ମୁମ୍ବଇ: ମହାରାଷ୍ଟ୍ରରେ ଏକ ନାଟକୀୟ ମୋଡ଼ରେ ବିଜେପି ସରକାର ଗଢ଼ିବା ପରେ ଶିବସେନା, କଂଗ୍ରେସ ଏବଂ ଏନସିପିକୁ ବଡ଼ ଝଟ୍କା ଲାଗିଛି। ତଥାପି ହାର୍ ମାନିନାହିଁ ଏନସିପି। ଏବେ ବି ଏନସିପି-ଶିବସେନା ଓ କଂଗ୍ରେସ ମିଶି ରାଜ୍ୟରେ ସରକାର ଗଠନ କରିବେ ବୋଲି ଶରଦ ପୱାର ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ଏନସିପି ନେତା ଅଜିତ ପୱାରଙ୍କ ସମର୍ଥନରେ ବିଜେପି ସରକାର ଗଠନ କରିବା ସହିତ ଶନିବାର ଦେବେନ୍ଦ୍ର ଫଡ୍ନଭୀସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହା ପରେ ଶିବସେନା ଏବଂ ଏନସିପି ପକ୍ଷରୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରାଯାଇ ସରକାର ଗଠନ ସମ୍ପର୍କରେ ମତ ରଖିଛନ୍ତି।
ଖବରଦାତା ସମ୍ମିଳନୀରେ ଏନସିପି ମୁଖ୍ୟ ଶରଦ ପୱାର କହିଛନ୍ତି, ଫଡ୍ନଭୀସ ବହୁମତ ସାବ୍ୟସ୍ତ କରିପାରିବେ ନାହିଁ। ଆମ ପାଖରେ ସଂଖ୍ୟା ଅଛି, ଆମେ ହିଁ ସରକାର ଗଢ଼ିବୁ। ବିଜେପିକୁ ସମର୍ଥନ ଅଜିତଙ୍କ ବ୍ୟକ୍ତିଗତ ନିଷ୍ପତ୍ତି। ଏହା ଏନସିପିର ବିଚାରଧାରା ଏବଂ ଆଦର୍ଶ ବିରୋଧୀ। ଆମ ପାଖରେ ୧୭୦ ବିଧାୟକଙ୍କ ସମର୍ଥନ ଥିଲା। କିନ୍ତୁ ଏନସିପିର କିଛି ବିଧାୟକ ବିଜେପି ସପକ୍ଷରେ ଯାଇଛନ୍ତି। ସେମାନଙ୍କୁ ଦଳବଦଳ ଆଇନ ଜଣାଥିବା ଦରକାର। ସେମାନଙ୍କ ବିଧାନସଭା ସଦସ୍ୟତା ରଦ୍ଦ ହୋଇପାରେ। ଆମେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବୁ। ବିଜେପି ସହ ମେଣ୍ଟ ସପକ୍ଷରେ କୌଣସି ଏନସିପି ନେତା ନାହାନ୍ତି। କୌଣସି ଏନସିପି ନେତା ଦଳ ଛାଡ଼ିବେ ନାହିଁ ବୋଲି ଆଶା ରହିଛି। ତଦନ୍ତ ଭୟରେ ଅଜିତ ଏଭଳି ପଦକ୍ଷେପ ନେଇଛନ୍ତି କି ନାହିଁ ତାହା ଜାଣିନାହିଁ ବୋଲି ଶରଦ କହିଛନ୍ତି। ଏହା ସହିତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଅନ୍ୟ ଏନସିପି ବିଧାୟକମାନେ ଦଳ ସହିତ ରହିଛନ୍ତି ବୋଲି କହିଛନ୍ତି। ସେମାନେ କହିଛନ୍ତି, ରାଜଭବନରେ ଆଲୋଚନା ପାଇଁ ଅଜିତ ଆମମାନଙ୍କୁ ଡାକି ନେଇଥିଲେ। କିନ୍ତୁ ସେଠାରେ ହଠାତ୍ ସେ ଶପଥ ନେଇଥିଲେ। ଏ ବିଷୟରେ ଆମେ ଅଜ୍ଞ ଥିଲୁ।
ସାମ୍ବାଦିକ ସମ୍ମିଳନୀରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ, ଯାହା ଖେଳ ଚାଲିଛି, ତାହା ପୂରା ଦେଶ ଦେଖୁଛି। ପୂର୍ବରୁ ଇଭିଏମରେ ଖେଳ ଚାଲିଥିଲା। ଏବେ ନୂଆ ଖେଳ ଚାଲିଛି। ଆମେ ଯାହା ବି କରୁ ସ୍ପଷ୍ଟ ଦିବାଲୋକରେ କରୁ। ବିହାର, ହରିୟାଣାରେ ମଧ୍ୟ ବିଜେପି ଏପରି କରିଛି।



