www.samajalive.in
Monday, December 8, 2025
14.1 C
Bhubaneswar

ଏକାଠି ହେଲେ ଗ୍ରାମବାସୀ : ପାହାଡ଼ କାଟି ଜମିକୁ ଆଣିଲେ ପାଣି

ଫୁଲବାଣୀ : ଏକତା ହିଁ ବଳ। ଯୋଡ଼ାକୁ ନୁହଁଇ ଘୋଡ଼ା ସରି ଭଳି ଉକ୍ତିର ସାର୍ଥକତା ପ୍ରତିପାଦନ କରିଛନ୍ତି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦାସିଙ୍ଗବାଡ଼ି ପଞ୍ଚାୟତ କଙ୍ଗଡାକ ଗ୍ରାମବାସୀ। ଗାଁରେ ଦୀର୍ଘ ବର୍ଷ ଧରି ଜମିକୁ ପାଣି ଆସୁ ନ ଥିଲା। ଚାଷ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଅଞ୍ଚଳରେ ସ୍ୱାଭାବିକ ମୌସୁମି ଲୁଚକାଳି ଖେଳୁଥିବାବେଳେ ପ୍ରଚଣ୍ଡ ଖରାରେ ଚାଷ ଜମିଗୁଡ଼ିକ ବର୍ଷ ବର୍ଷ ଧରି ଫାଟି ଆଁ କରିଥିଲା। ଗ୍ରାମ ଠାରୁ ୧ କିଲୋମିଟର ଦୂରରେ ଜଳ ଉତ୍ସ ରହିଥିଲେ ମଧ୍ୟ ଗାଁ ଚାଷ ଜମିକୁ ପାଣି ମାଡି ପାରୁନଥିଲା। ଗ୍ରାମବାସୀ ଏକାଠି ହୋଇ କୋଡ଼ି, କୋଦାଳ ଓ ଶାବଳ ଉଠାଇଲେ। ଆଉ ତିନି ଦିନ ଭିତରେ କାମ ଶେଷ ହୋଇଗଲା। ଏଣିକି ପଡ଼ିଆ ଜମିରେ ଶାଗୁଆ ଫସଲ ଫଳାଇବା ଆଶାରେ ଅଛନ୍ତି ଗ୍ରାମବାସୀ।
ପ୍ରକାଶ ଯେ, କଙ୍ଗଡାକ ଗାଁରେ ଚାଷ ବ୍ୟତୀତ ଆଉ କୌଣସି କାମ ଧନ୍ଦା ନଥିବାରୁ ୧୦ ବର୍ଷରୁ ଊର୍ଦ୍ଧ୍ବ ସମୟ ହେଲା ଗାଁର ଯୁବକ ଯୁବତୀ ବାଧ୍ୟ ହୋଇ ଅନ୍ୟ ରାଜ୍ୟକୁ ଯାଇ ଦାଦନ ଖଟୁଥିଲେ। କରେନା ପାଇଁ କାମଧନ୍ଦା ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଗଲା। ଫଳରେ କାମ ଧନ୍ଦା ହରାଇ ସେମାନେ ନିଜ ଭିଟା ମାଟିକୁ ଫେରିଥିଲେ। କିଏ ୧୪ ଦିନ ପୁଣି କିଏ ୨୧ ଦିନ ପର୍ଯ୍ୟନ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିବା ପରେ ନିଜ ନିଜ ଘରକୁ ଫେରିଛନ୍ତି। ଭାବିଥିଲେ, ଏହି କରୋନା ପ୍ରତିହତ ହେବ ଓ ପୁଣିଥରେ ସେମାନେ ନିଜ କର୍ମ ସ୍ଥଳକୁ ଫେରିଯିବେ। କିନ୍ତୁ ଇତି ମଧ୍ୟରେ ପ୍ରାୟ ୫ ମାସ ବିତିଗଲାଣି। ଲକ ଡାଉନ ଓ ସଟ ଡାଉନ ସମାପ୍ତ ହେବାର ନାମ ଧରୁନାହୁଁ। ଏଭଳି ସ୍ଥଳେ ପରିବାର ଚଳାଇବା ଅନେକଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡ଼ିଛି। କନ୍ଧମାଳ ଜିଲା ଏକ ଶିଳ୍ପ ବିହୀନ ଜିଲା ହୋଇଥିବା ଯୋଗୁଁ ଚାଷ କରି କିଛି ରୋଜଗାର କରିବା ପ୍ରବାସୀଙ୍କ ପାଇଁ ଏକମାତ୍ର ଭରସା ହୋଇଛି। ଏଭଳି ସ୍ଥଳେ ଗାଁକୁ ଫେରିଥିବା ପ୍ରବାସୀ ଆଲୋଚନା କରି ସମସ୍ତେ ମିଳିମିଶି ଯାହା ବର୍ଷ ବର୍ଷ ଧରି କରିପାରିନଥିଲେ ତାହାକୁ ମାତ୍ର ୩ ଦିନ ସଂଘର୍ଷ କରି ଦେଖାଇଛନ୍ତି। ଗ୍ରାମବାସୀ ପାହାଡ଼ କାଟି ଦୀର୍ଘ ୧ କିଲୋମିଟର ପର୍ଯ୍ୟନ୍ତ ପାହାଡ କଡ଼ରେ ଗାଁ ମୁଣ୍ଡକୁ ପାଣି ଆଣିବାରେ ସକ୍ଷମ ହୋଇଛନ୍ତି।
ଗ୍ରାମରେ ପ୍ରାୟ ୩୦ ପରିବାରର ୧୮୦ ଜଣ ରହୁଥିବାବେଳେ ସମସ୍ତେ ଚାଷ ଉପରେ ନିର୍ଭରଶୀଳ। କିନ୍ତୁ ଚାଷ ଜମିକୁ ପାଣି ନଥିଲା ବିଶେଷ କରି ଗ୍ରାମବାସୀ ପ୍ରାୟତଃ ରାଜ୍ୟ ବାହାରେ ରହୁଥିବାରୁ ସେମାନଙ୍କ ମଧ୍ୟରେ ଏକତା ନଥିଲା। ତେବେ ଗ୍ରାମକୁ ଏବେ ସମସ୍ତେ ଫେରିବା ପରେ ରୋଜଗାର ଚିନ୍ତା କରୁଥିଲେ। ଏହି ସମୟରେ ସେମାନଙ୍କୁ ଏକାଠି କରିଥିଲା ସ୍ଥାନୀୟ ସ୍ୱେଚ୍ଛାସେବୀ ସଂସ୍ଥା କନ୍ଧମାଳ ସବୁଜ ବୈଦ୍ୟ ସଂଗଠନ। ସମସ୍ତେ ଏକ ହେଲେ ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ ହୋଇପାରିବ ବୋଲି ବାର୍ତ୍ତା ଦେବା ପରେ ଆରମ୍ଭ ହୋଇଥିଲା ଅପରେସନ୍ ଗ୍ରାମକୁ ପାଣି। ସମସ୍ତେ ମିଳିମିଶି ନିଜ ହାତରେ କୋଡ଼ି କୋଦାଳ ଶାବଳ ଧରି ଚାଷ ଜମିକୁ ପାଣି ଆଣିବା ସମ୍ଭବ କରିପାରିଛନ୍ତି। ଏହା ପରେ ଗ୍ରାମବାସୀ ବୁଡୁକେଜୁ ପାହାଡ଼ ଉପରେ ଥିବା ଜଳ ଉତ୍ସ ଠାରୁ ୧ କିଲୋମିଟର ପର୍ଯ୍ୟନ୍ତ ପାହାଡ଼ର କଡ଼େ କଡ଼େ ପାଣି ଆଣିଥିଲେ। ବର୍ତମାନ ଗାଁରେ ଥିବା ଚାଷ ଜମିକୁ ପାଣି ଆସିଥିବାରୁ ଗ୍ରାମବାସୀଙ୍କର ଆନନ୍ଦ କହିଲେ ନ’ସରେ। ପାଣି ଜମିକୁ ଆସିଥିବାରୁ ବର୍ତମାନ ଗ୍ରାମବାସୀ ବିଭିନ୍ନ ପ୍ରକାର ଚାଷ ବାସ କରି ପରିବାର ପ୍ରତିପୋଷଣ କରିପାରିବେ ବୋଲି ଗାଁର ଝିମେନ୍ଦ୍ର ମାଝୀ, ମର୍କ ପ୍ରଧାନ, ସୁକାଳତା ପ୍ରଧାନ ଓ ଅର୍ପିତା ପ୍ରଧାନ ପ୍ରମୁଖ ପ୍ରକାଶ କରିଛନ୍ତି। ଏହା ସେମାନଙ୍କ ମଧ୍ୟରେ ଏକ ନୂତନ ଆଶା ସଂଚାର କରିଛି ବୋଲି କନ୍ଧମାଳ ସବୁଜ ବୈଦ ସଂଗଠନର ସଂପାଦକ ଦିନବନ୍ଧୁ ମହାରଣା ପ୍ରକାଶ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories