ଓଡ଼ିଆ ସ୍ୱାଭିମାନର ସେନାପତି

ଫକିରମୋହନ ସେନାପତି ଭାରତୀୟ ଭାଷା ସାହିତ୍ୟର ଜଣେ ପ୍ରମୁଖ ବିନ୍ଧାଣି ଏବଂ ଓଡ଼ିଆ ଭାଷା-ସାହିତ୍ୟ ସୁରକ୍ଷା ଆନ୍ଦୋଳନର ଯଥାର୍ଥ ସେନାପତି। ଆଧୁନିକ ଓଡ଼ିଆ ଗଳ୍ପର ଜନକ ଭାବେ ତାଙ୍କର ଖ୍ୟାତି ଅବିସମ୍ବାଦିତ। ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଯେ ‘ରେବତୀ’ ଗଳ୍ପ ଓ ‘ଛ ମାଣ ଆଠ ଗୁଣ୍ଠ’ ଉପନ୍ୟାସ ଫକିରମୋହନଙ୍କ ଆଦ୍ୟସୃଷ୍ଟି ହୋଇଥିଲେ ହେଁ ଏହା ତାଙ୍କର ଶ୍ରେଷ୍ଠରଚନା। ଏମିତି ଉତ୍ତୀର୍ଣ୍ଣତାରୁ କ୍ୱଚିତ୍‌ ସାହିତ୍ୟିକ ସାରସ୍ୱତ ଜୀବନ ଆରମ୍ଭ କରିଥାନ୍ତି। ଏହି ଦୁଇ ରଚନାର ମର୍ଯ୍ୟାଦା ସମୟ କ୍ରମେ ବଢ଼ିବଢ଼ି ଚାଲିବା ସହ ଅଧିକରୁ ଅଧିକ ସତେଜ୍‍ ଲାଗୁଛି, ସାମ୍ପ୍ରତିକ ମନେହେଉଛି। ସମାଲୋଚନାର ଯେତେପ୍ରକାର ପଦ୍ଧତି ଆବିଷ୍କୃତ ହେଉଛି ସବୁଥିରେ ଉତ୍ତୀର୍ଣ୍ଣ ହେବା ସହ ଏହାର ନୂଆନୂଆ ଦିଗ ଉନ୍ମୋଚିତ ହେବାରେ ଲାଗିଛି। ମହତ ସାହିତ୍ୟ ସୃଷ୍ଟି ସହସ୍ର କୋଟିଯୁକ୍ତ ହୀରାଖଣ୍ଡ ପରି। ଏହାର ଦ୍ୟୁତି କେତେବେଳେ ସ୍ବାଭାବିକ ବିକୀର୍ଣ୍ଣ ହୋଇଉଠିବ ପୂର୍ବରୁ ଅନୁମାନ କରିହୁଏ ନାହିଁ। ଏହା ବହୁ ବର୍ଣ୍ଣବିଭାମୟ, ବହୁତଳବିଶିଷ୍ଟ ଓ ବହୁସ୍ତରାନ୍ବିତ। ଦେଶ, କାଳ ଓ ପାତ୍ର ଭେଦରେ ଏହାର ଗୁଣବତ୍ତା ଝଟକେ। ଏ ଦୃଷ୍ଟିରୁ ଦେଖିଲେ ‘ରେବତୀ’ ଓ ‘ଛ ମାଣ ଆଠ ଗୁଣ୍ଠ’କୁ ସେହି ପର୍ଯ୍ୟାୟଭୁକ୍ତ କରିପାରିବା।
