ଜାକାର୍ତ୍ତା : ଇଣ୍ଡୋନେସିଆର ରାଜଧାନୀ ଜାକାର୍ତ୍ତାଠରୁ ପାଙ୍କଲ ପିନାଙ୍ଗ ସହର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବିମାନ ‘ଜେଟି-୬୧୦’ ସୋମବାର ସକାଳେ ଦୁର୍ଘଟଣାଗ୍ରସ୍ତ ହେବାରୁ ସେଥିରେ ଥିବା ୧୮୯ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ସୂଚନା ଅନୁସାରେ ଉଡ଼ାଣ ଭରିବାର ୧୩ ମିନିଟ ପରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ସମୁଦ୍ର ଗର୍ଭରେ ପଡ଼ିଥିଲା। ଉଦ୍ଧାରକାରୀ ଦଳ ସମୁଦ୍ର ମଧ୍ୟରୁ ବିମାନର ଭଗ୍ନାବଶେଷ ପାଇଛନ୍ତି। ବିମାନରେ ୧୮୧ ଜଣ ଯାତ୍ରୀ, ଦୁଇ ଜଣ ପାଇଲଟ ଏବଂ ୬ ଜଣ ଅନ୍ୟ କର୍ମଚାରୀ ଥିଲେ। ବିମାନ ସହ ରେଡ଼ିଓ ଯୋଗାଯୋଗ ବିଚ୍ଛିନ୍ନ ହେବା ସ୍ଥାନଠାରୁ ପ୍ରାୟ ଦୁଇ ନଟିକଲ ମିଲ (୩.୭ କିଲୋମିଟର) ଦୂରରେ କାରାୱାଙ୍ଗ ଉପସାଗର ନିକଟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନରେ ଇଣ୍ଡୋନେସିଆ ଅର୍ଥ ମନ୍ତ୍ରାଳୟର ୨୦ ଜଣ ଅଧିକାରୀ ମଧ୍ୟ ଥିଲେ। ବିମାନର ଦୁଇ ପାଇଲଟଙ୍କ ମଧ୍ୟରୁ ଜଣେ ଭାରତୀୟ ବୋଲି ଜାଣିବାକୁ ମିଳିଛି। ଉଦ୍ଧାରକାରୀ ଦଳ ସମୁଦ୍ର ଗର୍ଭରୁ ବହୁ ଲୋକଙ୍କ ଶବ ଉଦ୍ଧାର କରିଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଇଟାଲି ନାଗରିକ ଅଛନ୍ତି।
ବିମାନ କମ୍ପାନୀ ଲାୟନ ଏୟରର ସିଇଓ ଏଡୱାର୍ଡ ସୈଟ କହିଛନ୍ତି ଯେ ରବିବାର ବିମାନରେ କିଛି ବୈଷୟିକ ତ୍ରୁଟି ପରିଲକ୍ଷିତ ହୋଇଥିଲା। ସେତେବେଳେ ବିମାନଟି ଡେନପସାରରୁ ଜାକାର୍ତ୍ତା ଆସୁଥିଲା। ଯନ୍ତ୍ରୀ ବୈଷୟିକ ତ୍ରୁଟିକୁ ଠିକ୍ କରିବା ପରେ ସୋମବାର ସକାଳେ ବିମାନଟି ଉଡ଼ାଣ ଭରିଥିଲା। ଇଣ୍ଡେନୋସିଆ ଏୟାର ନାଭିଗେସନ୍ (ଆକାଶ ପଥରେ ଦିଗ ନିର୍ଣ୍ଣୟକ) ଅଧିକାରୀ ସିନ୍ଦୁ ରହାୟୁ କହିଛନ୍ତି ଯେ ବିମାନଟି ଉଡ଼ାଣ ଭରିବାର କିଛି ସମୟ ପରେ ପାଇଲଟ ବିମାନକୁ ଫେରାଇ ଆଣିବା ପାଇଁ ଅନୁମତି ମାଗିଥିଲେ। ଅନୁମତି ମିଳିବାର ମାତ୍ର କିଛି ସେକେଣ୍ଡ ପରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ଏଟିସି) ସହ ପାଇଲଟଙ୍କ ରେଡିଓ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଅନ୍ତର୍ଜାତୀୟ ସଂସ୍ଥା ଫ୍ଲାଇଟ୍ରାଡାରର ତଥ୍ୟ ଅନୁସାରେ ଲାୟନ ଏୟାର ବିମାନ ଜେଟି-୬୧୦ ସ୍ଥାନୀୟ ସମୟ ଅନୁସାରେ ସକାଳ ପ୍ରାୟ ୬ଟା ୨୦ରେ ଉଡ଼ାଣ ଭରିଥିଲା। ଏହାର ୧୩ ମିନିଟ ପରେ ସମୁଦ୍ର ଉପରେ ବିମାନଟି ହଜିଯାଇଥିଲା। ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ସମୟରେ ଭୂପୃଷ୍ଠରୁ ୫୦୦୦ ଫୁଟ ଉପରେ ଥିଲା। ଏହାପରେ ଦ୍ରୁତ ଗତିରେ ଏହା ତଳକୁ ଖସବାକୁ ଲାଗିଲା। ବିମାନଟି ତଳକୁ ଖସି ୩୬୫୦ ଫୁଟ୍ ଉଚ୍ଚରେ ଥିବାବେଳେ ପାଇଲଟଙ୍କ ସହ ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଥିଲା।
ଏହା ଇଣ୍ଡୋନେସିଆର ସବୁଠୁ ବଡ଼ ବିମାନ ଦୁର୍ଘଟଣା ବୋଲି କୁହାଯାଉଛି। ଏହା ପୂର୍ବରୁ ୨୦୧୪ ଡିସେମ୍ବର ମାସରେ ଏୟାର ଏସିଆର ଏକ ବିମାନ ଦୁର୍ଘଟଣାରେ ୧୬୨ ଜଣଙ୍କ ମୃତ୍ୟୁ ଘଟିଥିଲା।
ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ; ୧୮୯ ମୃତ !
Popular Categories



