ପାରଳାଖେମୁଣ୍ଡି: ଆଜି କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଆଜି ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କୁ ପ୍ରାୟ ୩ ଘଣ୍ଟା ଜେରା କରାଯାଇଥିଲା। ପାରଳାଖେମୁଣ୍ଡି ପୁଲିସ ଗେଷ୍ଟ ହାଉସ୍ରେ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍ ତାଙ୍କୁ ପ୍ରାୟ ୩ ଘଣ୍ଟା ଜେରା କରିଛନ୍ତି। ଜେରା ସୟମରେ କ୍ରାଇମବ୍ରାଞ୍ଚର ପ୍ରଶ୍ନବାଣରେ ଘାଇଲା ହୋଇଛନ୍ତି ଡିଏଫଓ। ସୌମ୍ୟରଞ୍ଜନଙ୍କୁ ଡିଏଫ୍ଓ ଜାଣିଶୁଣି ନାଇଟ୍ ଡ୍ୟୁଟିରେ ପକାଉଥିବା ନେଇ ଯେଉଁ ଅଭିଯୋଗ ହୋଇଥିଲା, ଜେରା ବେଳେ ସେହି ପ୍ରଶ୍ନ ମଧ୍ୟ ପଚରା ଯାଇଥିଲା। ତେବେ ଏହି ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ସେହିପରି ସୌମ୍ୟରଞ୍ଜନଙ୍କ ପତ୍ନୀଙ୍କ ସହିତ ତାଙ୍କର ସଂପର୍କ ଥିବା ବିଷୟରେ ମଧ୍ୟ ପଚରା ଯାଇଥିଲା। ସୌମ୍ୟରଞ୍ଜନଙ୍କ ପତ୍ନୀଙ୍କ ସହିତ ତାଙ୍କର କିଛି ସଂପର୍କ ନଥିଲା ବୋଲି ଡିଏଫଓ କହିଥିଲେ। ହସ୍ପିଟାଲ୍ରେ ସୌମ୍ୟରଞ୍ଜନ ମହାପାତ୍ରଙ୍କ ଜମାନବନ୍ଦୀ ନେଲା ବେଳେ ଡିଏଫଓ ଉପସ୍ଥିତ ଥିଲେ ବୋଲି ଜେରା ବେଳେ ସ୍ୱୀକାର କରିଛନ୍ତି। କିନ୍ତୁ କ’ଣ ଲେଖାଯାଉଥିଲା, ସେ ତାହା ଜାଣି ନଥିବା କହିଛନ୍ତି।
କ୍ରାଇମବ୍ରାଞ୍ଚ ଜେରାର ସମ୍ମୁଖୀନ ହୋଇ ବାହାରକୁ ଆସିବା ପରେ ଗଣମାଧ୍ୟମରେ କିଛି କହିବାକୁ ମନା କରି ଦେଇଥିଲେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା। ସୌମ୍ୟରଞ୍ଜନଙ୍କ ଜମାନବନ୍ଦୀ ନେଲା ବେଳେ ସେ ଉପସ୍ଥିତ ଥିଲେ କି ନାହିଁ ପ୍ରଶ୍ନର ଉତ୍ତରରେ ସେ ସେଠାରେ ନଥିଲେ ବୋଲି କହିଥିଲେ। କିନ୍ତୁ କ୍ରାଇମବ୍ରାଞ୍ଚ ସମ୍ମୁଖରେ ସେ ସେତେବେଳେ ଉପସ୍ଥିତ ଥିବା କହିଥିଲେ। ଡିଏଫଓ କହିଥିଲେ, ମୁଁ ଯାହା କହିବା କଥା କତଦନ୍ତକାରୀ ଟିମ୍ ଙ୍କୁ କହିସାରିଛି । ଦୟାକରି ମୋତେ ଛାଡନ୍ତୁ, ମୋର ଅନ୍ୟ ସରକାରୀ କାମ ଅଛି ବୋଲି ଡିଏଫଓ କହିଛନ୍ତି। ତେବେ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଓ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କର ଆବଶ୍ୟକ ପଡ଼ିଲେ ସେମାନଙ୍କର ଲାଇ ଡିଟେକ୍ସନ ଟେଷ୍ଟ କରାଯାଇପାରେ ବୋଲି କ୍ରାଇମବ୍ରାଞ୍ଚ ଡିଏସ୍ପି ପ୍ରକାଶ କରିଛନ୍ତି।
ଘଟଣାରେ ଏ ପର୍ଯ୍ୟନ୍ତ ୧୪ଜଣଙ୍କୁ ଜେରା କରିସାରିଲାଣି କ୍ରାଇମବ୍ରାଞ୍ଚ। ଖୁବଶୀଘ୍ର ବିଦ୍ୟାଭାରତୀଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିବା ନେଇ ସୂଚନା ମିଳିଛି। ଗତକାଲି ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡାଙ୍କୁ ଜେରା କରିଥିଲା କ୍ରାଇମବ୍ରାଞ୍ଚ। ସୌମ୍ୟରଞ୍ଜନଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନାନ୍ତର ବେଳେ ମମତା ଅଧିକ ସମୟ ଆମ୍ୱୁଲାନ୍ସ ଅଟକାଇଥିବା ଅଭିଯୋଗ ହୋଇଥିଲା। ଏପରିକି ସେ ବିଦ୍ୟାଭାରତୀଙ୍କ ସମ୍ପର୍କୀୟ ଓ ମାମଲାର ପ୍ରମାଣ ନଷ୍ଟ କରିବାରେ ମଧ୍ୟ ସହଯୋଗ କରିଥିବା ସୌମ୍ୟରଞ୍ଜନଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ପୂର୍ବରୁ କ୍ରାଇମବ୍ରାଞ୍ଚ ପକ୍ଷରୁ ସୌମ୍ୟରଞ୍ଜନଙ୍କ ଦୁଇ ସହଯୋଗୀ ଏସିଏଫ୍, ବନ ବିଭାଗ କର୍ମଚାରୀ, ତହସିଲଦାର, ଆମ୍ବୁଲାନ୍ସ କର୍ମଚାରୀଙ୍କ ସହିତ ଦୁଇ ଡାକ୍ତରଙ୍କୁ ଜେରା କରାଯାଇଛି।



