ ନଗର ପିଏସ୍ଏସ୍ ଦେଇ ପିପିଲିକୁ ୩୩କେଭି ଲାଇନ୍ ସଂଯୋଗ କରାଯିବ ବୋଲି ଶ୍ରୀସିଂହ ସୂଚନା ଦେଇଥିଲେ।
ଏହାଦ୍ୱାରା ପିପିଲିକୁ ମୋଟ୍ ୩ ଗୋଟି ୩୩କେଭି ଲାଇନ୍ ସଂଯୋଗ ରହିବ। ଏଥିପାଇଁ ମୋଟ୍ ୧୫କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ଆସନ୍ତା ଗ୍ରୀଷ୍ମଋତୁ ସୁଦ୍ଧା ପିପିଲିର ବିଦ୍ୟୁତ୍ ସମସ୍ୟାର ସ୍ଥାୟୀ ସମାଧାନ ହୋଇଯିବ ବୋଲି ବିଧାୟକ ଶ୍ରୀମହାରଥୀ ସୂଚନା ଦେଇଥିଲେ। ଏହି ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ନିମାପଡା ବିଦ୍ୟୁତ୍ ବିଭାଗର ନିର୍ବାହୀ ଯନ୍ତ୍ରୀ ବିଶ୍ୱରଞ୍ଜନ ବେହେରା, ପିପିଲି ଉପଖଣ୍ଡ ଅଧିକାରୀ ବିପିନ କୁମାର ସାହୁ, ସହକାରୀ ଯନ୍ତ୍ରୀ ଦେବେନ୍ଦ୍ର କୁମାର ସାହୁ, ରାଜ୍ୟ ବିଜେଡି ସଂପାଦକ ପ୍ରୀୟବ୍ରତ ସାମନ୍ତରାୟ, ପିପିଲି ପୌରାଧ୍ୟକ୍ଷ ସେକ୍ ବାବୁ, ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁ, ପୂର୍ବତନ ଜିଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦ, ଜିଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ, ଜିଲା ବିଜେଡି ସାଧାରଣ ସଂପାଦକ କିଶୋର ଛୋଟରାୟ, ପିପିଲି ବ୍ଲକ ଆତ୍ମା କମିଟିର ଅଧ୍ୟକ୍ଷ ପ୍ରକାଶ କୁମାର ଧଳ, ଯୁବନେତା ଆର୍ତ୍ତବନ୍ଧୁ ସାମନ୍ତରାୟ, କାଉନ୍ସିଲର ଚନ୍ଦନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।
ଏଠାରେ ସୂଚନା ଥାଉକି, ପିପିଲି ବିଦ୍ୟୁତ୍ ସବ୍ଡିଭିଜନକୁ ନିମାପଡାର ଦିଘାଳ ଠାରେ ଥିବା ୧୩୨/୩୩ କେଭି ବିଦ୍ୟୁତ୍ ଗ୍ରୀଡ୍ରୁ ଦୀର୍ଘ ୨୮ କିଲୋମିଟର ଅତିକ୍ରମ କରି ୪ଶହରୁ ଉର୍ଦ୍ଧ ଖୁଣ୍ଟିରେ ୩୩କେଭି ବିଦ୍ୟୁତ୍ ଆସୁଛି। ତେବେ ବର୍ଷା ଏବଂ ଅନ୍ୟାନ୍ୟ ଦୁର୍ବିପାକ ସମୟରେ ସୃଷ୍ଟି ହେଉଥିବା ବିଦ୍ୟୁତ୍ ବିଭ୍ରାଟର ମରାମତି ପାଇଁ ସମୟ ସାପେକ୍ଷ ହେବା ଯୋଗୁଁ ପିପିଲି ବିଦ୍ୟୁତ୍ ଅଞ୍ଚଳର ୩୨ହଜାରରୁ ଉର୍ଦ୍ଧ ଉପଭୋକ୍ତାମାନେ ବହୁ ସମୟରେ ବିଦ୍ୟୁତ୍ ସେବାରୁ ବଞ୍ôଚତ ହେଉଛନ୍ତି। ଏହି ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ୨୦୧୨ ମସିହାରେ ତତ୍କାଳୀନ ବିଧାୟକ ପ୍ରଦୀପ ମହାରଥୀଙ୍କ ଉଦ୍ୟମରେ ପିପିଲିର ମଙ୍ଗଳପୁର ନିକଟ ଠଣଠଣା ଠାରେ ସାଢେ ୫ଏକର ଜମିରେ ଏକ ୧୩୨/୩୩ କେଭି କ୍ଷମତା ସଂପନ୍ନ ବିଦ୍ୟୁତ୍ ଗ୍ରୀଡ୍ ସବ୍ଷ୍ଟେସନ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ଅନୁମୋଦନ ମିଳିବା ସହ ଏଥିପାଇଁ ୩୮କୋଟି ଟଙ୍କା ମଞ୍ଜୁର କରାଯାଇଥିଲା।
୨୦୧୬ରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨୦୧୯ ମସିହାରେ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲା। ୨୦୨୦ ଜୁନ ୨୫ ତାରିଖରେ ଏହି ଗ୍ରୀଡ୍କୁ ୧୩୨ କେଭି ବିଦ୍ୟୁତ୍ ଯୋଗାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବା ବେଳେ ସେହିବର୍ଷ ନଭେମ୍ବର ୬ ତାରିଖରେ ନିର୍ମାଣକାରୀ ସଂସ୍ଥା ପକ୍ଷରୁ ଏହି ଗ୍ରୀଡ୍କୁ ଓପିଟିସିଏଲକୁ ହସ୍ତାନ୍ତର କରାଯାଇଥିଲା। ତେବେ ଏହି ଗ୍ରୀଡ୍କୁ ମଙ୍ଗଳପୁରର ଝିଲିମିଲିପାଟଣା ଦେଇ ପିପିଲିକୁ ୩୩କେଭି ଲାଇନ୍ ସଂଯୋଗ ହୋଇନପାରିବା କାରଣରୁ ଏହା ଲୋକଙ୍କ ସେବାରେ ଲାଗିପାରିନାହିଁ। ଫଳରେ ଗ୍ରୀଡ୍ କାର୍ଯ୍ୟକ୍ଷମ ହେବାର ଇତିମଧ୍ୟରେ ୩ବର୍ଷ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ଜଣେ ମଧ୍ୟ ଉପଭୋକ୍ତା ଏହି ଗ୍ରୀଡ୍ରୁ ଉପକୃତ ହୋଇପାରିନାହାନ୍ତି। ଏନେଇ ବାରମ୍ବାର ‘ସମାଜ ଲାଇଭ’ରେ ଖବର ପ୍ରକାଶ ପାଇଥିଲା।
Comments are closed.