ସରକାରୀ ଶିଳ୍ପ ତାଲିମ କେନ୍ଦ୍ରରେ ବିଶ୍ୱ ଯୁବ ଦକ୍ଷତା ଦିବସ -୨୦୨୨ ପାଳିତ

ଫୁଲବାଣୀ: ସ୍ଥାନୀୟ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ସମ୍ମିଳନୀ କକ୍ଷରେ ବିଶ୍ୱ ଯୁବ ଦକ୍ଷତା ଦିବସ -୨୦୨୨ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ପାଟିଲ ଆଶିଷ ଇଶ୍ୱର କହିଲେ ଯେ, ନିଜର ତଥା ନିଜ ପରିବାରର ଆର୍ଥିକ ଅବସ୍ଥାରେ ସୁଧାର ଆଣିବାକୁ ହେଲେ ପ୍ରଥମେ ନିଜର ଦକ୍ଷତା ବୃଦ୍ଧି କରିବା ଆବଶ୍ୟକ । ଦ୍ୱିତୀୟରେ ଦକ୍ଷତା ବୃଦ୍ଧି ପାଇଁ ତାଲିମ ପାଇବା ପରେ ଚାକିରି କିମ୍ବା କାର୍ଯ୍ୟ ପ୍ରତି ନିଜର ଉତ୍ସର୍ଗୀକୃତ ମନୋଭାବ ରହିବା ନିହାତି ଜରୁରୀ । ସେହି ସମୟ ଟିକେ କଷ୍ଟ ଲାଗିପାରେ ମାତ୍ର ଭବିଷ୍ୟତରେ ନିଜର, ନିଜ ପରିବାରର, ଜିଲ୍ଲାର ତଥା ଦେଶର ନାଁ ରଖିବା ସମ୍ଭାବନା ଅଧିକ ହୋଇଥାଏ ।

ଏମିତିବି ସମସ୍ତଙ୍କ ଜୀବନରେ କିଛି ନା କିଛି ସଂଘର୍ଷ ରହିଛି । ତେଣୁ ଏମିତି ଏକ ନିଷ୍ପତ୍ତି ନିଅ ଯାହା ତୁମମାନଙ୍କୁ ଏକ ସୁନ୍ଦର ଭବିଷ୍ୟତ ଦେଇପାରିବ । ମାତ୍ର ଚାକିରି ଛାଡ଼ି ଘରେ ବସିଲେ ପରିବାର ପାଇଁ ସମସ୍ୟା ସୃଷ୍ଟି କରିବା ସହିତ ନିଜର ଭବିଷ୍ୟତ ଅନ୍ଧାର ହୋଇଯିବ । ବେକାରି ସମସ୍ୟାକୁ ଦୂର କରିବା ପାଇଁ ସରକାର ଯୁବକ ଯୁବତୀ ମାନଙ୍କର ଦକ୍ଷତା ବୃଦ୍ଧିପାଇଁ ଗୁରୁତ୍ୱ ଦେଉଛନ୍ତି ।  ଏହାର ସୁଯୋଗ ନେବାକୁ ଉପସ୍ଥିତ ପ୍ରଶିକ୍ଷାର୍ଥୀ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ସେହିପରି ବିଜ୍ଞାନ ଭାରତୀ ଚାରିଟେବଲ୍‌ ଟ୍ରଷ୍ଟର ନିର୍ଦ୍ଦେଶକ ଅନିଲ ପାଣିଗ୍ରାହୀ ମଧ୍ୟ ନିଯୁକ୍ତି ପାଇବା ପରେ ଧର୍ଯ୍ୟର ସହ କାମ କରିଚାକୁ ଗୁରୁତ୍ୱ ଦେଇଥିଲେ । ଫଳରେ ଅଭିଜ୍ଞତା ବୃଦ୍ଧି ହେବା ସହିତ ଦରମା ମଧ୍ୟ ବୃଦ୍ଧି ହେବ ବୋଲି ସେ କହିଥିଲେ ।

