ପାଟଣା : କେନ୍ଦୁଝର ଜିଲା ବାରିଆ ଥାନା ଅନ୍ତର୍ଗତ ବୈତରଣୀ ନଦୀର ଫୁଲକଁଳେଇ ଖଲି ଚଉପତି ଘାଟରୁ ଶନିବାର ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ଗୋଟିଏ ମୃତଦେହ ପୁରୁଷଙ୍କର ହୋଇଥିବାବେଳେ ଅନ୍ୟଟି ମହିଳାଙ୍କର। ଉଭୟ ପ୍ରେମୀ ଯୁଗଳ ବୋଲି ସନ୍ଦେହ କରାଯାଉଛି। ସେମାନଙ୍କୁ ହତ୍ୟାକରାଯିବାପରେ ବସ୍ତାରେ ବାନ୍ଧି ନଦୀରେ ଭସାଇ ଦିଆଯାଇଥିବା ଅନୁମାନ କରାଯାଉଛି। ଏହାକୁ ସ୍ଥାନୀୟ କିଛି ଲୋକେ ଅନର କିଲିଂ( ସମ୍ମାନ ପାଇଁ ହତ୍ୟା) ବୋଲି କହୁଛନ୍ତି। କିନ୍ତୁ ମୃତକ ଦ୍ବୟଙ୍କକ କୌଣସି ପରିଚୟ ମିଳିନାହିଁ। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ବୈତରଣୀ ନଦୀର ଫୁଲକଁଳେଇ ଖଲି ଚଉପତି ଘାଟରେ ବସ୍ତାରେ ବନ୍ଧା ହୋଇ ଶବ ଭାସୁଥିବା ଦେଖିବାକୁ ମିଳିଥିଲା। ବସ୍ତାଟି ଦୁଇଦିନ ଧରି ସେଠାରେ ଭାସୁଥିବାର ଲୋକେ ଦେଖିଥିଲେ। ତେବେ ସନ୍ଦେହ ହେବାରୁ ସ୍ଥାନୀୟଲୋକେ ଲୋକେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ବାରିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ନଦୀରୁ ଶବ ବନ୍ଧା ଥିବା ବସ୍ତାକୁ ଉଦ୍ଧାର କରିଥିଲା। ଉକ୍ତ ବସ୍ତା ଭିତରୁ ଜଣେ ଯୁବକ ଓ ଜଣେ ମହିଳାଙ୍କ ମୃତଦେହ ଥିବା ଜଣାଡିଥିଲା । ତେବେ ମୃତ ଦେହ ଦୁଇଟିକୁ ବସ୍ତାରେ ଭର୍ତ୍ତି କରିବା ପରେ ପଥରରେ ବାନ୍ଧି ପାଣିରେ ପକାଇ ଦିଆଯାଇଥିବା ଜଣାପଡିଛି । ଉଭୟଙ୍କୁ କେହି ଦୁର୍ବୃତ୍ତ ହତ୍ୟାକରିବା ପରେ ବସ୍ତାରେ ଭର୍ତ୍ତି କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।



