ବିଲଡରଙ୍କ ନାମରେ ୧୦କୋଟିରୁ ଉର୍ଦ୍ଧ ଟଙ୍କାର ଠକାମି ଅଭିଯୋଗ
ପିପିଲି : ଶ୍ରେୟା ଇନଫ୍ରାଷ୍ଟକ୍ଚର ପ୍ରା.ଲିଃର ପରିଚାଳନା ନିର୍ଦ୍ଦେଶକ ହିମାଂଶୁ ଶେଖର ନାୟକଙ୍କୁ ପିପିଲି ପୁଲିସ ସହାୟତାରେ ଇଓଡବ୍ଲୁ ଗୁରୁବାର ସଂନ୍ଧ୍ୟାରେ ପିପିଲିରୁ ଉଠାଇ ନେଇଥିବା ଜଣାପଡିଛି। ତାଙ୍କ ନାମରେ ୧୦କୋଟିରୁ ଉର୍ଦ୍ଧ ଟଙ୍କାର ଠକାମି ଅଭିଯୋଗ ଥିବା ବେଳେ ସେ ଗିରଫ ହେବା ଭୟରେ ଦୀର୍ଘଦିନ ହେବ ନିଖୋଜ ରହିଥିଲେ। ପିପିଲି ଥାନା ସମେତ ଭୁବନେଶ୍ୱରର ବିଭିନ୍ନ ଥାନାରେ ତାଙ୍କ ନାମରେ ଏକାଧିକ ମାମଲା ରହିଥିବା ସୂଚନା ମିଳିଛି।
ଇଓଡବ୍ଲ୍ୟୁରେ ମଧ୍ୟ ତାଙ୍କ ନାମରେ ୧୦କୋଟିରୁ ଉର୍ଦ୍ଧ ଟଙ୍କାର ଠକେଇ ମାମଲା ରହିଥିବା ସୂଚନା ମିଳିଛି। ପିପିଲି ଥାନାରେ ମଧ୍ୟ ତାଙ୍କ ନାମରେ ଦୁଇଟି ମାମଲା ରହିଥିବା ବେଳେ ତାଙ୍କୁ ଗିରଫ କରିବା ପାଇଁ ଇଓଡବ୍ଲୁ ସମେତ ପିପିଲି ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା। ପିପିଲି ଥାନାର ଗୋଟିଏ ମାମଲାରେ ସେ ଗୁରୁବାର ପିପିଲି କୋର୍ଟକୁ ଜାମିନ ପାଇଁ ଆସିଥିଲେ। ତାଙ୍କୁ ଧରିବା ପାଇଁ ପିପିଲି ପୁଲିସ ସମେତ ଇଓଡବ୍ଲୁର ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ କୋର୍ଟ ଚାରି ପାଖରେ ଜଗି ବସିଥିଲେ। ସଂନ୍ଧ୍ୟା ସାଢେ ୬ଟା ସମୟରେ ସେ କୋର୍ଟରୁ ବାହାରକୁ ଆସି ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ପିପିଲି ଆଇଆଇସି ଶରତ କୁମାର ସାହୁ, କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିକାରୀ ଅଶୋକ କୁମାର ଗୋଚ୍ଛାୟତ, ଏଏସ୍ଆଇ ବିନୟ କୁମାର ଦାସ ପ୍ରମୁଖ ହିମାଂଶୁଙ୍କୁ ଥାନାକୁ ଉଠାଇ ନେଇଥିଲେ। ପିପିଲି ପୁଲିସ ହିମାଂଶୁଙ୍କୁ ପରେ ଇଓଡବ୍ଲୁର ଡିଏସ୍ପି ତପନ କୁମାର ମହାନ୍ତି ଓ ପି.