ଜିଲ୍ଲା ନିୟୋଜନ ଅଧିକାରୀ ଭୃଙ୍ଗରାଜ ମହାନ୍ତି ଯୁବ ସାମର୍ଥ୍ୟକୁ ଅଚଳ ସମୁଦ୍ର ସହ ତୁଳନା କରିଥିଲେ । ସେମାନେ କୁଶଳୀ ହୋଇପାରିଲେ ସାରା ଜୀବନ ସେମାନଙ୍କର ତଥା ସେମାନଙ୍କ ପରିବାରର ଉନ୍ନତି ହୋପାରିବ ବୋଲି ସେ କହିଥିଲେ ।  ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମଞ୍ଜୁଳା ପ୍ରଧାନ ଯୁବ ଶକ୍ତିକୁ ରାଷ୍ଟ୍ରର ଶକ୍ତି ବୋଲି କହିଥିଲେ । ରାଷ୍ଟ୍ରକୁ ଆଗେଇନେବାକୁ ହେଲେ ପ୍ରତିଟି କାର୍ଯ୍ୟରେ ଦକ୍ଷତା ଦରକାର । ସବୁଠାରୁ ବଡ଼ କଥା ହେଲା ଝିଅମାନେ କୁଶଳୀ ହୋଇପାରିଲେ ସବୁ ପ୍ରକାର ଚ୍ୟାଲେଞ୍ଜକୁ ସେମାନେ ସମ୍ମୁଖୀନ ହୋଇପାରିବେ ଏପରିକି ବିବାହ ପରେ ମଧ୍ୟ ସେହି ପରିବାରରେ କେହି ବେକାର ହେବେ ନାହିଁ ।  ସେହିପରି ପ୍ରୋଗ୍ରାମ ଅଧିକାରୀ ଏସ୍‌. ଗାୟତ୍ରୀ ମଧ୍ୟ ସାମ୍ପ୍ରତିକ ପରିସ୍ଥିତିରେ ରାଷ୍ଟ୍ର ଯୁବଗୋଷ୍ଠୀମାନଙ୍କର ଦକ୍ଷତା ବୃଦ୍ଧି ଚାହୁଁଛି ବୋଲି କହିଥିଲେ । ତେଣୁ ଯୁବ ଗୋଷ୍ଠୀ ବଂଚିବାର କୌଶଳ ଶିଖନ୍ତୁ । ନିଜର ଦକ୍ଷତା ବୃଦ୍ଧି କରିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କର ଦକ୍ଷତା ବୃଦ୍ଧି କରିବାରେ ସହଯୋଗ କରନ୍ତୁ ବୋଲି ପରାମର୍ଶ ଦେଇଥିଲେ ।

ଆକ୍ସନ-ଏଡ୍‌ ର ଜିଲ୍ଲା ସଂଯୋଜିକା ଶ୍ରୀମତୀ ସନ୍ଧ୍ୟାରାଣୀ ନାୟକ କହିଲେ ଯେ, ଜଣେ କୁଶଳୀ ଯୁବକ ବା ଯୁବତୀ କେବେବି ବେକାର ହୋଇ ଘରେ ବସିରହିବ ନାହିଁ ଯଦି ସେ ତା’ର ତଥା ତା’  ପରିବାରର ଉନ୍ନତି ଚାହୁଁଥାଏ । ସେ ଜିଲ୍ଲାର କେତେଗୁଡ଼ିଏ ଯୁବତୀମାନଙ୍କୁ କାଉନ୍‌ସେଲିଙ୍ଗ୍‌ କରି ଜେନେରାଲ ଡ୍ୟୁଟି ଆସିଷ୍ଟାଣ୍ଟ  ଟ୍ରେଡ୍‌ରେ ସରକାରୀ ଶିଳ୍ପ ତାଲିମ କେନ୍ଦ୍ରରେ ତାଲିମ ନେବେ ବୋଲି ନାମ ଲେଖାଇଛନ୍ତି । ସେମାନେ ଚାହିଁଲେ, କନ୍ଧମାଳ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେଲାପରେ ନିଯୁକ୍ତି ପାଇପାରିବେ  । ଏହି ତାଲିମ ପରେ ସେମାନେ ନର୍ସମାନଙ୍କ ଆସିଷ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇପାରିବେ ବୋଲି ସେ କହିଥିଲେ । ସରକାରୀ ଶିଳ୍ପ ତାଲିମ କେନ୍ଦ୍ରର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସେଠୀ ପ୍ରାରମ୍ଭିକ ସମ୍ଭାଷଣ ଦେଇଥିବାବେଳେ ତାଲିମ ଅଧିକାରୀ ସେମନାଥ ତରିଆ ଧନ୍ୟବାଦ ଅର୍ପଣ କରିଥିଲେ ଓ ନୃସିଂହାନନ୍ଦ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ପ୍ରାରମ୍ଭରେ ଜିଲ୍ଲାପାଳ ଦକ୍ଷତା ବୃଦ୍ଧି କେନ୍ଦ୍ରରେ ଜେନେରାଲ ଡ୍ୟୁଟି ଆସିଷ୍ଟାଣ୍ଡ  ତାଲିମକୁ ଶୁଭ ଉଦ୍‌ଘାଟନ କରିବା ସହିତ ତାଲିମ କେନ୍ଦ୍ର ପରିଦର୍ଶନ କରିଥିଲେ ଏବଂ ନୂଆ କରି ନାମ ଲେଖାଇଥିବା ଝିଅମାନଙ୍କୁ ତାଲିମ ପରେ ଓଡ଼ିଶା ବାହାରେ ନିଯୁକ୍ତି ପାଇଲେ ବି ନଛାଡ଼ିବାକୁ ପରାମର୍ଶ ଦେଇଥିଲେ । ପରେ ପରେ ସେ ପ୍ରଶିକ୍ଷାର୍ଥୀମାନେ ନିଜ ନିଜର ଅଭିନବ ଧାରଣାରେ ତିଆରି କରିଥିବା ପ୍ରୋଜେକ୍ଟ ଗୁଡ଼ିକୁ ବୁଲି ଦେଖିଥିଲେ ଓ ପ୍ରଶଂସା ମଧ୍ୟ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଆଇ.ଟି.ଆଇର ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ ।

Comments are closed.