୨୦ରୋଗୀଙ୍କୁ ବିଷ ଦେଇ ମାରିଦେଲେ ନର୍ସ

0

ନୂଆଦିଲ୍ଲୀ: ରୋଗୀଙ୍କ ଜୀବନ କେବଳ ଡାକ୍ତରଙ୍କ ହାତରେ କାହିଁକି ନର୍ସଙ୍କ ଉପରେ ମଧ୍ୟ ନିର୍ଭର କରିଥାଏ। କାରଣ କୌଣସି ଡାକ୍ତରଖାନାରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ଦେବା ଦାୟିତ୍ୱ ଏହି ନର୍ସ ତୁଲାଇ ଥାନ୍ତି। ଯଦି କୌଣସି ନର୍ସ ସଠିକ ସମୟରେ ଔଷଧ ନଦିଅନ୍ତି ଅଥବା ଭୁଲ ଔଷଧର ପ୍ରୟୋଗ କରନ୍ତି ତେବେ ରୋଗୀର ମୃତ୍ୟୁ ଅନିବାର୍ଯ୍ୟ। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଉଥିବା ଜନୈକା ନର୍ସ ୨୦ଜଣ ରୋଗୀଙ୍କୁ ବିଷ ଦେଇ ମାରିଦେଇଛନ୍ତି। ଜାପାନରେ ଘଟିଥିବା ଏଭଳି ଘଟଣା ପଛରେ ଯେଉଁ କାରଣ ରହିଛି ତାହା ମଧ୍ୟ ଚମତ୍କୃତ କରିଦେବା ଭଳି।
ୱାର୍ଡରେ ଶାନ୍ତି ବଜାୟ ରଖିବାକୁ ନର୍ସ ଏଭଳି ପଦକ୍ଷେପ ନେଇଛନ୍ତି। ରୋଗୀଙ୍କ ସାଲାଇନରେ ସେ ଆଣ୍ଟିସେପଟିକ ସଲ୍ୟୁସନ ଇଞ୍ଜେକସନ ଦ୍ୱାରା ଭର୍ତ୍ତି କରି ହତ୍ୟା କରୁଥିଲେ।
ଜାପାନର ଟୋକିଓ ସହରଠାରୁ ୩୨କିମି ଦୂରରେ ଅବସ୍ଥିତ ଓଗୁଚି ଡାକ୍ତରଖାନାରେ ୩୧ବର୍ଷିୟା ଅୟୁମୀ ନର୍ସ ଭାବରେ କାର୍ଯ୍ୟ କରୁଥିଲେ। ୨୦୧୬ରେ ଅୟୁମୀ କାର୍ଯ୍ୟରତ ଅବସ୍ଥାରେ ବୟସ୍କ ରୋଗୀଙ୍କ ସାଲାଇନରେ ଉପରୋକ୍ତ ପ୍ରକ୍ରିୟା ଦ୍ୱାରା ସେମାନଙ୍କୁ ହତ୍ୟା କରୁଥିଲେ। ଅୟୁମୀ ଏଭଳି ଭାବରେ ଏହି କାର୍ଯ୍ୟ କରୁଥିଲେ ଯେ ରୋଗୀଙ୍କ ମୃତ୍ୟୁ ତାଙ୍କ କାର୍ଯ୍ୟ ସମୟ ପରେ ହେଉଥିଲା। କାରଣ ଅୟୁମୀଙ୍କ କାର୍ଯ୍ୟ ସମୟ ମଧ୍ୟରେ କୌଣସି ରୋଗୀର ମୃତ୍ୟୁ ହେଲେ ଏ ସମ୍ପର୍କରେ ରୋଗୀଙ୍କ ପରିବାରବର୍ଗଙ୍କୁ ଖବର ଦେବାକୁ ପଡ଼ିଥାନ୍ତା। ଅୟୁମୀ ଏହା ପସନ୍ଦ କରୁନଥିଲେ। ଏହି ପ୍ରକ୍ରିୟା ଦୀର୍ଘ ଦିନ ଚାଲିଥିଲା। ତେବେ ଜନୈକ ୮୮ବର୍ଷିୟ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ସାଲାଇନରେ ପାଣି ଫୋଟକା ଦେଖି ଡାକ୍ତରଙ୍କ ସନ୍ଦେହ ହୋଇଥିଲା। ସାଲାଇନରେ ପାଣିଫୋଟକା ହେବାର ଅର୍ଥ ଏହି ସାଲାଇନରେ ଅନ୍ୟ କୌଣସି ତରଳ ପଦାର୍ଥର ମିଶ୍ରଣ ହୋଇଛି। ଫଳରେ ଡାକ୍ତରମାନେ ମୃତ ରୋଗୀର ରକ୍ତ ନମୁନାର ପରୀକ୍ଷା କରିଥିଲେ। ରକ୍ତ ପରୀକ୍ଷାରେ ରୋଗୀଙ୍କୁ ବିଷ ଦିଆଯାଇ ଥିବା ପ୍ରମାଣିତ ହୋଇଥିଲା। ସେହିପରି ଅନ୍ୟ ଜଣେ ରୋଗୀଙ୍କ ଅଚାନକ ମୃତ୍ୟୁ ପରେ ବିଭାଗୀୟ ଡାକ୍ତର ଏହାର ବ୍ୟବଚ୍ଛେଦ କରିଥିଲେ। ବ୍ୟବଚ୍ଛେଦରେ ମୃତକଙ୍କ ରକ୍ତରେ ଆଣ୍ଟିସେପଟିକ ସଲ୍ୟୁସନର ମାତ୍ରା ମିଳିଥିଲା। ଘଟଣା ପୁଲିସ ପାଖରେ ପହଞ୍ôଚ ଥିଲା। ପୁଲିସ ତଦନ୍ତରେ ନର୍ସମାନଙ୍କ କୋଠରୀରୁ ୧୦ଟି ସାଲାଇନ ବୋତଲ ଉଦ୍ଧାର କରିଥିଲେ। ଏହି ସାଲାଇନ ବୋତଲରେ ଆଣ୍ଟିସେପଟିକ ସଲ୍ୟୁସନ ମିଶ୍ରଣ କରାଯାଇ ଥିବା ପ୍ରମାଣିତ ହୋଇଥିଲା। ଫଳରେ ପୁଲିସ କାର୍ଯ୍ୟରତ ସମସ୍ତ ନର୍ସଙ୍କ ୟୁନିଫର୍ମକୁ ତଦନ୍ତ ପରିସରକୁ ନେଇଥିଲେ। ଏହି ତଦନ୍ତରେ କେବଳ ଅୟୁମୀଙ୍କ ପୋଷାକରେ ଆଣ୍ଟିସେପଟିକ ସଲ୍ୟୁସନ ଲାଗିଥିବା ପ୍ରମାଣିତ ହୋଇଥିଲା। ଅୟୁମୀ ତାଙ୍କ ଅଭିଯୋଗ ସ୍ୱୀକାର କରିବା ସହ କେବଳ ୱାର୍ଡ଼ରେ ଶାନ୍ତି ବଜାୟ ରଖିବାକୁ ସେ ଏଭଳି କାର୍ଯ୍ୟ କରୁଥିଲେ ବୋଲି ପ୍ରକାଶ କରିଛନ୍ତି।

Leave A Reply