ପାଟଣା: ସାହିକୁ ଯାଇଥିବା ରାସ୍ତାର ବନବିଭାଗ କଲଭଟ୍ ପୋଲଟି ଦେଢବର୍ଷ ହେଲା ଭାଙ୍ଗି ଯାଇଥିବାରୁ ସାହିକୁ ଯାନବାହାନ ଯାତାୟାତ ସମ୍ଭବ ହେଉନାହିଁ। ଯାହାର ପରିଣାମ ଭୋଗିବାକୁ ପଡ଼ିଛି ଜଣେ ଆସନ୍ନ ପ୍ରସବାକୁ। ବାଧ୍ୟ ହୋଇ ସ୍ଥାନୀୟ ଆଶା କର୍ମୀ ଆସନ୍ନ ପ୍ରସବାକୁ ଦୁଇ କିଲୋମିଟର ପାଦରେ ଚଲାଇ ଚଲାଇ ଆଣିବା ପରେ ଜନନୀ ଆମ୍ବୁଲାନ୍ସ ଯୋଗେ ସେଠାରୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ତେବେ ଆସନ୍ନ ପ୍ରସବାଙ୍କର ସ୍ବାସ୍ଥ୍ୟ ଗତ ଅନ୍ୟ ସମସ୍ୟା ଥିବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବଣମହୁଲଡିହା ଗ୍ରାମର ମାଝି ସାହିର ସୁରେନ୍ଦ୍ର ମାଝିଙ୍କ ପତ୍ନୀ ପାର୍ବତୀ ମାଝିଙ୍କର ଆଜି ପୂର୍ବାହ୍ନ ରେ ଗର୍ଭ ଯନ୍ତ୍ରଣା ହେବାରୁ ସ୍ଥାନୀୟ ଆଶାକର୍ମୀ ଜନନୀ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ତେବେ ଜନନୀ ଆମ୍ବୁଲାନ୍ସ ଆସିଥିଲେ ମଧ୍ୟ ଗ୍ରାମ୍ୟ ରାସ୍ତାରେ ଥିବା ବନବିଭାଗର କଲଭଟ୍ ପୋଲଟି ଭାଙ୍ଗି ଯାଇଥିବାରୁ ଆମ୍ବୁଲାନ୍ସ ଗାଁ ଭିତରକୁ ପଶି ପାରିନଥିଲା। ବାଧ୍ୟ ହୋଇ ଆମ୍ବୁଲାନ୍ସ କର୍ମଚାରୀ ସୁରେନ୍ଦ୍ର ମାଝୀଙ୍କ ଘର ନିକଟକୁ ଯାଇ ତାଙ୍କ ଗର୍ଭବତୀ ପତ୍ନୀ ପାର୍ବତୀଙ୍କୁ ସ୍ଥାନୀୟ ଆଶାକର୍ମୀ ସହ ପାଦରେ ଚଲାଇ ଚଲାଇ ଆମ୍ବୁଲାନ୍ସ ନିକଟକୁ ଆଣିବା ପରେ ପାଟଣା ଡାକ୍ତରଖାନାକୁ ଆସିଥିଲେ।