‘ଛ ମାଣ ଆଠ ଗୁଣ୍ଠ’ର ରଚନାକାଳ ୧୮୯୭ରୁ ୧୮୯୮ ମଧ୍ୟରେ; କିନ୍ତୁ ପୁସ୍ତକ ଆକାରରେ ଆତ୍ମପ୍ରକାଶ କରେ ୧୯୦୨ରେ। ଏହା ଊନବିଂଶ ଶତାବ୍ଦୀର ପ୍ରଥମ ଚାଳିଶବର୍ଷର ସାମାଜିକ ଜୀବନର ଆଲେଖ୍ୟ। ଏଥିରେ ସାମାଜିକ, ନୈତିକ ଓ ରାଜନୈତିକ ପ୍ରଯୋଜନା ଅଛି ଏବଂ ସାମାଜିକ ଜୀବନର ଛବିକୁ ଜୀବନ୍ତ ଚରିତ୍ର ଚିତ୍ରଣ ଓ ଚାଟୁଳ ହାସ୍ୟରସ ପରିବେଷଣରେ ଫକିରମୋହନ ପ୍ରତିଟି ଚରିତ୍ରକୁ ନ୍ୟାୟ ଦେବାରେ ଯେଉଁ ବିଚାର ରଖିଛନ୍ତି ତାହା ଅପୂର୍ବ। ସବୁଠାରେ ପୁନର୍ବିଚାରର ଅବକାଶ ରହିଛି। ‘ଛ ମାଣ ଆଠ ଗୁଣ୍ଠ’ର ଅନ୍ୟତମ ବିଶିଷ୍ଟ ଦିଗ ହେଲା ପାଠକୀୟ ମନୋରଞ୍ଜନ ଉଦ୍ଦେଶ୍ୟଠୁୁ ଔପନ୍ୟାସିକ ଦୂରେଇ ରହି ତତ୍ତ୍ୱର ଅବତାରଣା କରିଛନ୍ତି। ସେ ଯେଉଁ ଓଡ଼ିଶାର ସ୍ୱପ୍ନ ଦେଖୁଥିଲେ ସେହି ରାଜ୍ୟ ପ୍ରତିଷ୍ଠା ବିଷୟକୁ କେନ୍ଦ୍ରକରି ଆଖ୍ୟାୟିକା ଗଢ଼ିଛନ୍ତି। ଏଥିରେ ଓଡ଼ିଆ ସମାଜ ଓ ସଂସ୍କୃତିର ବ୍ୟର୍ଥତା ଓ ସମସ୍ୟାକୁ ବିଶ୍ଲେଷଣ କରାଯାଇଛି, ପୁନର୍ଗଠନର ସୁନ୍ଦର ଯୋଜନା ଉପସ୍ଥାପିତ ହୋଇଛି। ବଙ୍କିମଚନ୍ଦ୍ରଙ୍କ ‘ଆନନ୍ଦମଠ’ ଓ ମୁନ୍‍ସି ପ୍ରେମଚନ୍ଦଙ୍କ ‘ଗୋଦାନ’ ଉପନ୍ୟାସ ତୁଳନାରେ କେହିକେହି ‘ଛ ମାଣ ଆଠ ଗୁଣ୍ଠ’କୁ ଅଧିକ ଆଧୁନିକ ଦୃଷ୍ଟିସମ୍ପନ୍ନ ଓ ପ୍ରଗତିଶୀଳ କହନ୍ତି। ବଙ୍କିମଙ୍କ କେତେକ ଉପନ୍ୟାସର ବାସ୍ତବ ଜୀବନାଲେଖର ଅଭାବ ଅଛି ବୋଲି ସମାଲୋଚକମାନେ କହନ୍ତି। ତାରକାନାଥ ବନ୍ଦୋପାଧ୍ୟାୟ ‘ଦୁର୍ଗେଶନନ୍ଦିନୀ’ରେ ପ୍ରାକୃତିକ ଚରିତ୍ର ଓ ବାସ୍ତବ ଜୀବନର ଚିତ୍ରର ଅଭାବ ରହିଥିବା ଉଲ୍ଲେଖ କରିଛନ୍ତି; ମାତ୍ର ଫକିରମୋହନଙ୍କ ବିରୋଧରେ ଏପ୍ରକାର ମତପୋଷଣ କେଉଁଠି ଶୁଣିବାକୁ ମିଳେନାହିଁ। ବର୍ଣ୍ଣନାର ମୌଳିକତା ପାଇଁ ଫକିରମୋହନ ଅଦ୍ୱିତୀୟ।
