ଡେସ୍କ: ଭାରତୀୟ ବାୟୁଯାନ ବିଧେୟକ ୨୦୨୪କୁ ଆଜି ରାଜ୍ୟସଭାରେ ମଜୁରୀ ମିଳିଛି ଫଳରେ ଏହା ସଂସଦର ଅନୁମୋଦନ ଲାଭ କରିଛି। ଚଳିତ ବର୍ଷ ମୌସୁମୀ ଅଧିବେଶନରେ ଲୋକସଭାରେ ଏହି ବିଲ୍ ପାରିତ ହୋଇସାରିଛି। ଏହି ବିଲରେ କେନ୍ଦ୍ର ସରକାରଙ୍କୁ କୌଣସି ବିମାନର ଡିଜାଇନ୍, ଉତ୍ପାଦନ, ରକ୍ଷଣାବେକ୍ଷଣ, ବିକ୍ରୟ, ରପ୍ତାନି କିମ୍ବା ଆମଦାନୀକୁ ନିୟନ୍ତ୍ରଣ କରିବା ଏବଂ ବିମାନ ପରିଚାଳନାର ନିରାପତ୍ତାକୁ ସୁରକ୍ଷିତ ରଖିବା ପାଇଁ ନିୟମ ପ୍ରଣୟନ କରିବାର କ୍ଷମତା ରହିଛି। କୌଣସି ବିମାନ ଦୁର୍ଘଟଣା କିମ୍ବା ଘଟଣାର ତଦନ୍ତ ପାଇଁ ନିୟମ ପ୍ରଣୟନ କରିବା ପାଇଁ ସରକାରଙ୍କୁ ସଶକ୍ତ କରିବା ମଧ୍ୟ ଏହି ବିଲର ଉଦ୍ଦେଶ୍ୟ।
ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ ଏହି ବିଲ୍ ଉପରେ ଏକ ବିତର୍କର ଉତ୍ତର ଦେଇ କହିଛନ୍ତି, ବିମାନ ଚଳାଚଳ କ୍ଷେତ୍ରକୁ ଅନ୍ୟ ସ୍ତରକୁ ନେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ଦେଶକୁ ବିମାନ ଚଳାଚଳ କେନ୍ଦ୍ରରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସେ କହିଛନ୍ତି ଯେ ଏୟାର ଟ୍ରାଭେଲ ନେଟୱାର୍କକୁ ଅଧିକ ଲୋକଙ୍କୁ ଆଣିବା ବ୍ୟତୀତ ଏହି ବିଲରେ ନିଯୁକ୍ତି ସୃଷ୍ଟି ଏବଂ ଅର୍ଥନୈତିକ କାର୍ଯ୍ୟକଳାପ ଉପରେ ଗୁରୁତ୍ୱ ଦିଆଯାଇଛି। ସେ କହିଛନ୍ତି, ବିମାନର ଡିଜାଇନ୍, ଉତ୍ପାଦନ ଏବଂ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ ଦିଆଯାଉଛି।
ଶ୍ରୀ ନାଇଡୁ କହିଛନ୍ତି ଯେ ଛୁଟି କିମ୍ବା ପାର୍ବଣ ଋତୁରେ ବିମାନ ଭଡ଼ା ବୃଦ୍ଧି ନେଇ ସରକାର ଏୟାରଲାଇନ୍ସଗୁଡ଼ିକୁ ସଚେତନ କରିଛନ୍ତି। ସେ କହିଛନ୍ତି ଯେ ବିମାନ ଭଡ଼ାର ଅଧିକାଂଶ ଅଂଶ ତୈଳ ଦର ଏବଂ ଇନ୍ଧନ ଉପରେ ଟିକସ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରଣ କରାଯାଏ। ବିମାନ ଭଡ଼ା କମାଇବା ପାଇଁ ଇନ୍ଧନ ଉପରୁ ଟିକସ ହ୍ରାସ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବାକୁ ସାଂସଦମାନଙ୍କୁ ମନ୍ତ୍ରୀ କହିଛନ୍ତି।
ଆଲୋଚନାରେ ଭାଗ ନେଇ ବିଜେପିର ଶମ୍ଭୁ ଶରଣ ପଟେଲ କହିଛନ୍ତି, ବିମାନ ଚଳାଚଳ କ୍ଷେତ୍ରରେ ଅନେକ ବିକାଶ ହୋଇଛି। ୨୦୧୪ରେ ଦେଶରେ ବିମାନବନ୍ଦର ସଂଖ୍ୟା ୭୪ ଥିବା ବେଳେ ୨୦୨୪ରେ ଏହା ୧୫୭କୁ ବୃଦ୍ଧି ପାଇଛି। ଶ୍ରୀ ଶରଣ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ଘରୋଇ ବିମାନ ଯାତ୍ରୀଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି। ବିଜେଡ଼ିର ସୁଲତା ଦେଓ ବୃଦ୍ଧି ପାଉଥିବା ବିମାନ ଯାତ୍ରା ଖର୍ଚ୍ଚ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।



