ପିପିଲି:ଜଣେ ସାଇକେଲ ଚାଳକଙ୍କ ଠାରୁ ସ୍ପଷ୍ଟ ଦିବାଲୋକରେ ମୋବାଇଲ୍ ଲୁଟି ନେଇଥିବା ୩ଜଣ ଲୁଟେରାଙ୍କୁ ଗିରଫ କରିବାରେ ପିପିଲି ପୁଲିସ ସଫଳ ହୋଇଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ଲୁଟ୍ ହୋଇଥିବା ମୋବାଇଲ ସମେତ ଅନ୍ୟ ଦୁଇଟି ମୋବାଇଲ୍ ଓ ଏକ ବାଇକ୍କୁ ପୁଲିସ ଜବତ କରିଛି । ଅଭିଯୁକ୍ତମାନେ ହେଲେ ଜଟଣୀ ଥାନା ଅନ୍ତର୍ଗତ ବୁଢାପଡା ଗ୍ରାମର ସୁରେଶ ବେହେରା (୨୩), ରଞ୍ଜନ ବେହେରା (୨୪) ଓ ରତ୍ନାକର ଭୋଇ (୨୬) । ଗିରଫ ୩ ଅଭିଯୁକ୍ତଙ୍କୁ ପୁଲିସ ଆଜି ପିପିଲି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହୋଇଯିବାରୁ ସେମାନଙ୍କୁ ନିମାପଡା ସ୍ଥିତ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାଯାଇଛି ।
ପ୍ରାପ୍ତ ସୂଚନା ଅନୁଯାଇ, ପିପିଲି ବ୍ଲକଛକ ଠାରେ ଥିବା ଶ୍ରୀହରି ହୋଟେଲର ମାଲିକ ତୋଫାନ ବାରିକ ଗତ ୧୮ ତାରିଖ ଅପରାହ୍ନ ସାଢେ ୪ଟା ସମୟରେ ହୋଟେଲ କାମ ସାରି ସାଇକେଲ ଯୋଗେ ନିଜ ମଢିଆଳିସାହି ସ୍ଥିତ ଘରକୁ ଯାଉଥିବା ବେଳେ ଲୁଟ୍ର ଶିକାର ହୋଇଥିଲେ । ୩ଜଣ ଦୁର୍ବୁତ୍ତ ଏକ ବାଇକ୍ରେ ପଛରୁ ଆସି ତାଙ୍କୁ ଧକ୍କା ମାରିବା ସହ ତାଙ୍କ ଠାରୁ ମୋବାଇଲ ଫୋନ୍କୁ ଲୁଟି ନେଇ ଫେରାର ହୋଇଯାଇଥିଲେ । ଏନେଇ ତୋଫାନ ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିବା ପରେ ଆଇଆଇସି ଅଭିମନ୍ୟୁ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଦନ୍ତକାରୀ ଅଧିକାରୀ ଏସ୍ଆଇ ସଂଘମିତ୍ରା ଚାନ୍ଦ ଘଟଣାର ବିଭିନ୍ନ ଦିଗରୁ ତଦନ୍ତ କରି ଏହି ଲୁଟ୍ ଘଟଣାରେ ସଂପୃକ୍ତ ଉପରୋକ୍ତ ୩ଜଣଙ୍କୁ ଗିରଫ କରିଥିଲେ । ସେମାନଙ୍କ ଠାରୁ ଲୁଟ୍ ହୋଇଥିବା ମୋବାଇଲ୍ ଫୋନ୍ ସମେତ ଅନ୍ୟ ଦୁଇଟି ମୋବାଇଲ୍ ଫୋନ୍ ଓ ଲୁଟ୍ରେ ବ୍ୟବହୃତ ବାଇକ୍କୁ ପୁଲିସ ଜବତ କରିଛି । ଗିରଫ ଅଭିଯୁକ୍ତଙ୍କ ନାମରେ ପୂର୍ବରେ ଅନ୍ୟ କେଉଁ ଥାନାରେ ଅପରାଧିକ ମାମଲା ରହିଛି କି ନାହିଁ ସେ ସଂପର୍କରେ ପୁଲିସ ଅନୁସନ୍ଧାନ ଜାରି ରଖିଥିବା ଆଇଆଇସି ଶ୍ରୀ ନାୟକ ସୂଚନା ଦେଇଛନ୍ତି ।



