ଏମଏସଏସ ବିଦ୍ୟାପୀଠକୁ ପରିବେଶ ବନ୍ଧୁ ପୁରସ୍କାର
ଆଠଗଡ : ଓଡିଶା ରାଜ୍ୟ ସ୍କାଉଟ୍ସ ଓ ଗାଇଡ୍ସର ୯୩ତମ ରାଜ୍ୟ ପରିଷଦ ବୈଠକ ଅବସରରେ ଆଠଗଡ ବ୍ଲକର ଯୋରନ୍ଦାସ୍ଥିତ ମାଧବ ସାମନ୍ତ ସିଂହାର ବିଦ୍ୟାପୀଠ ସମେତ ରାଜ୍ୟର ୧୨ଟି ବିଦ୍ୟାଳୟକୁ ପରିବେଶ ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି । ବନ ମହୋତ୍ସବ ସପ୍ତାହ ଅବସରରେ ବୃକ୍ଷ ଚାରା ରୋପଣ, ସବୁଜ ବଳୟ ସୃଷ୍ଟି ଓ ପରିବେଶ ସୁରକ୍ଷା ଆଧାରିତ ସଚେତନତା କାର୍ଯ୍ୟକ୍ରମ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଉକ୍ତ ବୈଠକରେ ମୁଖ୍ୟ ଆୟୁକ୍ତ ତଥା ଜାତୀୟ ଉପସଭାପତି ଡଃ କାଳିପ୍ରସାଦ ମିଶ୍ର, ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ପ୍ରମୁଖ ଉପସ୍ଥିତ ଥିବାବେଳେ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏମଏସଏସ ବିଦ୍ୟାପୀଠର ପ୍ରଧାନଶିକ୍ଷୟିତ୍ରୀ ମଧୁଲିତା ଦାସଙ୍କୁ ପରିବେଶ ବନ୍ଧୁ ପୁରସ୍କାର ପ୍ରଦାନ କରିଥିଲେ। ଏହି ପୁରସ୍କାର ପ୍ରଦାନ ସମୟରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଦିପ୍ତୀମୟୀ ନାୟକ ଓ ଶିକ୍ଷକ ମାନସ କୁମାର ସାହୁ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ ବିଦ୍ୟାଳୟର ସ୍କାଉଟ ମାଷ୍ଟର ସନ୍ତୋଷ କୁମାର ତ୍ରିପାଠୀ ଓ ଗାଇଡ କ୍ୟାପଟେନ ନମିତା ବିଶୋଇଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଯୋରନ୍ଦାସ୍ଥିତ ଏମଏସଏସ ବିଦ୍ୟାପୀଠର ସ୍କାଉଟ୍ସ ଓ ଗାଇଡ୍ସ ଛାତ୍ରଛାତ୍ରୀମାନେ ୧୫ଦିନ ବ୍ୟାପୀ ଚାରା ରୋପଣ ଓ ପରିବେଶ ସଚେତନତା କାର୍ଯ୍ୟ କରିଥିବାରୁ ବିଦ୍ୟାଳୟକୁ ଏହି ପୁରସ୍କାର ମିଳିଥିବା ଜଣାପଡିଛି।
Comments are closed.