ଧୁମ୍‍ଧାମରେ ସରିଲା ରୁକ୍ମିଣୀଙ୍କ ବିବାହ

ଚମ୍ପକଦ୍ୱାଦଶୀ ଓ ବାଣଯାତ୍ରା ପାଇଁ ଦାଣ୍ଡମୁକୁନ୍ଦପୁର ଉତ୍ସବମୁଖର

ପିପିଲି : ପିପିଲି ନିକଟବର୍ତ୍ତୀ ଦାଣ୍ଡମୁକୁନ୍ଦପୁର ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀ ଶ୍ରୀଜୟଗୋପାଳ ଦେବଙ୍କ ପ୍ରସିଦ୍ଧ ଚମ୍ପକଦ୍ୱାଦଶୀ ପର୍ବ ଓ ବାଣଯାତ୍ରା ପାଇଁ ଗ୍ରାମ ଉତ୍ସବମୁଖର ହୋଇଉଠିଛି । ଶନିବାର ସକାଳେ ମନ୍ଦିର ପରିସରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ସହ ରୁକ୍ମିଣୀଙ୍କ ବିବାହ ଧୁମ୍‍ଧାମରେ ସଂପନ୍ନ ହୋଇଛି । ରବିବାର ଅପରାହ୍ନରେ ପ୍ରସିଦ୍ଧ କାଠଚକ୍ର ବାଣଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।
ପରଂପରା ଅନୁଯାୟୀ ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶନିବାର ସକାଳେ ପ୍ରଭୁ ଶ୍ରୀଜୟଗୋପାଳ ଦେବଙ୍କ ମନ୍ଦିର ପରିସରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ସହ ରୁକ୍ମିଣୀଙ୍କ ବିବାହ ଉତ୍ସବ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି । ହଜାର ହଜାର ଭକ୍ତଙ୍କ ହରିବୋଲ ଓ ହୁଳହୁଳି ଧ୍ୱନିରେ ମନ୍ଦିର ପରିସର ପ୍ରକମ୍ପିତ ହୋଇ ଉଠିଥିବା ବେଳେ ଠାକୁରଙ୍କ ବିବାହ ଉତ୍ସବକୁ ଭକ୍ତମାନେ ମନଭରି ଉପଭୋଗ କରିଥିଲେ ।
ଏହି ଉତ୍ସବର ପୌରାଣିକ ପୃଷ୍ଠଭୂମି ଅନୁଯାୟୀ ବିଦର୍ଭ ରାଜ୍ୟରେ ଭୀଷ୍ମକ ନାମକ ଜଣେ ରାଜା ଥିଲେ । ତାଙ୍କର ରୁକ୍ମିଣୀ ନାମରେ ଏକ କନ୍ୟା ଥିଲେ । ରୁକ୍ମିଣୀଙ୍କ ବିବାହ ଶିଶୁପାଳଙ୍କ ସହ ସ୍ଥିରିକୃତ ହୋଇଥିଲା । କିନ୍ତୁ ରୁକ୍ମିଣୀ ଶ୍ରୀକୃଷ୍ଣଙ୍କୁ ନିଜର ପତିରୁପେ ବରଣ ପାଇଁ ସ୍ଥିର କରି ନେଇଥିଲେ । ଏକଥା ଶ୍ରୀକୃଷ୍ଣ ଜାଣି ପାରି ତାଙ୍କୁ ଅପହରଣ କରି ନେଇଗଲେ । ଫଳରେ ଶିଶୁପାଳ ଶେଷରେ ଶିଶୁପାଳ ହୋଇ ଫେରି ଯାଇଥିଲେ ।
ଓଡିଶାର ଶେଷ ସ୍ୱାଧୀନ ରାଜା ଶ୍ରୀମୁକୁନ୍ଦଦେବ ହରିଚନ୍ଦନ ୧୫୬୬ ଖ୍ରୀଷ୍ଟାବ୍ଦରେ ଦାଣ୍ଡମୁକୁନ୍ଦପୁର ଗ୍ରାମରେ ପ୍ରଭୁ ଶ୍ରୀ ଶ୍ରୀଜୟଗୋପାଳ ଦେବଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ମାତ୍ର ୧୫୬୮ରେ ଗୋହିରାଟିକିରି ଯୁଦ୍ଧକ୍ଷେତ୍ରରେ ତାଙ୍କର ମୃତ୍ୟୁ ପରେ ରାଣୀ ନାଟମନ୍ଦିରରେ ବିଗ୍ରହ ପ୍ରତିଷ୍ଠା କରିଥିବା ଜଣାଯାଏ । ୧୫୬୬ରୁ ୧୫୭୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ଏହି ପରମ୍ପରାକୁ ଅନୁସରଣ କରି ଶ୍ରୀଜୟଗୋପାଳ ଦେବଙ୍କ ମନ୍ଦିର ପରିସରରେ ରୁକ୍ମିଣୀ ବିବାହ ଉତ୍ସବ ଅନୁଷ୍ଠିତ ହୋଇ ଆସୁଥିବା ଜଣାଯାଇଛି । ଶ୍ରୀକୃଷ୍ଣଙ୍କ ସହ ରୁକ୍ମିଣୀଙ୍କ ବିବାହ ସଂପନ୍ନ ହେବା ପରେ ଶନିବାର ରାତିରେ ତଥା ଦ୍ୱାଦଶୀ ତିଥିରେ ଏକ ସୁସଜ୍ଜିତ ବିମାନରେ ଜୟଗୋପାଳ ଦେବଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନମୋହନ, ଶ୍ରୀନୀଳକଣ୍ଠେଶ୍ୱର ଦେବ ଓ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ନିଆଯାଇ ଗ୍ରାମ ପରିକ୍ରମା କରାଯିବ ।
ପ୍ରତ୍ୟେକ ପରିବାର ପକ୍ଷରୁ ଠାକୁର ମାନଙ୍କୁ ଦ୍ୱାରିଭୋଗ ଅର୍ପଣ କରାଯିବା ପରେ ବିଳମ୍ବିତ ରାତ୍ରୀରେ ଠାକୁର ମାନଙ୍କୁ ଗ୍ରାମର ବାଣମରା ଛକ (ଦଣ୍ଡାମୁଣ୍ଡ ଛକ) ଠାରେ ଖୁଣ୍ଟି ଲାଗି କରାଯିବ । ତ୍ରୟୋଦଶୀ ତିଥି ତଥା ରବିବାର ଅପରାହ୍ନରେ ଠାକୁର ମାନଙ୍କ ସମ୍ମୁଖରେ ପ୍ରସିଦ୍ଧ କାଠଚକ୍ର ବାଣ ସହ ବିଭିନ୍ନ ପ୍ରକାର ଆତସବାଜୀ ପ୍ରଦର୍ଶନ କରାଯିବ । ବିରାଟ ଗୋଲାକାର କାଠଗଣ୍ଡିରେ ନିର୍ମିତ ଏହି କାଠଚକ୍ର ବାଣଗୁଡିକ ପ୍ରଚୁର ନିଆଁ ଓ ଧୁଆଁ ମଧ୍ୟରେ ବିରାଟ ଗର୍ଜ୍ଜନ କରି ଏକ ଲୌହଦଣ୍ଡ ଉପରେ ବୁଲିବା ଦୃଶ୍ୟକୁ ଦେଖିବା ପାଇଁ ୧୦ ହଜାରରୁ ଉର୍ଦ୍ଧ ଜନସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି ।

Comments are closed.