ପିପିଲି ବ୍ଲକରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର, ୭୯ଟି ଜନ ଅଭିଯୋଗ ଉପରେ ଶୁଣାଣି

ପିପିଲି:ପିପିଲି ବ୍ଳକର ସମ୍ମିଳନୀ କକ୍ଷରେ ସୋମବାର ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ପୁରୀର ଅତିରିକ୍ତ ଜିଲାପାଳ (ରାଜସ୍ୱ) ଦିଲିପ କୁମାର ମହାପାତ୍ର ଏହି ଶିବିରରେ ଯୋଗଦେଇ ମୋଟ୍‍ ୭୯ଟି ଜନ ଅଭିଯୋଗ ଉପରେ ଶୁଣାଣି କରିଥିଲେ।
ପିପିଲି ପୌରାଞ୍ଚଳ ଉପକଣ୍ଠ ଜାତୀୟ ରାଜପଥ କଡରେ ୮କୋଟି ଟଙ୍କା ବ୍ୟୟରେ ନିର୍ମିତ ପିପିଲି ହସ୍ତଶିଳ୍ପ ଗ୍ରାମ ଅଦ୍ୟାବଧି କାର୍ଯ୍ୟକ୍ଷମ ନହୋଇ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି। ପିପିଲିର ଚାନ୍ଦୁଆ ଶିଳ୍ପୀ, କାରିଗର ଓ ବ୍ୟବସାୟୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ପିପିଲି ଏନ୍‍ଏସି ପୌରାଧ୍ୟକ୍ଷ ସେକ୍‍ ବାବୁଙ୍କ ସମେତ ଚାନ୍ଦୁଆ କାରିଗରମାନେ ଅତିରିକ୍ତ ଜିଲାପାଳଙ୍କ ଠାରେ ଲିଖିତ ନିବେଦନ କରିଥିଲେ। ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ପ୍ରବେଶପଥ ଓ ଦାଣ୍ଡମୁକୁନ୍ଦପୁର ପ୍ରବେଶପଥ ଠାରେ ଲାଗିଥିବା ହାଇମାକ୍ସ ଲାଇଟ୍‍ ୨୦୧୯ ମସିହାରୁ ଅଚଳ ହୋଇପଡିଥିବା ବେଳେ ଅଦ୍ୟାବଧି ମରାମତି କରାଯାଇ ନାହିଁ। ଫଳରେ ଉଭୟ ସ୍ଥାନରେ ଦୈନିକ ଦୁର୍ଘଟଣାମାନ ଘଟୁଛି। ତୁରନ୍ତ ଉକ୍ତ ହାଇମାକ୍ସ ଲାଇଟ୍‍କୁ ମରାମତି କରାଯିବା ସହ ଜାତୀୟ ରାଜପଥର ପ୍ରମୁଖ ବଜାର ଓ ଗ୍ରାମ୍ୟଛକ ମାନଙ୍କରେ ଆଲୋକୀକରଣ ବ୍ୟବସ୍ଥା କରାଯିବା ପାଇଁ ବ୍ଲକ ଅଧ୍ୟକ୍ଷା ଦେବସ୍ୱିନୀ ନନ୍ଦ, ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସ୍ୱାଇଁ, ସାଂସଦ ପ୍ରତିନିଧି ନାରାୟଣ ସ୍ୱାଇଁ, ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁ ପ୍ରମୁଖ ଲିଖିତ ନିବେଦନ କରିଥିଲେ।

 

