ଭକ୍ତ ଦାସିଆଙ୍କ ପୀଠରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନଯାତ୍ରା

ପିପିଲି:ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ଶିରୋମଣୀ ଦାସିଆଙ୍କ ଜନ୍ମ ଓ ସାଧନାପୀଠ ପିପିଲି ନିକଟବର୍ତ୍ତୀ ତେଇସିପୁର ପଞ୍ଚାୟତ ଅନ୍ତର୍ଗତ ବାଲିଗାଁ ସ୍ଥିତ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପରିସରରେ ମଙ୍ଗଳବାର ଦିନ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନଯାତ୍ରା ସମାରୋହରେ ସଂପନ୍ନ ହୋଇଛି।
ବାଲିଗାଁ ସ୍ଥିତ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ପ୍ରତ୍ୟୁଷରେ ଠାକୁରଙ୍କ ବିଭିନ୍ନ ସେବାନୀତି କରାଯାଇଥିଲା। ଏହାପରେ ନିକଟବର୍ତ୍ତୀ ଅଞ୍ଚଳର ବହୁ ଜଗନ୍ନାଥପ୍ରେମୀ, ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ସଂକୀର୍ତ୍ତନ, ଘଣ୍ଟ, ଘଣ୍ଟା, କାହାଳି ଓ ଚାମର ସେବାରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି ଶୋଭାଯାତ୍ରାରେ ନିଆଯାଇ ସ୍ନାନମଣ୍ଡପରେ ବିଜେ କରାଯାଇଥିଲା। ସେଠାରେ ଠାକୁରଙ୍କର ସମସ୍ତ ରିତୀନିତୀ ସମାପନ ପରେ ପୀଠସ୍ଥ ପବିତ୍ର ଗୋଠ ଗାଡିଆ ଓ ମଠର କୂଅରୁ ୧୦୮ ପିତଳ ଗଡୁରେ ପବିତ୍ର ଜଳ ଅଣାଯାଇ ଠାକୁରଙ୍କୁ ସ୍ନାନ କରାଯାଇଥିଲା। ଅପରାହ୍ନରେ ଠାକୁରମାନଙ୍କୁ ଗଜାନନ ବେଶ କରାଯାଇଥିବା ବେଳେ ରାତିରେ ଠାକୁର ମାନଙ୍କୁ ଅଣସର ଘରେ ବିଜେ କରାଯାଇଥିଲା। ମନ୍ଦିରର ମୁଖ୍ୟପୂଜକ ପଣ୍ଡିତ ଲକ୍ଷ୍ମୀଧର ପାଢୀ, ମୁଖ୍ୟଆଚାର୍ଯ୍ୟ ସତ୍ୟଜିତ ପାଢୀ, ସହାଚାର୍ଯ୍ୟ ଲକ୍ଷ୍ମୀଧର ଦିକ୍ଷୀତ, ପଣ୍ଡିତ ସୂର୍ଯ୍ୟନାରାୟଣ ପାଢୀ, ପ୍ରହଲ୍ଲାଦ ମିଶ୍ର, ଘନଶ୍ୟାମ ମିଶ୍ର ପ୍ରମୁଖଙ୍କ ଦ୍ୱାରା ସମସ୍ତ ନୀତି କରାଯାଇଥିଲା।

prayash

ଏହି ଅବସରରେ ନିଖିଳ ଉତ୍କଳ ଓଡିଶୀ ସଂକୀର୍ତ୍ତନ ମହାସଂଘ, ପିପିଲି ଶାଖା ଓ ଭକ୍ତ ଦାସିଆ ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ନାମ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା । ଏହି ଅବସରରେ ରୋଟାରୀ କ୍ଲବ ଅଫ୍‍ ଭୁବନେଶ୍ୱର ନର୍ଥ ପକ୍ଷରୁ ଡାକ୍ତର ମନୋରଞ୍ଜନ ପଟ୍ଟନାୟକଙ୍କ ଦ୍ୱାରା ମାଗଣା ହୋମିଓପାଥିକ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା ଏବଂ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ଉପଯୁକ୍ତ ପରାମର୍ଶ ଦିଆଯାଇଥିଲା ଏବଂ ଔଷଧ ବିତରଣ କରାଯାଇଥିଲା। ଦିବ୍ୟ ଦିଗନ୍ତ ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠିତ ମର୍ମ ଚିକିତ୍ସା ଶିବିରକୁ ସମାଜସେବୀ ମମତା ବିଶ୍ୱାଳ ପରିଚାଳନା କରିଥିଲେ। ମଧ୍ୟାହ୍ନରେ ଭକ୍ତ ଦାସିଆଙ୍କ ପ୍ରିୟ ଜାଉ ଓ ଶାଗ ଭୋଗକୁ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ବିତରଣ କରାଯାଇଥିଲା। ପ୍ରତ୍ୟୁଷରୁ ରାତି ୧୦ଟା ପର୍ଯ୍ୟନ୍ତ ସେଠାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଲାଗିରହିଥିଲା। ସେଠାରେ ଥିବା ଭକ୍ତ ଦାସିଆଙ୍କ ସମାଧି ପୀଠ, ଶ୍ରୀଜଗନ୍ନାଥଙ୍କ ମନ୍ଦିର, ରାଧାମୋହନ ମଠ, ତୁଳସୀ ବଣ, ପଦ୍ମ ପୋଖରୀ ଓ ଭକ୍ତ ଦାସିଆ ତାଙ୍କ ପତ୍ନୀଙ୍କୁ ଜଳ ମଧ୍ୟରେ ରଥଯାତ୍ରା ଦେଖାଇଥିବା ଗୋଠଗାଡିଆ ନିକଟରେ ଶ୍ରଦ୍ଧାଳୁଙ୍କର ଭିଡ ପରିଲକ୍ଷିତ ହୋଇଥିଲା। ଏମ୍ସର ପ୍ରାକ୍ତନ ନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ମହାପାତ୍ର, ଉତ୍କଳ ବିଶ୍ୱ ବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବିନାୟକ ରଥ, ରୋଟାରିୟାନ ସାନ୍ତନୁ ପାଣି ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ସେବାକାର୍ଯ୍ୟ କରିଥିଲେ। ଭକ୍ତ ଦାସିଆ ସ୍ମୃତି କମିଟିର ସଂପାଦକ ଅଧ୍ୟାପକ ଘନଶ୍ୟାମ ସ୍ୱାଇଁ, ନ୍ୟାସ ମଣ୍ଡଳୀ ସଦସ୍ୟ ସରୋଜ କୁମାର ସାହୁ, ଶିକ୍ଷାବିତ୍‍ ଚିତ୍ତରଞ୍ଜନ ମିଶ୍ର, ପଦ୍ମଚରଣ ସାମଲ, ସ୍ୱୟଂ ପ୍ରକାଶ ପରିଡା, କୃଷ୍ଣଚନ୍ଦ୍ର ଲେଙ୍କାଙ୍କ ସମେତ ବାଲିଗାଁ, ଆଳିସ, ପ୍ରହରାଜପୁର, ଆବଲପୁର, ପାଞ୍ଚବାଟିଆ, ଶ୍ରୀପତିପୁର ଆଦି ଗ୍ରାମର ଅଧିବାସୀମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ସୂଚାରୁ ରୂପେ ପରିଚାଳନା କରିଥିଲେ।

kalyan agarbati

Comments are closed.