କେ ମିଶ୍ରଙ୍କୁ ହସ୍ତାନ୍ତର କରିଥିଲା। ଇଓଡବ୍ଲୁ ହିମାଂଶୁକୁ ନେଇ ଭୁବନେଶ୍ୱର ଚାଲିଯାଇଥିବା ବେଳେ ତାଙ୍କ ନାମରେ ଥିବା ଠକେଇ ଅଭିଯୋଗ ସମ୍ପର୍କରେ ତାଙ୍କୁ ପଚରାଉଚୁରା ଚଳାଇଥିବା ସୂଚନା ମିଳିଛି। ଅଧିକ ସୂଚନା ପାଇଁ ଇଓଡବ୍ଲୁ ଡିଏସ୍ପି ତପନ ମହାନ୍ତିଙ୍କ ସହ ଯୋଗାଯୋଗ କରାଯାଇଥିବା ବେଳେ ତଦନ୍ତରେ ବାଧା ଉପୁଜିବାର ଆଶଙ୍କା ଥିବାରୁ ସେ କୌଣସି ସୂଚନା ଦେବାକୁ ମନା କରିଥିଲେ।
ହିମାଂଶୁଙ୍କ ନାମରେ ପିପିଲି ଥାନାରେ କେଶ୍ ନଂ- ୧୮୫ /୨୦୧୮ରେ ଅନ୍ୟ ଏକ ଠକେଇ ମାମଲା ରହିଥିବା ବେଳେ ଇଓଡବ୍ଲୁ ପକ୍ଷରୁ ତାଙ୍କୁ କୋର୍ଟ ଚାଲାଣ କରାଯିବା ପରେ ପିପିଲି ପୁଲିସ ପକ୍ଷରୁ ତାଙ୍କୁ ରିମାଣ୍ଡରରେ ଅଣାଯିବ ବୋଲି ଆଇଆଇସି ଶ୍ରୀସାହୁ ସୂଚନା ଦେଇଛନ୍ତି। ଏଠାରେ ସୂଚନା ଥାଉକି, ପିପିଲି ଥାନା ଅନ୍ତର୍ଗତ ଗୁଡିଆପୋଖରୀ ବଜାର ନିକଟ ବିଲିପଡା ଠାରେ ଶ୍ରେୟା ଇନଫ୍ରାଷ୍ଟକ୍ଚର ପ୍ରା ଲିଃ ପକ୍ଷରୁ ଶ୍ରୀବାଲାଜୀ ସିଟି ନାମରେ ଏକ ଆପାର୍ଟମେଣ୍ଟ ନିର୍ମାଣ କରାଯାଇଛି। ଭୁବନେଶ୍ୱର କଟକରୋଡ୍ର ଜନୈକ ଗ୍ରାହକ ଭେଙ୍କେଟ ବାଲାଜୀ ପାତ୍ର ଉକ୍ତ ଆପାର୍ଟମେଣ୍ଟର ଏକ ଫ୍ଲାଟ୍ କୁ କିଣିଥିବା ବେଳେ ହିମାଂଶୁ ଉକ୍ତ ଫ୍ଲାଟ୍କୁ ବାଲାଜୀଙ୍କୁ ହସ୍ତାନ୍ତର କରିନଥିଲେ। ବାଲାଜୀଙ୍କ ଭଳିି ଅନ୍ୟ କେତେକ ଗ୍ରାହକ ମଧ୍ୟ ଏଭଳି ପରିସ୍ଥିତିର ସମ୍ମୁଖିନ ହୋଇଥିବା ବେଳେ ଗତ ୨୦୧୮ ମସିହା ଜୁନ ୨୪ ତାରିଖରେ କେତେକ ଗ୍ରାହକ ଏନେଇ ବିଲଡର ସଂସ୍ଥା ସହ ଗୁଡିଆପୋଖରୀ ଠାରେ ଏକ ବୈଠକ କରିଥିଲେ। ଏହି ସମୟରେ ବାଲାଜୀଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ବେଳେ ହାତ ଓ ଗୋଡ ଭାଙ୍ଗି ଯାଇଥିଲା। ଏନେଇ ପିପିଲି ପୁଲିସରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଉକ୍ତ ମାମଲାରେ ଜାମିନ ପାଇଁ ସେ ଆଜି ପିପିଲି କୋର୍ଟକୁ ଆସିଥିବା ସୂଚନା ମିଳିଛି।