ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନରେ ଉଭୟ ଗୃହରେ ବିରୋଧୀ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି । ଏସଆଇଆର ପ୍ରସଙ୍ଗକୁ ନେଇ ବିରୋଧୀ ଏବଂ ଶାସକ ଦଳ ମଧ୍ୟରେ ହଟ୍ଟଗୋଳ ହେବାରୁ ଉଭୟ ଗୃହକୁ ଦିନ ୨ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଛି । ଲୋକସଭାରେ ବିରୋଧୀ ସଦସ୍ୟ ମାନେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଏସଆଇଆର, ନିର୍ବାଚନ କମିଶନ ଓ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ । ପ୍ରଥମେ ଗୃହକୁ ୧୨ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା, ଏହାପରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ନାରାବାଜି ଯୋଗୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଛି ।
ସେପଟେ ରାଜ୍ୟସଭାରେ ମଧ୍ୟ କଂଗ୍ରେସ ସଦସ୍ୟ ମାନେ ସରକାରଙ୍କୁ ଟାର୍ଗେଟ କରି ନାରାବାଜି କରିଥିଲେ । ଗୃହକୁ ଚାଲିବାକୁ ନଦେବାରୁ ଉପରାଷ୍ଟ୍ରପତି ତଥା ରାଜ୍ୟସଭାର ବାଚସ୍ପତି ସିପି. ରାଧାକୃଷ୍ଣନ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ବିରୋଧୀଙ୍କ ଗୋଟିଏ ଜିଦ ଏସଆଇଆର ବନ୍ଦ କରାଯାଉ, ସରକାର ଏହା ଉପରେ ଆଲୋଚନା କରନ୍ତୁ । ସରକାର ସ୍ପଷ୍ଟ କରିଛନ୍ତି ଯେ ଏସଆଇଆର ଉପରେ ଆଲୋଚନା କରିବାକୁ ବିରୋଧ କରୁନାହୁଁ, କିନ୍ତୁ ଏଥିପାଇଁ ଏକ ସମୟସୀମା ସ୍ଥିର କରିପାରିବେ ନାହିଁ ।
ଆଜି ଲୋକସଭାରେ କେନ୍ଦ୍ର ସରକାର କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ (ସଂଶୋଧନ) ବିଲ୍ ୨୦୨୫ ଆଗତ କରିବେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବିଲ୍ ମାଧ୍ୟମରେ ତମାଖୁ ଉତ୍ପାଦ ଉପରେ ଉତ୍ପାଦ ଶୁଳ୍କ ଏବଂ ସେସ୍ ବୃଦ୍ଧି ପ୍ରସ୍ତାବ ଦେବେ ।