prayash

ପିପିଲି ଏନ୍‍ଏସିର ବେଜପୁର ମୌଜାରେ ଥିବା ଏକ ପାଣିନାଳ ଓ ସଫେଇନାଳ ଉପରେ ଜଳସେଚନ ବିଭାଗର ବିନା ଅନୁମତିରେ ବେଆଇନ ଭାବେ କଂକ୍ରିଟ ପୋଲ ଓ ରାସ୍ତା ନିର୍ମାଣ କରାଯିବା ସହ ଉକ୍ତ ଜମିରେ ମାଟି ପୋତାଯାଇ ଜଳ ନିଷ୍କାସନ ପଥକୁ ଅବରୋଧ କରାଯାଉଥିବା ସଂପର୍କରେ ପ୍ରହଲ୍ଲାଦ ସ୍ୱାଇଁ, ଦେବରାଜ ସ୍ୱାଇଁ ପ୍ରମୁଖ ଅଭିଯୋଗ କରିଥିଲେ। ପିପିଲି ଅଞ୍ଚଳରେ ମନଇଚ୍ଛା ଅଘୋଷିତ ବିଦ୍ୟୁତ କାଟ୍‍ କରାଯାଉଥିବା ବେଳେ ଉପଭୋକ୍ତାଙ୍କ ଉପରେ ଆବଶ୍ୟକ ଠାରୁ ଅଧିକ ଫାଇନ କରାଯାଉଥିବା ସଂପର୍କରେ ସାଂସଦ ପ୍ରତିନିଧି ନାରାୟଣ ସ୍ୱାଇଁ ଅଭିଯୋଗ କରିଥିଲେ। ପିପିଲି ତହସିଲରେ ଦୁର୍ଗାଦାଶପୁର ଗ୍ରାମର ରାଜକିଶୋର ଦାଶ ୨୦୧୩ ମସିହାରେ କରିଥିବା ଏକ ମ୍ୟୁଟେସନ କେଶ୍‍ର ପ୍ରଜାଖାନା ସଂଶୋଧନ ଅଦ୍ୟାବଧି ହୋଇନଥିବା ସଂପର୍କରେ ରଜତ ରଞ୍ଜନ ଦାଶ ଅଭିଯୋଗ କରିଥିଲେ। ଗୋବିନ୍ଦପୁର ପଞ୍ଚାୟତର ପାଟ୍ଟସାଣୀପୁର ମୌଜାରେ ୮ରୁ ୧୦ ଏକର ଗୋଚର ଓ ଅନାବାଦୀ ଜମିକୁ କେତେକ ମୁଷ୍ଟିମେୟ ବ୍ୟକ୍ତି ଜବରଦଖଲ କରି ସେଠାରେ ବେଆଇନ ନିର୍ମାଣ କରିଥିବା ସଂପର୍କରେ ଅଭିଯୋଗ ହୋଇଥିଲା। ସେହିପରି ତେଇସିପୁର ପଞ୍ଚାୟତ ଅନ୍ତର୍ଗତ ନାନପୁର ମୌଜାରେ ଥିବା ଗୋଚର ଜମିରେ ସରକାରୀ କୋଠା ନିର୍ମାଣ କରାଯାଉଥିବା ଓ ପିପିଲି ତହସିଲରେ ଜମିପଟ୍ଟ ପ୍ରଦାନରେ ଅବହେଳା କରାଯାଉଥିବା ସଂପର୍କରେ ଭାଗୀରଥି ଦାଶ ଅଭିଯୋଗ କରିଥିଲେ। ସେହିପରି କେତେକ ସରକାରୀ ବିଦ୍ୟାଳୟରେ ଶିକ୍ଷକ ଅଭାବ, କେତେକ ଗ୍ରାମର ରାସ୍ତାର ଦୁରାବସ୍ଥା, ଜଳ ନିଷ୍କାସନ ସମସ୍ୟା ଆଦି ସଂପର୍କରେ ମଧ୍ୟ ଅଭିଯୋଗ ହୋଇଥିଲା । ଏହି ଜନ ଅଭିଯୋଗ ଶୁଣାଣି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ପୁରୀର ଅତିରିକ୍ତ ଏସ୍‍ପି ପ୍ରଫୁଲ୍ଲ ଚନ୍ଦ୍ର ବଡଜେନା, ପିପିଲି ବିଡିଓ ରଶ୍ମିତା ନାଥ, ପିପିଲି ଏସ୍‍ଡିପିଓ ଦେବଦତ୍ତ ବରାଳ, ଡାକ୍ତର ନିମାଇଁ ଚରଣ ଜେନା, ଡେପୁଟି କଲେକ୍ଟର ଆଦ୍ୟାଶା ରଥ, ପିପିଲି ପୌର ନିର୍ବାହୀ ଅଧିକାରୀ ପୂଜା ରାଉତଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

kalyan agarbati

Comments are closed.