ଅନ୍ୟପକ୍ଷରେ ‘ରେବତୀ’ ପରି କାଳଜୟୀ ଗପ ବିଶ୍ୱସାହିତ୍ୟରେ ବିରଳ। ପୃଥିବୀରେ କ୍ୱଚିତ୍‌ ଗଳ୍ପ ଅଛି ଯିଏ ସମ୍ପୂର୍ଣ୍ଣ ଟ୍ରାଜେଡି; ଯେଉଁ ଗଳ୍ପ ପଢ଼ି ସାରିବା ପରେ ପାଠକ ଦୁଃଖିତ କିମ୍ବା ମର୍ମାହତ ହୁଅନ୍ତି ନାହିଁ, ଅଧିକନ୍ତୁ ଚିନ୍ତାଚେତନାକୁ ଆନ୍ଦୋଳିତ କରେ। ରେବତୀ ଏପରି ଏକ ଟ୍ରାଜିକ୍‌ ଗପ ଯେଉଁଥିରେ ଗୋଟିଏ ଗାଉଁଲୀ ଝିଅ ଓ ଦୂରାଗତ ଶିକ୍ଷକ ମଧ୍ୟରେ ଚମତ୍କାର ପ୍ରେମର ଅଙ୍କୁରୋଦ୍‌ଗମ ହୋଇଛି। ହେଲେ ଅପ୍ରତ୍ୟାଶିତ ଭାବେ ଦୁର୍ଭାଗ୍ୟର ବେତ୍ରାଘାତ ହୁଏ ଏବଂ ଗୋଟାକ ପରେ ଗୋଟଏ ଜୀବନ ଅସମୟରେ ଝରିପଡ଼େ। ରେବତୀର ଜନପ୍ରିୟତାକୁ ଏବଂ ତା’ର କଥାବସ୍ତୁ, ଭାଷା, ଶୈଳ୍ପିକ ସୌଷ୍ଠବକୁ ଭିତ୍ତିକରି ଆଜିଯାଏଁ ଓଡ଼ିଆରେ ଲେଖାଯାଇଥିବା ଗଳ୍ପ ମଧ୍ୟରେ ରେବତୀର ସ୍ଥାନ ନେଇ ବିତର୍କ ହୋଇଥିଲେ ହେଁ ରେବତୀ ସହିତ କୌଣସି ଗଳ୍ପକୁ ସମତୁଲ ବା ତା’ର ଏକ ତୁଳନାତ୍ମକ ଅଧ୍ୟୟନ କରିବାର ମଧ୍ୟ ସତ୍‍ସାହସ କେହି କରିପାରିନାହାନ୍ତି କିମ୍ବା ସେପରି ଅବସର ସୃଷ୍ଟି ହୋଇନାହିଁ। ରେବତୀ ରଚନାର ଶହେବର୍ଷ ପୂର୍ତ୍ତି ଏବଂ ନିକଟରେ ଓଡ଼ିଶାର କେତେକ ଲବ୍ଧପ୍ରତିଷ୍ଠ କଥାଶିଳ୍ପୀ ଫକିରମୋହନଙ୍କ ରେବତୀ ଓ ଆଜିର ରେବତୀଙ୍କୁ ଆଧାର କରି ଅନେକ ଗଳ୍ପ ରଚନା କରିଛନ୍ତି। ସେଭିତରୁ କିଛି ଗଳ୍ପ ସାହିତ୍ୟିକ ତଥା ସୁଧୀ ସମାଲୋଚକଙ୍କ ମହଲରେ ଆଦୃତି ଲାଭକରିଛି; ହେଲେ ତାହା ଫକିରମୋହନଙ୍କ ରେବତୀର ଦ୍ୟୁତି ଓ ଦୀପ୍ତିର ପାଖ ବି ମାଡ଼ିପାରିନାହିଁ। ୧୮୯୮ରେ ରଚିତ ରେବତୀକୁ କେହିକେହି ଭାରତୀୟ ଭାଷା ସାହିତ୍ୟର ପ୍ରଥମ ଆଧୁନିକ ଗଳ୍ପ ବୋଲି କହନ୍ତି।
