ପିପିଲି: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ପ୍ରବେଶପଥରେ ଜାତୀୟ ରାଜପଥ କତ୍ତୃପକ୍ଷଙ୍କ ପକ୍ଷରୁ ହାଇମାକ୍ସ ଲାଇଟ୍ ଲଗା ଯାଇଥିଲେ ମଧ୍ୟ ତାହା ଜଳୁନାହିଁ। ଦୀର୍ଘ ବର୍ଷ ଧରି ପିପିଲିର ପ୍ରବେଶପଥ ସମେତ ଜାତୀୟ ରାଜପଥ ଅନ୍ଧାର ରହୁଥିବା ଯୋଗୁଁ ଚୋରୀ, ରାହାଜାନୀ, ଦୁର୍ଘଟଣା ଆଦି ବୃଦ୍ଧି ପାଉଛି। ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି। ଜାତୀୟ ରାଜପଥରେ ଲାଗିଥିବା ହାଇମାକ୍ସ ଲାଇଟ୍ ଜଳାଇବା ଓ ରାଜପଥକୁ ଆଲୋକୀକରଣ କରାଯିବା ପାଇଁ ବାରମ୍ବାର ଦାବି କରାଯିବା ସତ୍ତ୍ବେ କୌଣସି ସୁଫଳ ନମିଳିବାରୁ ପିପିଲିର ନିର୍ବାଚିତ ଜନ ପ୍ରତିନିଧିଙ୍କ ପକ୍ଷରୁ ଗୁରୁବାର ଠାରୁ ଆମରଣ ଅନଶନ କରାଯିବ ବୋଲି ସୂଚନା ମିଳିଛି। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ସରିଥିବା ବେଳେ ଏକ ହଜାରରୁ ଉର୍ଦ୍ଧ ଜନସାଧାରଣ ଓ ନିର୍ବାଚିତ ଜନ ପ୍ରତିନିଧିମାନେ ଏହି ଅନଶନରେ ଯୋଗଦେବେ ବୋଲି ବିଜେଡି ନେତା ଧରଣୀଧର ସାହୁ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଲୋକାର୍ପଣ ହେବା ପରଠାରୁ ଏହାର ପିପିଲି ପ୍ରବେଶ ପଥ ଓ ଦାଣ୍ଡମୁକୁନ୍ଦପୁରର ଭୋଗୁଆବାଙ୍କ ଛକ ଠାରେ ଦୁଇଟି ବଡ ହାଇମାକ୍ସ ଲାଇଟ୍ ଲଗାଯାଇଥିଲା। ଏହା ସହ ପିପିଲି ଟୋଲଗେଟ୍ ଠାରୁ ଜଇସପାଟଣା ବଜାର ପର୍ଯ୍ୟନ୍ତ ଓ ପିପିଲି ପ୍ରବେଶପଥ ପର୍ଯ୍ୟନ୍ତ ଲାଇଟ୍ ଲଗାଯାଇଥିଲା। ମଙ୍ଗଳପୁର ବଜାରରେ ମଧ୍ୟ ରାସ୍ତା ମଝିରେ ଲାଇଟ୍ ଲଗାଯାଇଥିଲା। ତେବେ, ପିପିଲି ପ୍ରବେଶପଥରେ ଥିବା ହାଇମାକ୍ସ ଲାଇଟ୍ କେବଳ ରଥଯାତ୍ରା ସମୟରେ ଜଳୁଥିବା ବେଳେ ଅନ୍ୟ ସମୟରେ ଉକ୍ତ ଅଞ୍ଚଳ ସଂପୂର୍ଣ୍ଣ ଅନ୍ଧାର ରହୁଛି। ଟୋଲଗେଟ୍ ଠାରୁ ଜଇସପାଟଣା ବଜାର ଓ ପିପିଲି ପ୍ରବେଶପଥ ପର୍ଯ୍ୟନ୍ତ ଲାଗିଥିବା ଲାଇଟ୍ ଗୁଡିକ ଗତ ୨୦୧୯ ବାତ୍ୟା ପରଠାରୁ ଅଚଳ ହୋଇଯାଇଛି।
