BJD Bijuli 480×75 Mob

ଚାକିରି ଛାଡୁଛନ୍ତି ଅର୍ଦ୍ଧସାମରିକ ବାହିନୀ ଯବାନ, ଅଧିକାରୀ

BJD Bijuli 480×75 Mob
0

ନୂଆଦିଲ୍ଲୀ : ଦେଶର ଅର୍ଦ୍ଧସାମରିକ ବାହିନୀର ଯବାନ ତଥା ଅଧିକାରୀମାନେ ବହୁ ସଂଖ୍ୟାରେ ଚାକିରି ଛାଡୁଛନ୍ତି ଅଥବା ସ୍ୱେଚ୍ଛାକୃତ ଅବସର ଗ୍ରହଣ କରୁଛନ୍ତି। ବିଗତ ୩ ବର୍ଷ ମଧ୍ୟରେ ଚାକିରି ଛାଡିଥିବା ଅର୍ଦ୍ଧସାମରିକ ବାହିନୀର ଯବାନଙ୍କ ସଂଖ୍ୟା ୪ ଗୁଣ ବୃଦ୍ଧି ପାଇଛି। ବିଶେଷକରି ବିଏସ୍‌ଏଫ୍‌, ସିଆର୍‌ପିଏଫ୍‌, ଆଇଟିବିପି, ଏସ୍‌ଏସ୍‌ବି, ସିଆଇଏସ୍‌ଏଫ୍‌ ଏବଂ ଆସାମ୍‌ ରାଇଫଲ୍ସର ମୋଟ ୧୪,୫୮୭ ଯବାନ ଓ ଅଧିକାରୀ ୨୦୧୭ରେ ଚାକିରି ଛାଡିଛନ୍ତି। ୨୦୧୫ରେ ଏହି ସଂଖ୍ୟା ୩୪୨୫ ଥିଲା ବୋଲି ବୁଧବାର ଲୋକସଭାରେ ସରକାରଙ୍କ ପକ୍ଷରୁ ଏ ସମ୍ବନ୍ଧୀୟ ଏକ ରିପୋର୍ଟରେ କୁହାଯାଇଛି। ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା କାରଣରୁ ଏମାନେ ଏଭଳି ପଦକ୍ଷେପ ଗ୍ରହଣ କରୁଥିବା କୁହାଯାଇଛି। ଏହି ରିପୋର୍ଟ ଅନୁଯାୟୀ, ୨୦୧୫ରେ ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌)ର ୯୦୯ ଜଣ ଯବାନ ଚାକିରିରୁ ଇସ୍ତଫା ଦେଇଥିଲେ ଅଥବା ସ୍ୱେଚ୍ଛାକୃତ ଭାବେ ଅବସର ଗ୍ରହଣ କରିଥିଲେ। ୨୦୧୭ ସୁଦ୍ଧା ଏଭଳି ଯବାନଙ୍କ ସଂଖ୍ୟା ୪ ଗୁଣ ବୃଦ୍ଧି ପାଇ ୬୪୧୫ରେ ପହଞ୍ଚିଛି। କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆର୍‌ପିଏଫ୍‌)ର ୧୩୭୬ ଜଣ ୨୦୧୫ରେ ଏବଂ ୫୧୨୩ ଜଣ ୨୦୧୭ରେ ଚାକିରି ଛାଡିଛନ୍ତି। ଇଣ୍ଡୋ-ତିବ୍ଦତୀୟ ସୀମାନ୍ତ ପୁଲିସ (ଆଇଟିବିପି), ସଶସ୍ତ୍ର ସୀମା ବଳ (ଏସ୍‌ଏସ୍‌ବି), କେନ୍ଦ୍ରୀୟ ଶିଳ୍ପାଞ୍ଚଳ ସୁରକ୍ଷା ବାହିନୀ (ସିଆଇଏସ୍‌ଏଫ୍‌) ଏବଂ ଆସାମ ରାଇଫଲ୍ସରେ ମଧ୍ୟ ପରିସ୍ଥିତି ଅନୁରୂପ। ୨୦୧୫ରେ ୭୬ ଜଣ ଯବାନ ଆଇଟିବିପିରୁ ବାହାରିଯାଇଥିବା ବେଳେ ୨୦୧୭ ବେଳକୁ ଏହି ସଂଖ୍ୟା ୩୦୫ରେ ପହଞ୍ଚିଥିଲା। ସେହିଭଳି ୨୦୧୫ରେ ୧୮୩ ଯବାନ ଏବଂ ୨୦୧୭ରେ ୫୪୮ ଯବାନ ଏସ୍‌ଏସ୍‌ବି ଛାଡିଥିଲେ। ସିଆଇଏସ୍‌ଏଫ୍‌ରୁ ଚାକିରି ଛାଡିଥିବା ସୁରକ୍ଷାକର୍ମୀଙ୍କ ସଂଖ୍ୟା୨୦୧୫ରେ ୭୬୮ ଏବଂ ୨୦୧୭ରେ ୧୫୬୦ ଥିଲା। ଆସାମ ରାଇଫଲ୍‌ସରେ ଏହି ସମୟ ମଧ୍ୟରେ ଯଥାକ୍ରମେ ୧୧୩ ଏବଂ ୬୩୬ ଜଣ ସୁରକ୍ଷା କର୍ମୀ ଚାକିରି ଛାଡି ଚାଲିଯାଇଥିଲେ। ବିଶେଷକରି ବ୍ୟକ୍ତିଗତ, ପାରିବାରିକ, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏବଂ ସାମାଜିକ କାରଣ ସହିତ ୨୦ ବର୍ଷର ନିଯୁକ୍ତି ପରେ ପେନ୍‌ସନ ସମ୍ବନ୍ଧୀୟ ସୁବିଧା ପ୍ରସଙ୍ଗକୁ ଆଧାର କରି ଆସାମ ରାଇଫଲ୍ସର ଯବାନମାନେ ଚାକିରି ଛାଡିଥିବା କୁହାଯାଇଛି। ଅର୍ଦ୍ଧସାମରିକ ବାହିନୀରେ କ୍ୟାରିୟର ଗଠନ ନିମନ୍ତେ ଦୃଢ ସଂକଳ୍ପବଦ୍ଧ ଏବଂ ଉତ୍ସର୍ଗୀକୃତ ମନୋଭାବ ଆବଶ୍ୟକ ବୋଲି କୁହାଯାଇଥାଏ। ତେବେ ଏଥିରେ ନିଯୁକ୍ତ ଯବାନମାନଙ୍କ ସ୍ଥିତି ସରକାର ବୁଝୁଛନ୍ତି ବୋଲି ନିକଟରେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ କହିଥିଲେ। ଦୀର୍ଘ ସମୟ କାର୍ଯ୍ୟ କରିବା, କାର୍ଯ୍ୟକ୍ଷେତ୍ରରେ ଉପଯୁକ୍ତ ସୁବିଧା ସୁଯୋଗ ଉପଲବ୍ଧ ନ ହେବା ତଥା ଛୁଟି ନ ମିଳିବା ଘଟଣାକୁ କେନ୍ଦ୍ର କରି ଯବାନ ତଥା ଅଧିକାରୀମାନେ ବିଗତ ଦିନରେ ବାଧ୍ୟ ହୋଇ ଚାକିରି ଛାଡିଥିବା ଜଣାପଡିଛି। ଗୋଟିଏ ପଟେ ଦେଶରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରୁଥିବା ବେଳେ ଅନ୍ୟ ପଟେ ସୁରକ୍ଷାକର୍ମୀମାନଙ୍କୁ ଉପଯୁକ୍ତ ସୁବିଧା ପ୍ରଦାନ କରୁଥିବା ନେଇ କେନ୍ଦ୍ର ସରକାରଙ୍କ ଦାବି ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave A Reply