ପାଟଣା: କାର୍ଯ୍ୟରେ ଯୋଗ ଦେବାର ବର୍ଷକ ମଧ୍ୟରେ ସାହାରପଡା ବିଡିଓଙ୍କୁ ଅଚାନକ ମୟୂରଭଞ୍ଜ ଜିଲ୍ଲାକୁ ବଦଳି ଓ ବଦଳି ଆଦେଶର ସପ୍ତାହେ ନ ପୁରୁଣୁ ବଦଳି ବାତିଲ ପଛରେ ଏଠାରେ ପତିଆରା ଲଢେଇ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ତେବେ ଏହି ପତିଆରା ଲଢେଇ ମଧ୍ୟରେ ସାହରପଡା ବ୍ଲକରେ ବ୍ୟାପକ ଦୁର୍ନୀତି ନେଇ ଖୋଦ ବିଧାୟକ ପ୍ରତିନିଧି ଓ ଜଣେ ସରପଞ୍ଚଙ୍କ ସହ ଏକାଧିକ ଅଭିଯୋଗ ବ୍ଲକସ୍ତରୀୟ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କୁ ଦିଆଯିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବ୍ଲକରେ ଅର୍ଥ ଥିଲେ ମଧ୍ୟ ଏହା କାର୍ଯ୍ୟରେ ଲାଗୁନଥିବା ଅଭିଯୋଗ ହେବାସହ ମନରେଗା ଯୋଜନାରେ ଫାଇଲ ଖୋଲିବା ପାଇଁ ଅଢେଇ ପ୍ରତିଶତରୁ ୩ ପ୍ରତିଶତ ପିସି ଦେବାକୁ ପଡ଼ୁଥିବା ଖୋଦ ବିଧାୟକଙ୍କ ପ୍ରତିନିଧି ନଗେନ୍ଦ୍ର କୁମାର ମହାନ୍ତ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବାପରେ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି।
ସେହିପରି ଗଣ୍ଡବେଡା ସରପଞ୍ଚ ଚପଳଚାନ୍ଦ ରଣସିଂ ତାଙ୍କ ପଞ୍ଚାୟତର ଉନ୍ନୟନ କାର୍ଯ୍ୟରେ ପ୍ରଶାସନିକ ଅସହଯୋଗ ରହୁଥିବା ଅଭିଯୋଗ ଆଣିଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷର କାମ ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇପାରୁ ନଥିବା ସେ ଅଭିଯୋଗ ଆଣିଛନ୍ତି। ୨୦୨୩ରେ ଦାସପଡାଠାରୁ ସୁଆଗପୁର ରାସ୍ତା ଧୋଇ ଯାଇଥିବାବେଳେ ବାରମ୍ବାର ଜଣାଇଲେ ମଧ୍ୟ କାମ ଆରମ୍ଭ ହୋଇପାରୁନାହିଁ। ଅଙ୍ଗନବାଡ଼ି, ପ୍ରାଥମିକ ବିଦ୍ୟାଳୟ, ସ୍ବାସ୍ଥ୍ୟ ଉପକେନ୍ଦ୍ର, ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ଅର୍ଥ ଆସିଥିଲେ ମଧ୍ୟ ଏହି ଅର୍ଥ ପଞ୍ଚାୟତମାନଙ୍କୁ ପୈଠ କରାଯାଇ ନଥିବା ସେ ଅଭିଯୋଗ ଆଣିଛନ୍ତି। ସାହାରପଡା ବ୍ଲକରେ ଉନ୍ନୟନ କାର୍ଯ୍ୟ ସମ୍ବନ୍ଧୀୟ ୧୦ରୁ ଅଧିକ ଅଭିଯୋଗ ଆସିବାରୁ ଜିଲ୍ଲାପାଳ ବିଶାଲ ସିଂହ ସମସ୍ୟାର ମୂଳ କାରଣ ଓ ସମାଧାନ ରାସ୍ତା ବାହାର କରିବାକୁ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ଘଟଣା ଚର୍ଚ୍ଚାରେ ରହିଛି।



