ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ

ତୁରୁମୁଙ୍ଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଚେତନତା ଶୋଭାଯାତ୍ରା

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଦଧିବାମନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଶ୍ଵ ଏଡ୍‌ସ ଦିବସ ଅବସରରେ  ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ପ୍ରଥମେ ରେଡ ରିବନ୍ କ୍ଲବର ରେଡକ୍ରସ ସ୍ଵେଚ୍ଛାସେବୀ ଓ ଅନ୍ୟ ଛାତ୍ରଛାତ୍ରୀ ମାନେ ଏକ ଶୋଭାଯାତ୍ରାରେ ଯାଇ ଏଡ୍‌ସର କାରଣ ଓ ନିରାକରଣ ସମ୍ବନ୍ଧରେ ସ୍ଲୋଗାନ ମାନ ଦେଇ ଗ୍ରାମ ପରିକ୍ରମା କରିଥିଲେ। ପ୍ରାଧ୍ୟାପକ ସେବକ ଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ତୁରୁମୁଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ସୁବାଷ ଚନ୍ଦ୍ର କର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଡ୍‌ସ ବ୍ୟାପିବାର କାରଣ ଓ ଏହାକୁ କିପରି ରୋକାଯାଇପାରିବ ସେ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । ପ୍ରାଧ୍ୟାପକ ମହେଶ କୁମାର ଚାଟାର୍ଜୀ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିବା ବେଳେ ପ୍ରାଧ୍ୟାପକ ବୀରେନ କୁମାର ସାହୁ , ଅଧ୍ୟାପିକା ଅନ୍ନପୂର୍ଣ୍ଣା ମିଶ୍ର, ସସ୍ମିତା ତରାଇ, ଶ୍ୱେତା ସୁମନ ମିଶ୍ର, ଅପର୍ଣ୍ଣା ବେହେରା, ସୋନାଲିକା ବାରିକ ଓ ଅଧ୍ୟାପକ ସତ୍ୟପ୍ରକାଶ ମହାନ୍ତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଏଡ୍‌ସ ରୋଗ ବାବଦରେ ସଚେତନ କରିଥିଲେ। ଅଧକ୍ଷ ଅଶ୍ୱସ୍ତମା ଗିରି ଓ ରେଡକ୍ରସ କାଉନସିଲର ଯତୀନ୍ଦ୍ର କୁମାର ମିଶ୍ର ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସଚେତନତା ବାର୍ତ୍ତା ପ୍ରେରଣ କରିଥିଲେ । ଦ୍ୱିତୀୟ ବାର୍ଷିକ କଳା ଛାତ୍ରୀ ଅନୁପମା ମହାନ୍ତ ଓ ବିଜ୍ଞାନ ଛାତ୍ରୀ ପ୍ରିୟଙ୍କା ମୋଦୀ ତାଙ୍କର ଏଚ୍ ଆଇ ଭି ଭୁତାଣୁ ବିଷୟରେ ନିଜସ୍ୱ ମତାମତ ରଖିଥିଲେ । ସଭା ପ୍ରାରମ୍ଭରେ ସୁଧାଂଶୁ ଶେଖର ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନ କରିଥିଲେ ଓ ଶେଷରେ ଅଧ୍ୟାପିକା ସୋନାଲିକା ବାରିକ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
ଡୁମୁରିଆ ଭୀମକୁଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ 
ସ୍ଥାନୀୟ ଡୁମୁରିଆ ଭୀମକୁଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ୍ ବାହିନୀ ଓ ରେଡ ରିବନ କ୍ଲବ ତରଫରୁ ବିଶ୍ବ ଏଡ୍‌ସ ଦିବସ ପାଳନ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସଚେତନତା ପଦଯାତ୍ରାକୁ ବିଦ୍ୟାଳୟର ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା ରେଡକ୍ରସ ପତାକା ଦେଖାଇ ଉଦଘାଟନ କରିଥିଲେ । ସ୍ବେଚ୍ଛସେବୀ ମାନେ ଡୁମୁରିଆ ଗ୍ରାମ ପରିକ୍ରମା ସହ ଏଚଆଇଭି ଓ ଏଡ୍‌ସ ସମ୍ବନ୍ଧିତ ପ୍ରଚାର ପତ୍ର ବଣ୍ଟନ କରିଥିଲେ । ପରେ ଯୁବ ରେଡକ୍ରସର ମାର୍ଗଦର୍ଶକ ସନ୍ତୋଷ କୁମାର ସେନାପତିଙ୍କ ତତ୍ତ୍ଵାବଧନରେ ଏଚଆଇଭି ଓ ଏଡ୍‌ସ ସମ୍ବନ୍ଧରେ ଏକ ଆଲୋଚନାଚକ୍ର ଅନଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ସ୍ଵେଚ୍ଛାସେବୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ନିପୁନ ମହାକୁଡ, ମୋନାଲିସା ସେଠୀ ଓ ପ୍ରତିମା ମହାକୁଡ, ଓଡିଆ ରଚନା ପ୍ରତିଯୋଗିତାରେ ଇନ୍ଦୁମତି ମହାକୁଡ, ନିପୁନ ମହାକୁଡ ଓ ପ୍ରତିମା ମହାକୁଡ ଏବଂ ବକ୍ତୃତା ପ୍ରତିଯୋଗିତାରେ ଲକ୍ଷ୍ମୀପ୍ରିୟା ମହାନ୍ତ, ପ୍ରତିମା ମହାକୁଡ ଓ ସନ୍ଧ୍ୟାରାଣି ମାଝୀ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀ ସର୍ଵଶ୍ରୀ ସୌଦାମିନୀ ବାରିକ, ଯଯାତି ସାହୁ, ମିତ୍ରଭାନୁ ମହାନ୍ତ, ସମରେନ୍ଦ୍ର ମହାନ୍ତ, କାହ୍ନୁ ଚରଣ ପଲେଇ, ସନ୍ଦୀପ କୁମାର ମହାନ୍ତ ଆଦି ସୂଚାରୁରୂପେ ପରିଚାଳନା କରିବାରେ ସହଯୋଗ କରିଥିଲେ।

Comments are closed.