mission shakti banner

ଚୋରା ଚାଲାଣ ବେଳେ ପି.ଡ଼ି.ଏସ. ସାମଗ୍ରୀ ସହ ଟ୍ରକ ଅଟକ

BSKY banner  750×100
0

ଧାମରା: ରାଜ୍ୟରେ କେହି ଭୋକିଲା ରହିବେ ନାହିଁ। ଏହି ନାରାରେ ସରକାରଙ୍କ ତରଫରୁ ରାସନକାର୍ଡ଼ ହିତାଧିକାରୀଙ୍କୁ ୧ଟଙ୍କାରେ ଚାଉଳ ଓ ପ୍ରତ୍ୟେକ ପରିବାରକୁ ୪ଲିଟର କିରୋସିନି ଯୋଗାଇ ଦିଆଯାଉଛି। ଏଥିପାଇଁ ପ୍ରତ୍ୟେକ ୱାର୍ଡ଼ ଏବଂ ପ୍ରତ୍ୟେକ ପଞ୍ଚାୟତରେ ସରକାରଙ୍କ ଖାଉଟି କେନ୍ଦ୍ର ଖୋଲା ଯାଇଛି। ଏ ସମସ୍ତ ସାମଗ୍ରୀକୁ ସୁବଣ୍ଟନ କରିବା ପାଇଁ ଡ଼ିଲର ନିଯୁକ୍ତି ଦିଆଯାଇଛି। ହେଲେ କେତେକ ଡ଼ିଲରଙ୍କ ଅସାଧୁ ପଣିଆ ପାଇଁ ସରକାରଙ୍କ ଏହି ଯୋଜନା ବାଟବଣା ହେଉଛି। ଏପରି ଏକ ପି.ଡ଼ି.ଏସ ଚାଉଳ ଚୋରାରେ ବିକ୍ରି ହେବା ଘଟଣା ଲୋକ ଲୋଚନକୁ ଆସିବା ପରେ ଚାନ୍ଦବାଲି ବ୍ଳକ କରଣପଲ୍ଲୀ ପଞ୍ଚାୟତରେ ସମ୍ପୃକ୍ତ ଟ୍ରକ ଓ ଟ୍ରକ ମଧ୍ୟରେ ଥିବା କଣ୍ଟ୍ରୋଲ ସାମଗ୍ରୀ ଅଟକ ରଖି ପୁଲିସକୁ ଖବର ଦେଇଛନ୍ତି। ସନ୍ଧ୍ୟା ସାଢ଼େ ୭ଟା ବେଳେ କରଣପଳ୍ଲୀସ୍ଥିତ ପଞ୍ଚାୟତ ଗୋଦାମରୁ ଏକ ଟ୍ରକ (ନମ୍ବର ଓଆର.୦୯ ଏଫ ୬୬୦୫) ଯୋଗେ ତଳରାସ୍ତା ଦେଇ ବିକ୍ରି ଉଦ୍ଦେଶ୍ୟରେ ୧୧ ବସ୍ତା ଚାଉଳ ସମେତ ଦୁଇଟି ଜାର ଭର୍ତ୍ତି ୧୦୦ ଲିଟର କିରୋସିନି ବାସୁଦେବପୁର ଅଭିମୂଖେ ଯାଉଥିବା ବେଳେ କରଣପଲ୍ଲୀ ତ୍ରୀନାଥ ମନ୍ଦିର ନିକଟରେ ସ୍ଥାନୀୟ ଯୁବକମାନେ ଟ୍ରକଟିକୁ ଅଟକାଇଥିଲେ। ରାତିରେ ପି.ଡ଼ି.ଏସ. ସାମଗ୍ରୀ କେଉଁଠିକୁ ଯାଉଛି ବୋଲି ଡ଼୍ରାଇଭରକୁ ପଚାରିବାରୁ ସେ କହିଥିଲା ବାସୁଦେବପୁରର ଏକ ନିର୍ଦ୍ଦିଷ୍ଟ ଦୋକାନରେ ଦେବାପାଇଁ ଯାଉଛି। ଏଥିପାଇଁ କୈାଣସି ସରକାରୀ କାଗଜ ପତ୍ର ନଥିବା ବେଳେ ଡ଼୍ରାଇଭର କଥାର ତାଳମେଳ ରହୁଥିବାରୁ ସନ୍ଦେହ ବଢ଼ିଥିଲା। ପରେ ଉକ୍ତ ସ୍ଥାନରେ ଉତ୍ତେଜନା ଦେଖାଦେଇଥିଲା। କେତେକ ଯୁବକ ଏହି ଦୃଶ୍ୟକୁ ମୋବାଇଲରେ ଫଟୋ ଉଠାଉଥିବାରୁ ସମ୍ପୃକ୍ତ ଡ଼ିଲର ଓ ତାଙ୍କ ସମର୍ଥକ ଏଥିରେ ବିରୋଧ କରିବାରୁ ଘଟଣା ତିବ୍ର ଆକାର ଧାରଣ କରିଥିଲା। ଖବର ପାଇ କରଞ୍ଜମାଳ ପୁଲିସ ପହଞ୍ଚି ଟ୍ରକ ଓ ପି.ଡ଼ି.ଏସ. ସାମଗ୍ରୀ ଜବତ କରିଥିବା ଜଣାପଡ଼ିଛି।

ଏନେଇ ଗ୍ରାମବାସୀଙ୍କ ତରଫରୁ ଲିଖିତ ଅଭିଯୋଗ କରାଯାଇଥିବା ବେଳେ ଏ ସମ୍ପର୍କରେ ମାର୍କେଟିଂ ଇନିସପେକ୍ଟର କହିଛନ୍ତି, ଟ୍ରକରେ ଆଜି ଚାଉଳ ବଣ୍ଟନ ପାଇଁ ଯାଇଥିଲା ହେଲେ ଏ ଚାଉଳ ଫେରିବାର ନିୟମ ନାହିଁ। ଏହା କେଉଁ ପରିସ୍ଥିତିରେ ଓ କାହାର ଅନୁମତିରେ କେଉଁଠିକୁ ଯାଉଥିଲା ତାହା ତଦନ୍ତ ସାପେକ୍ଷ।

Leave A Reply