ଭୋଗୁଆବାଙ୍କ ଛକ ଓ ମଙ୍ଗଳପୁର ବଜାରରେ ଲାଗିଥିବା ଲାଇଟ୍ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନାହିଁ। ଅନ୍ଧାର ଯୋଗୁଁ ଉକ୍ତ ସ୍ଥାନ ମାନଙ୍କରେ ବାରମ୍ବାର ଦୁର୍ଘଟଣାମାନ ଘଟୁଥିବା ବେଳେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧିପାଇ ଚୋରୀ, ରାହାଜାନି ଭଳି ଘଟଣା ବୃଦ୍ଧି ପାଉଛି। ଏହାକୁ ନେଇ ପ୍ରବଳ ଜନ ଅସନ୍ତୋଷ ପ୍ରକାଶ ପାଇଛି। ରାଜପଥର ଏପରି ଅବସ୍ଥା ସଂପର୍କରେ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ କିଛିମାସ ତଳେ କେନ୍ଦ୍ର ସଡକ ପରିବହନ ଓ ରାଜପଥ ବିଭାଗ ମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରିବା ସହ ଜାତୀୟ ରାଜପଥର ଉକ୍ତ ସ୍ଥାନମାନଙ୍କରେ ଆଲୋକୀକରଣ କରିବାକୁ ଅନୁରୋଧ କରିଥିଲେ। ଏପରିକି ଗତ ପୁରୀ ଜିଲା ପରିଷଦ ବୈଠକରେ ମଧ୍ୟ ପିପିଲିର ଜିଲା ପରିଷଦ ସଭ୍ୟ ମାନେ ଏ ସଂପର୍କର ପ୍ରଶ୍ନ ଉତ୍ଥାପନ କରିଥିଲେ। ଗତ ୬ ତାରିଖରେ ପିପିଲି ବ୍ଲକର ଜନ ଅଭିଯୋଗ ଶୁଣାଣୀ ଶିବିରରେ ଏ ସଂପର୍କରେ ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷଙ୍କ ସମେତ ନିର୍ବାଚିତ ଜନ ପ୍ରତିନିଧିମାନେ ଲିଖିତ ଅଭିଯୋଗ କରିବା ସହ ୪୮ ଘଣ୍ଟା ମଧ୍ୟରେ ସମସ୍ୟାର ସ୍ଥ୍ରାୟୀ ସମାଧାନ କରାନଗଲେ ଆମରଣ ଅନଶନ କରିବାକୁ ଚେତାବନୀ ଦେଇଥିଲେ। ତେବେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଏହି ସମସ୍ୟାର ସମାଧାନ ପାଇଁ କୌଣସି ତତ୍ପରତା ପ୍ରକାଶ ନପାଇବାରୁ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି। ଗୁରୁବାର ପୂର୍ବାହ୍ନ ୧୦ଟାର ଜାତୀୟ ରାଜପଥର ପିପିଲି ପ୍ରବେଶ ପଥ ଠାରେ ପିପିଲିର ନିର୍ବାଚିତ ଜନ ପ୍ରତିନିଧିଙ୍କ ପକ୍ଷରୁ ଆମରଣ ଅନଶନ କରାଯିବ ବୋଲି ସୂଚନା ମିଳିଛି। ଏ ସଂପର୍କରେ ପିପିଲି ଏନ୍ଏସି ପୌରାଧ୍ୟକ୍ଷ ସେକ୍ ବାବୁ, ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁ, ଜିଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ, ଜିଲା ବିଜେଡି ସାଧାରଣ ସଂପାଦକ କିଶୋର ଛୋଟରାୟ ପ୍ରମୁଖ ଲିଖିତ ଭାବେ ସ୍ଥାନୀୟ ପୁଲିସ ଓ ପ୍ରଶାସନକୁ ଜଣାଇଛନ୍ତି। ଏହି ଅନଶନରେ ପିପିଲି ବ୍ଲକ ଓ ଏନ୍ଏସିର ସମସ୍ତ ନିର୍ବାଚିତ ଜନପ୍ରତିନିଧିମାନେ ଯୋଗଦେବେ ବୋଲି ଜିଲା ପରିଷଦ ସଭ୍ୟ ତଥା ବିଜେଡି ନେତା ଧରଣୀଧର ସାହୁ ସୂଚନା ଦେଇଛନ୍ତି।