ମାତୃଭାଷା ପାଇଁ ଚିରଜାଗ୍ରତ ଫକିରମୋହନଙ୍କ ଶୟନେ, ସ୍ୱପନେ, ଜାଗରଣେ ଗୋଟିଏ ଧ୍ୟାନ, ଗୋଟିଏ ଚିନ୍ତା ମୋ ଦେଶ, ମୋ ଜାତି। ମୋ ଭାରତ, ମୋ ଓଡ଼ିଶା। ଭାରତୀୟ ଓଡ଼ିଆଙ୍କ ଟେକ ହିଁ ଥିଲା। ଓଡ଼ିଆଙ୍କ ଜାତୀୟ ନିଷ୍କ୍ରିୟତା ଓ ସାମାଜିକ ଦୋଷ ଦୁର୍ବଳତାକୁ ଦୂରକରିବା ଦିଗରେ ସେ ସତତ ପ୍ରୟାସୀ ଥିଲେ। ସେ ଥିଲେ ଜଣେ ସ୍ୱାଭିମାନୀ ସଂଗ୍ରାମ-ନିପୁଣ ସେନାପତି। କେତେକ ବଙ୍ଗୀୟ ବୁଦ୍ଧିଜୀବୀଙ୍କ ଓଡ଼ିଆ ଭାଷା ବିଲୋପ ଆନ୍ଦୋଳନର କଡ଼ା ଜବାବଦେଇ ଓଡ଼ିଆ ଭାଷାର ଆତ୍ମପ୍ରତିଷ୍ଠା, ପ୍ରାଚୀନ ପ୍ରତିଷ୍ଠାର ପୁନରୁଦ୍ଧାର ଓ ସୁରକ୍ଷା ପାଇଁ ବ୍ୟାପକ ଆନ୍ଦୋଳନର ପୁରୋଧା ସାଜିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ଜାତୀୟତା କ୍ଷେତ୍ରରେ ଫକିରମୋହନଙ୍କ ସ୍ୱାଭିମାନର ପଟାନ୍ତର ନାହିଁ।
ଦିନେ ଜନ୍‍ ବୋଲଟନ ଫକିରମୋହନଙ୍କୁ ପରିଚିତ କରାଇଥିଲେ ଇଂଲଣ୍ଡରେ। ‘ଛଅମାଣ ଆଠଗୁଣ୍ଠ’ ପ୍ରଖ୍ୟାତ ଲେଖକ ରବିଶଙ୍କର ମିଶ୍ର, ସତ୍ୟପ୍ରକାଶ ମହାନ୍ତି, ଯତୀନ୍ଦ୍ର କୁମାର ନାୟକ ଓ ପଲ୍‍ ସେଣ୍ଟ ପିଟରଙ୍କ ଦ୍ୱାରା ‘ସିକ୍ସ ଏକର୍ସ ଆଣ୍ଡ ଏ ଥାର୍ଡ଼’ ଶୀର୍ଷକରେ ଇଂରାଜୀରେ ଅନୁବାଦ ହୋଇଛି। ଏହାକୁ ଛାପିଛନ୍ତି ‘ୟୁନିଭରସିଟି ଅଫ୍‍ କାଲିଫର୍ଣ୍ଣିଆ ପ୍ରେସ୍‍’। ଏହାଛଡ଼ା ଆମେରିକାର ତିନି ବିଶିଷ୍ଟ ପ୍ରଫେସର ପଲ୍‍ ଏଲ୍‍ ସାୱୟେର, କ୍ଲାଏର ହୋରାନ ଓ ଉଲକା ଅଞ୍ଜାରିଆ ‘ଛ ମାଣ ଆଠଗୁଣ୍ଠ’ର ଉଚ୍ଚକୋଟୀର ମୂଲ୍ୟାୟନ କରିଛନ୍ତି। ଏହାଦ୍ୱାରା ଆମେରିକାର ସାହିତ୍ୟପିପାସୁଙ୍କ ଦୃଷ୍ଟିକୁ ଆସିପାରିଛନ୍ତି ଫକିରମୋହନ। ‘ରେବତୀ’ ଓ ‘ଛଅମାଣ ଆଠଗୁଣ୍ଠ’ ନିଶ୍ଚିତ ଭାବେ ଫକିରମୋହନଙ୍କ ଶ୍ରେଷ୍ଠଗଳ୍ପ ଓ ଉପନ୍ୟାସ; କିନ୍ତୁ ଏହା ଫକିରମୋହନଙ୍କ କୃତିର ଭଗ୍ନାଂଶଟିଏର ପ୍ରତିନିଧିତ୍ୱ କରୁଛି। ତାଙ୍କର ସମୂହକୃତି ସେଠାରେ ଆଲୋକିତ ହେବାର ଆବଶ୍ୟକତା ରହିଛି।
ମୋଟାମୋଟି କହିବାକୁ ଗଲେ, ଆମେ ଜାତୀୟ ସ୍ତରରେ ଯଥାର୍ଥ ଭାବେ ଫକିରମୋହନ ସାହିତ୍ୟର ଯୁଗାନ୍ତକାରୀ ବିଭବକୁ ପ୍ରତିଷ୍ଠା କରାଇପାରିନାହୁଁ କିମ୍ବା ଏ ଦିଗରେ ସମଷ୍ଟିଗତ ଉଦ୍ୟମ ହୋଇନାହିଁ। ଲଛମା, ପ୍ରାୟଶ୍ଚିତ୍ତ ଆଦି ଇଂରାଜୀରେ ଅନୂଦିତ ହୋଇପାରିନଥିବାବେଳେ ତାଙ୍କର ଗଦ୍ୟରଚନା-ଅଣଗଳ୍ପ-କବିତା ଅନୂଦିତ ହୋଇନାହିଁ। ଇଂରାଜୀକୁ ଛାଡ଼ିଦେଲେ ପ୍ରାନ୍ତୀୟ ଭାଷାରେ, ଏପରିକି ହିନ୍ଦୀ ଓ ବଙ୍ଗଳାରେ ମଧ୍ୟ ଆଶାନୁରୂପ ଭାବେ ଫକିରମୋହନଙ୍କ ସାହିତ୍ୟକୃତି ଅନୂଦିତ ହୋଇପାରିନାହିିଁ। ଏ ଦିଗରେ ସୁଧୀ ସମାଲୋଚକ, ସାହିତ୍ୟିକ ତଥା ସାହିତ୍ୟକର୍ମୀ-ସେବୀ-ପୃଷ୍ଠପୋଷକ ବୈଜ୍ଞାନିକ ପଦ୍ଧତିରେ ତାହାର ତୁଳନାତ୍ମକ ବିଚାର ରଖି ସର୍ବଭାରତୀୟ-ଅନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ କରାଇବା ନିତାନ୍ତ ଜରୁରୀ। ଏହାକୁ ପରମ ଜାତୀୟ କର୍ତ୍ତବ୍ୟ ଓ ଅସ୍ମିତାର ପ୍ରଶ୍ନ ମନେକରି ଦ୍ୱିଗୁଣ ଉତ୍ସାହ ଦେଖାଇଲେ ଯାଇ ଏହା ସମ୍ଭବ ହୋଇପାରିବ।

prayash

ମନୋଜ ମେହେର

ସହ-ସମ୍ପାଦକ ‘ସମାଜ’,
ଗୋପବନ୍ଧୁ ଭବନ, କଟକ-୧

 

kalyan agarbati

Comments are closed.